ମେଡିକାଲ୍ କଲେଜ୍‌ ଦାବି ଜଗତସିଂହପୁର ବନ୍ଦ

ମେଡିକାଲ୍ କଲେଜ୍‌ ଦାବି ଜଗତସିଂହପୁର ବନ୍ଦ

ଜଗତସିଂହପୁର: ଜଗତସିଂହପୁରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା, ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ନକରିବା ଓ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ୍‌ ଘୋଷଣା ଦାବିରେ ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଛି। ୩୦ରୁ ଅଧିକ ସଂଗଠନ ସମେତ ବିରୋଧୀ ବିଜେପି, କଂଗ୍ରେସ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି।

ବନ୍ଦକୁ ସମର୍ଥନ ଜଣାଇ ସ୍ବତଃପ୍ରବୃତ ଭାବେ ଆଜି ସକାଳୁ ଦୋକାନ ବଜାର, ବସ୍ ଚଳାଚଳ, ବ୍ୟାଙ୍କ୍ ଓ କେତେକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଆଇନଜୀବୀ ବାସୁଦେବଙ୍କ ଆବାହକତ୍ବରେ ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ଅବରୋଧ କରିଥିଲେ। ଆୟୋଜିତ ପ୍ରତିବାଦ ସଭାରେ ବାସୁଦେବ କହିଲେ ଯେ, ଜିଲ୍ଲାରେ ଲୋକସଂଖ୍ୟା ପ୍ରାୟ ୧୪ ଲକ୍ଷକୁ ଛୁଇଁଲାଣି। କିନ୍ତୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ନାହିଁ। ଏଠାରେ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ଜରୁରି ହୋଇପଡ଼ିଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଧାରଣାକାରୀମାନେ ଚେତାବନୀ ଦେଇଥିଲେ।

ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚର ଯୁଗ୍ମ ଆବାହକ ହେମନ୍ତ ରଥ ଓ ରଶ୍ମିରଞ୍ଜନ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ସର୍ବେଶ୍ବର ପଣ୍ଡା, ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋୟୀ, ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ଲିଙ୍ଗରାଜ ଲେଙ୍କା, ସମାଜସେବୀ ଭଗବାନ ଦାଶ, ନବନିର୍ମାଣ କୃଷକ ସଂଗଠନର ଦେବୀପ୍ରସାଦ ମହାରଣା, ରୁଦ୍ର ନାରାୟଣ ପ୍ରଧାନ, ବରିଷ୍ଠ ନାଗରିକ ଶ୍ରୀକାନ୍ତ ଚୌଧୁରୀ, ଜଗତସିଂହପୁର ଜିଲ୍ଲା ଗଣସଂଗ୍ରାମ ପରିଷଦ ସମ୍ପାଦକ ପ୍ରମୋଦ ହୋତା, ଏସୟୁସିଆଇ ନେତା ପ୍ରଦୀପ ରାମ, ଆଇନଜୀବୀ ରବି ସ୍ବାଇଁ, ଗଣେଶ୍ବର ମାଣିଆ ପ୍ରମୁଖ ସାମିଲ ହୋଇଥିଲେ। ଏତଦ୍ ବ୍ୟତୀତ ବିଭିନ୍ନ ସାମାଜିକ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ, ଆଇନଜୀବୀ, ସାମ୍ବାଦିକ ଦାବିକୁ ସମର୍ଥନ ଜଣାଇଥିଲେ। ଔଷଧ ଦୋକାନ, ପେଟ୍ରୋଲ୍ ପମ୍ପ୍‌କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଥିଲା। ସେହିପରି ବସ୍ ଓ ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଅନେକ ଯାତ୍ରୀ ହଇରାଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe