ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ଧରଡା ଗାଁରେ ଧବଳେଶ୍ୱର ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ

Advertisment
ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ଧରଡା ଗାଁରେ ଧବଳେଶ୍ୱର ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ଓଡିଆପେଣ୍ଠ ଗ୍ରାମପଞ୍ଚାୟତ ଧରଡା ଗାଁରେ ଧବଳେଶ୍ୱର ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ବୁଧବାର ସମାପ୍ତ ହୋଇଛି। ପ୍ରତିଷ୍ଠା ଉତ୍ସବ ସକାଶେ ଗତ ତିନିଦିନ ଧରି ଧରଡା ଗାଁ ଉତ୍ସବ ମୁଖର ରହିବା ସହ ମଙ୍ଗଳବାର ସକାଳ ଠାରୁ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମ ସଂକିର୍ତନ ଆୟୋଜନ କରାଯାଇଥିଲା। ରାଜରାଜୁତି ଅମଳରୁ ରହିଆସିଥିବା ଧବଳେଶ୍ୱର ନାମରେ ଏହି ଶୈବ ପିୀଠଟି ଗତ କିଛି ବର୍ଷ ହେଲା ଜରାଜୀର୍ଣ ଅବସ୍ଥାରେ ରହିଥିଲା। ମହାପ୍ରଭୁ ଧବଳେଶ୍ୱରଙ୍କ ନାମରେ ଥିବା କିଛି ଜମି ଗତ କିଛି ବର୍ଷ ତଳେ କମ୍ପାନି ଅଧିଗ୍ରହଣ କରିବା ପରେ ପ୍ରାୟ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିଥିଲା। କ୍ଷତିପୂରଣ ଅର୍ଥ ସହ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଗତବର୍ଷ ମନ୍ଦିରନିର୍ମାଣ ସକାଶେ ନିଷ୍ପତି ନିଆଯାଇଥିଲା ଓ ପୁରୁଣା ମନ୍ଦିରକୁ ସମ୍ପୂର୍ଣ ଭାବରେ ଭଙ୍ଗାଯାଇ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା। ବୁଧବାର ଦିନ ରତ୍ନମୁଦ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଚଳର ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ ଉପସ୍ଥିତ ରହି ମନ୍ଦିରର ଶୀର୍ଷସ୍ଥାନରେ ଧାନ, ସୁନା, ରୁପା ଇତ୍ୟାଦି ଦିଆଯିବା ପରେ ରତ୍ନମୁଦ କାର୍ଯ୍ୟ ସମାପ୍ତ କରାଯାଇଥିଲା। ଦୁଇଦିନ ଧରି ହୋମଯଜ୍ଞ ସହ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିବା ବେଳେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା।

publive-image

ଏହି କାର୍ଯ୍ୟକ୍ରମରେ ଚମ୍ପିର ଧନୁର୍ଯ୍ୟୟ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ, ନିରଞ୍ଜନ ସାହୁ, ମାଧବ ସାହୁ, ଦୁର୍ଯ୍ୟଧନ ସାହୁ, ଲକ୍ଷ୍ମୀପୁରର ଇଶ୍ୱର ଚନ୍ଦ୍ର ସାହୁ, ରୁଷିବ ଚନ୍ଦ୍ର ସାହୁ, ସାଧୁ ତୁରୁକ୍‍, କଂସାରିଗୁଡାର ଜୟକୃଷ୍ନ ଚୌଧୁରୀ, ଓଡିଆପେଣ୍ଠର ରମେଶ ପ୍ରଧାନିଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ବ୍ରାହ୍ମଣ ପୁରୋହିତମାନଙ୍କ ଦ୍ୱାରା ହୋମଯଜ୍ଞର ଆୟୋଜନ କରାଯାଇଥିଲା। କିମ୍ୱଦନ୍ତି କହେ ନାରାୟଣପାଟଣାର ଝଞ୍ଜାବତୀ ନଦୀର ଦୁଇକୂଳରେ ଧବଳେଶ୍ୱର ଓ ଝାଡେଶ୍ୱର ନାମରେ ଦୁଇଟି ଶୈବପୀଠ ରହିଥିଲା। ଏହି ଶୈବପୀଠଟି ଲୋକଲୋଚନକୁ ଆସିପାରୁନଥିବା ବେଳେ ଶହ ଶହ ବର୍ଷ ତଳେ ରାଜରାଜୁତି ସମୟରେ ଧରଡାର ଜଣେ ବ୍ରାହ୍ମଣଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଓ ସେଠାରୁ କେବଳ ଧବଳେଶ୍ୱରଙ୍କୁ ଆଣି ଏଠାରେ ସ୍ଥାପନା କରିବା ସହ ପୂଜାର୍ଚ୍ଚନା କରିବା ପାଇଁ ସ୍ୱପ୍ନାଦେଶ ହୋଇଥିଲା। ନାରାୟଣପାଟଣାର ରାଜାଙ୍କୁ ଝାଡେଶ୍ୱର ବାବା ନଦୀକୂଳରେ ଏକାକି ହୋଇ ରହିଯିବା ସମ୍ପର୍କରେ ଅବଗତ କରାଇବା ସକାଶେ ମଧ୍ୟ ସ୍ୱପ୍ନ ହୋଇଥିଲା। ପରେ ବ୍ରାହ୍ମଣ ମହାଶୟ ରାଜାଙ୍କୁ ସମସ୍ତ ପ୍ରକାର ସ୍ୱପ୍ନାଦେଶ ବିଷୟରେ କହିବା ପରେ ଝଞ୍ଜବତୀ ନଦୀକୂଳରେ ପହଞ୍ଚିଥିଲେ ଓ ସେଠାରେ ଦୁଇକୂଳରେ ଦୁଇଟି ଶୈବପୀଠ ଥିବା ଜଣାପଡିବା ପରେ ଧବଳେଶ୍ୱରଙ୍କୁ ଧରଡା ଅଣାଯିବାକୁ ଅନୁମତି ମିଳିଥିଲା। ଏପରି ସ୍ୱପ୍ନାଦେଶ ହେବା ପରେ ଅତିକଷ୍ଟରେ ଝଞ୍ଜାବତୀ କୂଳରୁ ଧବଳେଶ୍ୱରଙ୍କୁ ଆଣି ଧରଡାରେ ପୂଜା କରାଯାଉଥିବା ବେଳେ ବର୍ତମାନ ଝାଡେଶ୍ୱର ନାରାୟଣପାଟଣାର ଝଞ୍ଜାବତୀ ନଦୀକୂଳରେ ପୂଜା ପାଉଛନ୍ତି। ଏହିପରି ଭାବେ କିମ୍ୱଦନ୍ତି କହୁଥିବା ବେଳେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ରତ୍ନମୁଦ ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କାଇପଦର, ସୋରିଷପଦର, ପଣସଗୁଡା, ପିପଲପଦର, ନୁଆଗାଁ, କାଡାପଦର ଭଳି ଅଞ୍ଚଳର ନାମ ସଂକିର୍ତନ ଦଳ ପହଞ୍ଚି ଅଷ୍ଟପ୍ରହରରେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe