ଅଲ୍‌ଟ୍ରାସାଉଣ୍ଡରେ ପୁରୁଷଙ୍କୁ ମହିଳା ଘଟଣା:ସିଡିଏମ୍‌ଓଙ୍କ ରିପୋର୍ଟର୍: ଟାଇପ୍‌ ଭୁଲ

Advertisment
କଟକରେ ଅବୈଧ ଭ୍ରୂଣ ନିରୂପଣ ଓ ଗର୍ଭନଷ୍ଟର ରାକେଟ୍‌

କଟକ: ଅଲଟ୍ରା ସାଉଣ୍ଡ ହୋଇଥିଲା ଜଣେ ପୁରୁଷଙ୍କର। କିନ୍ତୁ ରିପୋର୍ଟରେ ଆସିଲା ୟୁଟ୍ରସ ଆଉ ଓଭାରି ସଂପର୍କିତ ସୂଚନା। ଅର୍ଥାତ ଅଲଟ୍ରା ସାଉଣ୍ଡରେ ପୁରୁଷ ଜଣକ ହୋଇଗଲେ ମହିଳା।ମଙ୍ଗଳାବାଗସ୍ଥିତ ଏକ ପ୍ରତିଷ୍ଠିତ ପରୀକ୍ଷା କେନ୍ଦ୍ରର ଏଭଳି ରିପୋର୍ଟକୁ ନେଇ ଆଜି ତନାଘନା ଆରମ୍ଭ ହୋଇଛି। ଏହାର ତଦନ୍ତ ପାଇଁ ଜିଲ୍ଲାପାଳ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଡିଏମ୍‌ଓ ବି ଏହାର ତଦନ୍ତ କରି ସଂଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିଛନ୍ତି। କିନ୍ତୁ ରିପୋର୍ଟରେ ଏହାକୁ ଟାଇପ୍‌ ଜନିତ ତ୍ରୁଟି ବୋଲି ଦର୍ଶାଯିବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ଯେଉଁ ଟାଇପ୍‌ ରାଇଟର ତାହାକୁ ଟାଇପ୍‌ କରିଥିଲେ, ତାଙ୍କ ପାଖକୁ ଯାଇଥିବା ମୂଳ କପିରେ ସବୁକିଛି ଠିକ୍‌ଠାକ୍‌ ଲେଖା ହୋଇଥିଲା। କିନ୍ତୁ ଭୁଲ୍‌ ବସତଃ ସେ ପ୍ରିଣ୍ଟିଂବେଳେ ଅନ୍ୟ ରିପୋର୍ଟର ଲେଖାକୁ ସେଥିରେ ଛାଡ଼ି ଦେଇଥିଲେ।

ତଦନ୍ତରୁ ଏହା ଜଣା ପଡ଼ିଛି ବୋଲି ସିଡିଏମ୍‌ଓ ଡାକ୍ତର ବିଶ୍ୱକଲ୍ୟାଣ ପଟ୍ଟନାୟକ କହିଛନ୍ତି। ସିଡିଏମ୍‌ଓ ତାଙ୍କର ତଦନ୍ତ ରିପୋର୍ଟକୁ ଜିଲ୍ଲାପାଳଙ୍କୁ ଦେଇଥିଲାବେଳେ ତାହା ସରକାରଙ୍କ ନିକଟକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। କିନ୍ତୁ ଏଭଳି ରିପୋର୍ଟ ପ୍ରଦାନକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ରିପୋର୍ଟ ଟାଇପ୍‌ ହେବା ପରେ ସେଥିରେ ପରୀକ୍ଷା କରିଥିବା ଡାକ୍ତରଙ୍କ ସ୍ୱାକ୍ଷର ପରେ ଯାଇ ତାହାକୁ ରୋଗୀକୁ ପ୍ରଦାନ କରାଯାଇଥାଏ। ଏ କ୍ଷେତ୍ରରେ ବି ସଂପୃକ୍ତ ଡାକ୍ତରଙ୍କ ସ୍ୱାକ୍ଷର ରହିଛି। ଟାଇପ୍‌ ଯୋଗୁଁ ଏଭଳି ସାଂଘାତିକ ତ୍ରୁଟି ଥିବା ରିପୋର୍ଟରେ ପରୀକ୍ଷା କରିଥିବା ସଂପୃକ୍ତ ଡାକ୍ତର ସ୍ୱାକ୍ଷର କଲେ କିଭଳି? ଅବଶ୍ୟ ପରୀକ୍ଷା କରିଥିବା ଡାକ୍ତର ସୁବ୍ରତ କୁମାର ରାଉତ କହିଛନ୍ତି ଯେ ସେ ନିଜେ ଅଲଟ୍ରା ସାଉଣ୍ଡ କରିଥିଲେ। ରିପୋର୍ଟ କାଗଜରେ ଟିପିଥିଲେ। କିନ୍ତୁ ଟାଇପ ହେବା ପରେ ତାହାକୁ ଆଉ ଠିକରେ ଯାଞ୍ଚ ନକରି ସ୍ୱାକ୍ଷର କରି ଦେଇଥିଲେ।

କିନ୍ତୁ ଏଭଳି ତ୍ରୁଟିର ବିଭିନ୍ନ ଦିଗକୁ ନେଇ ଏବେ ଉଦବେଗ ପ୍ରକାଶ ପାଇଛି। ଜଣେ ପୁରୁଷଙ୍କ ରିପୋର୍ଟରେ ମହିଳାଙ୍କ ସଂପର୍କିତ ତଥ୍ୟ ଦିଆଯାଇଥିବାରୁ ତ୍ରୁଟି ସହଜରେ ଧରା ପଡ଼ିଗଲା। କିନ୍ତୁ ଯଦି ସେହି ରିପୋର୍ଟରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କୁ ଗୁରୁତର ତ୍ରୁଟି ଲେଖାଯାଇ ରିପୋର୍ଟ ଯାଇଥାନ୍ତା’ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା କ’ଣ ହୋଇଥାନ୍ତା, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe