ହଷ୍ଟେଲ ଜୀବନ ଏକାଠି ହୋଇ ଚାଲିବାର କଳା ଶିଖାଇଥାଏ: ରାଜ୍ୟପାଳ

ରେଭେନ୍ସା ଇଷ୍ଟ୍‌ ହଷ୍ଟେଲର ଶତବାର୍ଷିକୀ ସମାରୋହ

ହଷ୍ଟେଲ ଜୀବନ ଏକାଠି ହୋଇ ଚାଲିବାର କଳା ଶିଖାଇଥାଏ: ରାଜ୍ୟପାଳ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ଐତିହାସିକ ହଷ୍ଟେଲ ଇଷ୍ଟ୍‌ ବା ପୂର୍ବ ଛାତ୍ରାବାସର ଶତବା‌ର୍ଷିକୀ ସମାରୋହ ‘ଶତାରୁଣ୍ୟ-ଗୌରବ’ର ଶତ ବର୍ଷ ବିଶ୍ବବିଦ୍ୟାଳୟ ସେଭେନ୍ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ହଷ୍ଟେଲ ଜୀବନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା ଆଣିବା ସହିତ ଭବିଷ୍ୟତରେ ଅନ୍ୟମାନଙ୍କ ସହିତ ଏକାଠି ହୋଇ ଚାଲିବାର କଳା ଶିଖାଇଥାଏ ବୋଲି କହିଛନ୍ତି।

କୁଳପତି ପ୍ରଫେସର ଡକ୍ଟର ସଂଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟକ ଭାବେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଓ ପଦ୍ମଭୂଷଣ ପ୍ରଫେସର ଯୋଗେଶଚନ୍ଦ୍ର ପତି ଯୋଗଦେଇ ଇଷ୍ଟ୍‌ ହ‌େଷ୍ଟଲର ଶତବାର୍ଷିକୀ ଉତ୍ସବ ପାଳନ ଏହାର ପୁରାତନ ଓ ବର୍ତ୍ତମାନର ଅନ୍ତେବାସୀଙ୍କ ସହିତ ଏକ ସଂପର୍କର ସେତୁ ହେବାରେ ସହାୟକ ହୋଇଛି ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓପିଏସ୍‌ସି ଅଧ୍ୟକ୍ଷ ଆଇପିଏସ୍‌ ଡକ୍ଟର ସତ୍ୟଜିତ ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଇଷ୍ଟ୍‌ର ମୁଖପତ୍ର ‘ଜାଗରଣ’କୁ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯିବା ସହିତ ‘ସବୁଜ ସାହିତ୍ୟ ସମିତି’ର ଚିତ୍ର ଓ ପତ୍ରିକା, ଶତବାର୍ଷିକ ଉତ୍ସବର ପୋଷ୍ଟାଲ ଷ୍ଟାମ୍ପକୁ ମଧ୍ୟ ଉପସ୍ଥିତ ଅତିଥି ଉନ୍ମୋଚନ କରିଥିଲେ।

‘ଜାଗରଣ’ର ସଂପାଦକ ଛାତ୍ର ଶୁଭ୍ରଜିତ ସ୍ବାଇଁ ଓ ‘ସବୁଜ ସାହିତ୍ୟ ସମିତି’ର ସଂପାଦକ ସୂରଜିତ ଶତପଥୀ ସେମାନଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ‌ହଷ୍ଟେଲ ୱାର୍ଡେନ ଡକ୍ଟର ଗୁରୁଦେବ ମେହେରଙ୍କ ସହିତ ଶତାଧିକ ପୁରାତନ ଓ ବର୍ତ୍ତମାନର ଅନ୍ତେବାସୀ, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ। ସଭାରେ ଇଷ୍ଟ୍‌ ଆଳୁମ୍‌ନି ଆସୋସିଏସନ୍‌ର ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡକ୍ଟର ସହଦେବ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଆସୋସିଏସନ୍‌ର ସହସଂପାଦକ ପ୍ରତାପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ହଷ୍ଟେଲ ପରିସରରେ ଶତବାର୍ଷିକୀ ସ୍ମୃତିଫଳକ ଉନ୍ମୋଚନ ହୋଇଥିଲା। ଏହାସହ ‘ସ୍ମୃତିର ଷଠିଘର ସ୍ମୃତି ସ୍ତମ୍ଭର ଶିଳାନ୍ୟାସ କରାଯିବା ସହିତ ଏକ ଜ୍ଞାନ ଗଛ ରୋପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe