ପ୍ରତ୍ନତତ୍ତ୍ବ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ: ଶ୍ରୀମନ୍ଦିରରେ ଲାଗିବ ୧୫୮ ସିସିଟିଭି

Advertisment
ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ ହୋଇଛି ୨୮ କୋଟି

ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୮, ସହର ଭିତରେ ୧୫୬ ସିସିଟିଭି
ପରିକ୍ରମା ପ୍ରକଳ୍ପ ଉପରେ ଆଲୋଚନା କଲେ, ମୁହଁ ଖୋଲିଲେନି

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବାଦବିବାଦ ଭିତରେ ଆଜି ପ୍ରତ୍ନତତ୍ତ୍ବ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରିକ୍ରମା ପ୍ରକଳ୍ପ ସହ ରଥଯାତ୍ରାର ପ୍ରାକ୍‌ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲେ ବି କେହି ପ୍ରକଳ୍ପ ସମ୍ପର୍କିତ ଆଲୋଚନା ଉପରେ ମୁହଁ ଖୋଲିନାହାନ୍ତି। ଏହି ଅବସରରେ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ଶୁଣିବାକୁ ମିଳିଛି। ତେବେ ଅଧିକାରୀମାନେ କେବଳ ରଥଯାତ୍ରା ସମୟରେ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ପୁରୀ ସହରର ସୁରକ୍ଷା ଦୃଷ୍ଟିରୁ କେଉଁ ଜାଗାରେ ସିସିଟିଭି ଲାଗିବ, ସେ ଉପରେ ଆଲୋଚନା ହୋଇଥିବା କହିଛନ୍ତି। ଶ୍ରୀମନ୍ଦିରରେ ୧୫୮ଟି ସିସିଟିଭି ଲଗାଇବାକୁ ଯୋଜନା କରାଯାଇଛି। ସେହିଭଳି ଶ୍ରୀଗୁଣ୍ଡିଚା ମନ୍ଦିରରେ ୪୮ଟି ଓ ପୁରୀ ସହର ଭିତରେ ବିଭିନ୍ନ ସ୍ଥାନରେ ୧୫୬ଟି ସିସିଟିଭି ଲଗାଇବାକୁ ଯୋଜନା କରାଯାଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ତୀବ୍ର ହେଉଥିବାବେଳେ ଗତ ୧୧ ତାରିଖରେ ପରିକ୍ରମା ପ୍ରକଳ୍ପ ପାଇଁ ଗଠିତ ସାଂସ୍କୃତିକ ଉପଦେଷ୍ଟା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ବାହାରେ ଅର୍ଥାତ୍‌ ରେଗୁଲେଟେଡ୍‌ ଅଞ୍ଚଳରେ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଡିପିଆର୍‌ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତିର ଦିନକ ପରେ ଆଜି ହଠାତ୍‌ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ରୁଦ୍ଧଦ୍ବାର ବୈଠକ ବସିବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଗଣମାଧ୍ୟମ ଆଗରେ ମୁହଁ ଖୋଲିନାହାନ୍ତି।

ବୈଠକ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ରଥଯାତ୍ରାକୁ ଦୃଷ୍ଟିରେ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ କେଉଁ କେଉଁ ସ୍ଥାନରେ ସିସିଟିଭି ଲାଗିବ, ସେ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସିସିଟିଭି ଲାଗିବା କାମ ସରିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ପୁରୀ ସହରରେ ଯେଉଁ ସିସିଟିଭି ଲାଗିବ, ତାହା ଏକ ଭିନ୍ନ ପ୍ରକଳ୍ପ। ଏଥିପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ସହର ଭିତରେ ସିସିଟିଭି ଲଗାଯିବ। ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଆଜି ଶ୍ରୀମନ୍ଦିରରେ କେଉଁ କେଉଁ ସ୍ଥାନରେ ସିସିଟିଭି ଲାଗିବ, ସେ ଉପରେ ଆଲୋଚନା ହୋଇଥିଲା। ପ୍ରତ୍ନତତ୍ତ୍ବ ବିଭାଗଠାରୁ ବୈଷୟିକ ଜ୍ଞାନ ସହ କେଉଁ ସ୍ଥାନରେ ସିସିଟିଭି ଲଗାଇଲେ ଶ୍ରୀମନ୍ଦିର ପ୍ରତି ବିପଦ ଆସିବନି, ସେ ଉପରେ ପରାମର୍ଶ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe