ଚିଟ୍‌ଫଣ୍ଡ ମାମଲାରେ ସିବିଆଇର କଚ୍ଛପ ଗତି: ୮ବର୍ଷରେ ମାତ୍ର ଗୋଟିଏର ବିଚାର ସରିଛି

ସିବିଆଇ କୋର୍ଟରେ ଗଡ଼ୁଛି ୧୬, ୧୨ଟିର ଦାଖଲ ହୋଇନି ଶେଷ ଚାର୍ଜସିଟ୍‌

ଚିଟ୍‌ଫଣ୍ଡ ମାମଲାରେ ସିବିଆଇର କଚ୍ଛପ ଗତି: ୮ବର୍ଷରେ ମାତ୍ର ଗୋଟିଏର ବିଚାର ସରିଛି

theprint.in

ଭୁବନେଶ୍ବର: ୨୦୧୪ ମସିହାରୁ ସିବିଆଇ ରାଜ୍ୟରେ ମୋଟ ୨୯ଟି ଚିଟ୍‌ଫଣ୍ଡ୍‌ ମାମଲାର ତଦନ୍ତ କରୁଥିଲେ ହେଁ ମାତ୍ର ଗୋଟିଏ ମାମଲାର ବିଚାର ଶେଷ ହୋଇଛି। ୧୬ଟି ମାମଲାର ତଦନ୍ତ ଶେଷ ହୋଇ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବିଚାର ଚାଲିଛି। କିନ୍ତୁ ଏବେ ବି ୧୨ଟି ସଂସ୍ଥା ବିରୋଧରେ ସିବିଆଇର ଖୋଳତାଡ଼ ସରିନି। କୋର୍ଟରେ ଏହି ମାମଲାଗୁଡ଼ିକର ଚାର୍ଜସିଟ୍ ଦାଖଲ କରାଯାଇଥିଲେ ହେଁ ଅଧିକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ଆଶଙ୍କାରେ ସିବିଆଇ ଶେଷ ଚାର୍ଜସିଟ୍‌ ଦାଖଲ କରିନାହିଁ। ସୂଚନା ଅଧିକାର ଆଇନ ବଳରେ ଏମିତି ତଥ୍ୟ ମିଳିଛି।

ଏହାକୁ ନେଇ ସୂଚନାଧିକାର କର୍ମୀ ଅଖଣ୍ଡ ଆଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ତଦନ୍ତ ପ୍ରକ୍ରିୟା ବିଳମ୍ବ ଦ୍ୱାରା ଅନେକ ସାକ୍ଷ୍ୟ, ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଛି। ଫଳରେ ବିଚାର ବେଳେ ଦୋଷୀମାନଙ୍କୁ ଖସିବା ସହଜ ହେବ। ସେ ଯୁକ୍ତି ବାଢ଼ିଛନ୍ତି ଯେ ସମାନ ସମୟ ମଧ୍ୟରେ କୋଲକାତା ସିବିଆଇ ୧୧୮ରୁ ୭୨ଟି ମାମଲାର ତଦନ୍ତ ଶେଷ କରିସାରିଛି ଓ ହାଇକୋର୍ଟରେ ତାହାର ବିଚାର ଚାଲିଛି। ମୋଟ୍ ୭୯୮ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪୨ଜଣଙ୍କୁ ଗିରଫ କରାଯାଇଛି। ବାକି ୪୩ଟି ମାମଲାର ଅଧିକ ତଦନ୍ତ ଚାଲିଛି। କିନ୍ତୁ ଭୁବନେଶ୍ବର ସିବିଆଇର ତଦନ୍ତ ପ୍ରକ୍ରିୟା ଏତେ ଶିଥିଳ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସିବିଆଇ ଏ ପର୍ଯ୍ୟନ୍ତ ଚିଟ୍‌ଫଣ୍ଡ ମାମଲାରେ ଓଡ଼ିଶାରେ କେତେ ଅଭିଯୁକ୍ତଙ୍କ ଗିରଫ କରିଛି, ଆଉ କେତେ ଅଭିଯୁକ୍ତ ଅଛନ୍ତି‌; ସେ ସମ୍ପର୍କରେ ମଧ୍ୟ ସିବିଆଇ କୌଣସି ତଥ୍ୟ ପ୍ରଦାନ କରୁନାହିଁ। ଏହି ସ୍ପର୍ଶକାତର ଘଟଣାର ତଦନ୍ତ ଓ ବିଚାର ପ୍ରକ୍ରିୟା ଏତେ ମନ୍ଥର ଚାଲିଲେ, ସର୍ବସ୍ବାନ୍ତ ହୋଇଥିବା ଓଡ଼ିଶାର ଲକ୍ଷଲକ୍ଷ ଗରିବ ଜନସାଧାରଣ କେମିତି ନ୍ୟାୟ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାନୁଯାୟୀ, ରାଜ୍ୟରେ ଏବେ ସିବିଆଇ ସିସୋର୍ ଗ୍ରୁପ୍ ଅଫ୍ କମ୍ପାନିଜ୍‌, ଅର୍ଥତତ୍ତ୍ୱ ଗ୍ରୁପ୍, ଆସ୍ଥା ଗ୍ରୁପ୍ ଅଫ କମ୍ପାନିଜ୍‌, ସମୃଦ୍ଧ ଜୀବନ ମଲ୍ଟି ଷ୍ଟେଟ୍ ମଲ୍ଟି ସୋସାଇଟି କୋଅପରେଟିଭ୍ ସୋସାଇଟି, ସ୍ୱସ୍ତିକ୍ ଇଣ୍ଡିଆ ମଲ୍ଟି ଷ୍ଟେଟ୍ କ୍ରେଡିଟ୍ କୋଅପରେଟିଭ୍ ଲିମିଟେଡ୍, ଅକ୍ଷୟ ଗୋଲ୍ଡ ଫାର୍ମ ଏଣ୍ଡ୍ ଭିଲା ଇଣ୍ଡିଆ ଲିମିଟେଡ୍, ଶସ୍ତ୍ର ଏଣ୍ଟରପ୍ରାଇଜ୍ ଲିମିଟେଡ୍, ଓ୍ୱେଟଲ୍ ଗ୍ରୁପ୍ ଅଫ୍ କମ୍ପାନିଜ୍, ସାଇ ପ୍ରକାଶ ପ୍ରପର୍ଟି ଡେଭେଲପମେଣ୍ଟ୍ ଲିମିଟେଡ୍, ସମୃଦ୍ଧ ଜୀବନ ଫୁଡ୍ ଇଣ୍ଡିଆ ଲିମିଟେଡ୍, ସାଇପ୍ରସାଦ ଗ୍ରୁପ ଅଫ୍ କମ୍ପାନିଜ୍, ମାଇକ୍ରୋଫାଇନାନ୍ସ ଲିମିଟେଡ୍ ଭଳି ଚିଟ୍‌ଫଣ୍ଡ ସଂସ୍ଥା‌ ଭଳି ୧୨ଟି ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ ତଦନ୍ତ ଜାରି ରଖିଛି। ଏଥିମଧ୍ୟରୁ ସିସୋର୍ ଗ୍ରୁପ୍ ଓ ସମୃଦ୍ଧ ଜୀବନ ଫୁଡ୍ ଇଣ୍ଡିଆ ବିରୋଧରେ ତିନିଟି ଏବଂ ଅର୍ଥତତ୍ତ୍ୱ ବିରୋଧରେ ୪ଟି ଚାର୍ଜସିଟ୍ ଦାଖଲ କରାଯାଇଛି।

ଉଲ୍ଲେଖଯୋଗ୍ୟ, କମ୍‌ ସମୟ ମଧ୍ୟରେ ଅଧିକ ସୁଧର ଲୋଭ ଦେଖାଇ ଚିଟ୍‌ଫଣ୍ଡ ସଂସ୍ଥାଗୁଡ଼ିକ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। ତେବେ ଏଭଳି କିଛି ଘଟଣା ଗତ ୨୦୧୪ ମସିହାରେ ପଦାକୁ ଆସିବା ପରେ ପ୍ରବଳ ଜନଆକ୍ରୋଶ ଦେଖାଦେଇଥିଲା। ଲୋକ‌େ ରାଜରାସ୍ତାରେ ଆନ୍ଦୋଳନ କରିବା ସହ ସରକାରଙ୍କୁ ଘେରିଥିଲେ। ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ସୁପ୍ରିମ୍‌କୋର୍ଟ ଏହି ମାମଲାର ତଦନ୍ତଭାର ସିବିଆଇକୁ ଦେଇଥିଲେ। ସିବିଆଇର ଖୋଳତାଡ଼ରୁ ଜଣାପଡ଼ିଥିଲା ଯେ ଓଡ଼ିଶାରେ ମୋଟ ୨୯ଟି ଚିଟ୍‌ଫଣ୍ଡ ସଂସ୍ଥା ଲୋକଙ୍କୁ ସର୍ବସ୍ବାନ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe