ହାଇସ୍କୁଲରେ ଲାଗିବ ସିସିଟିଭି: ଆୟୋଜନ ହେବ ଗଣିତ ମେଳା, ବିଜ୍ଞାନ ପ୍ରଶିକ୍ଷଣ ଶିବିର

Advertisment

ରୂପାନ୍ତରିତ ସ୍କୁଲରେ ଇଣ୍ଟରନେଟ୍‌ ସେବା ଉପରେ ଗୁରୁତ୍ବ, ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି

ରୂପାନ୍ତରିତ ସ୍କୁଲରେ ଇଣ୍ଟରନେଟ୍‌ ସେବା ଉପରେ ଗୁରୁତ୍ବ, ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି

ହାଇସ୍କୁଲରେ ଲାଗିବ ସିସିଟିଭି: ଆୟୋଜନ ହେବ ଗଣିତ ମେଳା, ବିଜ୍ଞାନ ପ୍ରଶିକ୍ଷଣ ଶିବିର

Justdial

ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’, ଓଡ଼ିଶା ବିଜ୍ଞାନ ଏକାଡେମି ଓ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମିଳିତ ଭାବେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି। ନିକଟରେ ବିଜ୍ଞାନ ସମ୍ବନ୍ଧୀୟ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ହୋଇଥିବା ବେଳେ ଭବିଷ୍ୟତରେ ମୋବାଇଲ୍‌ ସାଇନ୍ସ ପ୍ରଦର୍ଶନୀ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ପିଲାଙ୍କ ମଧ୍ୟରେ ଗଣିତର ଆଗ୍ରହ ବୃଦ୍ଧି ପାଇଁ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ୍‌ ଆପ୍ଲିକେସନ୍ସ(ଆଇଏମ୍‌ଏ) ସହ ମିଶି ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଲାଗି ଗଣିତ ମେଳା ଆୟୋଜନ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’ର ୩୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରେ ବଳକା ଥିବା ୪୩୧୦ଟି ଉଚ୍ଚ ବିଦ୍ୟାଳୟରୁ ୩ୟ ପର୍ଯ୍ୟାୟରେ ୨୧୫୯ଟି ହାଇସ୍କୁଲ୍‌ର ରୂପାନ୍ତରଣ କରିବାକୁ ପ୍ରସ୍ତାବ ରହିଛି। ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ଉଦ୍ଦେଶ୍ୟରେ ୧୦୭୬ ହାଇସ୍କୁଲ୍‌ରେ କୋଡ୍‌ କ୍ଲବ୍‌ ଆରମ୍ଭ ହୋଇଛି। ଇତିମଧ୍ୟରେ ୩୦ଟି ଜିଲ୍ଲାର ୪୧୩ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଡିଂ ଏବଂ ପ୍ରୋଗ୍ରାମିଂରେ ପ୍ରଶିକ୍ଷଣ ଦିଆଯାଇଛି। ବିଦ୍ୟାଳୟର ମୂଲ୍ୟବାନ ଉପକରଣ ଓ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକ ‘ମୋ ସ୍କୁଲ୍‌’ ପାଣ୍ଠିରେ ଥିବା ଅର୍ଥରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜନ କରିବେ। ଏହାବ୍ୟତୀତ ପ୍ରତି ରୂପାନ୍ତରିତ ବିଦ୍ୟାଳୟରେ ସିସିଟିଭି କ୍ୟାମେରା, ବଜ୍ରପାତରୁ ସୁରକ୍ଷା ପାଇଁ ଲାଇଟେନିଂ ଆରେଷ୍ଟର୍‌ ଓ ଅଗ୍ନିନିର୍ବାପକ ଯନ୍ତ୍ର, ସ୍କୁଲ୍‌ରେ ଇଣ୍ଟରନେଟ୍‌ ସଂଯୋଗ କରିବାକୁ କୁହାଯାଇଛି। ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ଯେପରି ପିଲାମାନେ ଇଣ୍ଟରନେଟ୍‌ ସୁବିଧା ପାଇପାରିବେ ତାହା ଉପରେ ଗୁରୁତ୍ୱ ଦେବାକୁ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଓ ‘ମୋ ସ୍କୁଲ୍‌’ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ ୬୪୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ମିଳିଛି। ଟାଟା ଟ୍ରଷ୍ଟ ଓ ଲିଭୋଲିଙ୍କ୍‌ ଫାଉଣ୍ଡେସନ ସହ ମିଳିତ ଭାବେ ଚାଲିଥିବା ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ କନ୍ଧମାଳ ଜିଲ୍ଲାରେ ଏକ ଏକାଡେମିକ୍‌ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦକ୍ଷତା ବିକାଶରେ ଏହି ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିବ। ଚଳିତ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୬ଟି ଜିଲ୍ଲାର ୧୩୧ କୋଟି ୭୩ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ଏହି ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର, ବିଭାଗୀୟ ଆର୍ଥିକ ଉପଦେଷ୍ଟା ରତିକାନ୍ତ ମହାପାତ୍ର, ଉଚ୍ଚ ମାଧ୍ୟମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଟିଇ ଆଣ୍ଡ୍‌ ଏସ୍‌ସିଇଆର୍‌ଟିର ନିର୍ଦେଶକ, ‘ମୋ ସ୍କୁଲ୍‌ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ଭାରପ୍ରାପ୍ତ ଅଧିକାରୀ ପ୍ରବୀର କୁମାର ଖିଲାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe