ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଚୟନ ଫିକ୍ସିଂ ଘଟଣା: ସେଲ୍ଫ ଫାଇନାନ୍ସିଂ କଲେଜ ପାଇଁ ନାଟ

Advertisment

କଟକର ୩ଟି ଘରୋଇ କଲେଜ ପାଇଁ ଓକିଲାତି, ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ରାଜ୍ୟ ସରକାର

କଟକର ୩ଟି ଘରୋଇ କଲେଜ ପାଇଁ ଓକିଲାତି, ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ରାଜ୍ୟ ସରକାର

ଯୁକ୍ତ୨ ପରୀକ୍ଷା : ମାର୍ଚ୍ଚ ପହିଲା ସୁଦ୍ଧା ପହଞ୍ଚିବ ପ୍ରଶ୍ନପତ୍ର

photo by : traffic-club.info

ଭୁବନେଶ୍ବର: ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଥିବା ନେଇ ଦୁଇ ଦିନ ତଳେ ଯୁକ୍ତ୨ ପରୀକ୍ଷା ପରିଚାଳନା କମିଟିର ଦୁଇ ଜଣ ସଦସ୍ୟ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି ଅଭିଯୋଗ ଆଣିଥିଲେ। ସେମାନଙ୍କ ସମେତ ଆଉ କିଛି ସଦସ୍ୟ ବି ଏଭଳି ଅଭିଯୋଗ କରି ବୈଠକ ଅଧାରୁ ଉଠି ପଳାଇଥିଲେ। ଯାହାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ରାଜ‌ନୈତିକ ଦଳଙ୍କ ସମେତ ଓଡ଼ିଶା ଅଭିଭାବକ ମହାସଂଘ ଏଭଳି ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛି। ଏଭଳି ସମୟରେ ବୈଠକର ଗୁମର ଧୀରେ ଧୀରେ ପଦାକୁ ଆସୁଛି।

ବି‌ଶେଷସୂତ୍ରୁରୁ ଜଣାପଡ଼ିଛି ଯେ ବୈଠକ ଆରମ୍ଭରୁ ହିଁ ସଦସ୍ୟମାନଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। କମିଟିର କେତେଜଣ ସଦସ୍ୟ କଟକ ଜିଲ୍ଲାର ୩ଟି ସେଲ୍ଫ ଫାଇନାନ୍ସିଂ କଲେଜ ପାଇଁ ଓକିଲାତି କରିଥିଲେ। ଗତଥର ଉକ୍ତ କଲେଜଗୁଡ଼ିକର ପରୀକ୍ଷା କେନ୍ଦ୍ର ଯେଉଁ ବେସରକାରୀ କଲେଜରେ ହୋଇଥିଲା ସେଠାରେ ଏଥର ବି କରିବାକୁ ଅଡ଼ି ବସିଥିଲେ। ତେବେ ପରିଷଦ ପକ୍ଷରୁ ଏଭଳି ପ୍ରସ୍ତାବକୁ ଗତ ମାସ ୧୬ ଓ ୧୭ ତାରିଖରେ ବସିଥିବା ପରୀକ୍ଷା ପରିଚାଳନା କମିଟିର ପ୍ରଥମ ବୈଠକରେ ପ୍ରତ୍ୟାଖାନ କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କୁ ବି ଚୂଡ଼ାନ୍ତ ‌ରିପୋର୍ଟ ପଠାଯାଇଥିଲା। ସେଠାରୁ ଅନୁମତି ଆସିବା ପରେ ହିଁ ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି। ତେବେ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ପାଇଁ ଓକିଲାତି କରୁଥିବା ପରୀକ୍ଷା ପରିଚାଳନା କମିଟିର ସଦସ୍ୟମାନେ ବୈଠକରେ ହୋ ହାଲ୍ଲା କରିଥିଲେ। ଯେଉଁଠାରୁ ବିବାଦର ସୂତ୍ରପାତ ହୋଇଥିଲା ଏବଂ ୬ ଜଣ ସଦସ୍ୟ ବୈଠକ ଅଧାରୁ ଉଠି ପଳାଇ ଆସିଥିଲେ।

‘ସମ୍ବାଦ’କୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଯେଉଁ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଲାଗି ସଦସ୍ୟମାନେ ଓକିଲାତି କରିଥିଲେ ସେଥିମଧ୍ୟରୁ ଗୋଟିଏ କଲେଜ ବିରୋଧରେ ସେଠାକାର ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଭଡ଼ା ଘରେ ଚାଲୁଥିବା ଉକ୍ତ କଲେଜ ପ୍ରତିଷ୍ଠା ହେବାର ୫ ବର୍ଷ ଭିତରେ ପ୍ରତିଷ୍ଠିତ ହୋଇଛି। ରାଜନୈତିକ ବ୍ୟକ୍ତିଙ୍କୁ ହାତ କରି ଉକ୍ତ କଲେଜ ସିଟ୍‌ ସଂଖ୍ୟା ବି ବୃଦ୍ଧି କରିଚାଲିଛି। ପରୀକ୍ଷା ସମୟରେ ଉକ୍ତ କଲେଜର ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ଦିଆଯାଉଛି। ଫଳସ୍ବରୂପ କଲେଜର ଗୋଟିଏ ବି ପିଲା ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହେଉ ନାହାନ୍ତି। ସମସ୍ତେ ପ୍ରଥମ ଶ୍ରେଣୀରେ ପାସ୍‌ କରୁଛନ୍ତି। ଏମିତିକି ୬୪ ସିଟ୍‌ରୁ ଆରମ୍ଭ ହୋଇଥିବା ଉକ୍ତ କଲେଜ ମାତ୍ର କିଛି ଦିନ ମଧ୍ୟରେ ସିଟ୍‌ ସଂଖ୍ୟା ୫୦୦ ଟପିଗଲାଣି। ଆହୁରି ଦୁଇଟି କଲେଜ ବି ଇତି ମଧ୍ୟରେ ପ୍ରତିଷ୍ଠା ହୋଇଛି। ତେଣୁ କଲେଜର ଏଭଳି ସଫଳତା ନେଇ ବିଧିବଦ୍ଧ ତଦନ୍ତ କରାଯିବା ସହ ପୂର୍ବରୁ ବେସରକାରୀ କଲେଜରେ ପରୀକ୍ଷା ଦେଉଥିବା ଏହି କଲେଜର ପରୀକ୍ଷା କେନ୍ଦ୍ର ପରିବର୍ତନ କରିବାକୁ ଗ୍ରାମବାସୀମାନେ ଦାବି କରିଥିଲେ।

କଲେଜ ବିରୋଧରେ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି କିଏ ଫିକ୍ସିଂ କରୁଛି। ଏଥିରେ ପରିଷଦ ଅଧିକାରୀଙ୍କ ହାତ ରହୁଛି ନା ରାଜନେତାଙ୍କ ଚାପରେ ପରିଷଦର ଅଧିକାରୀମାନେ ଚେପା ହେଉଛନ୍ତି। ଗତକାଲି ସାମ୍ବାଦିକ ସମ୍ମିଳନୀ କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିବା ଓଡ଼ିଶା ଅଭିଭାବକ ମହାସଂଘ ଆଜି ପୁଣିଥରେ ସ୍ବର ଉଠାଇଛି। ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାର ନିରବ ରହିବା ଠିକ୍‌ ନୁହେଁ। ଆସନ୍ତାକାଲି ସୁଦ୍ଧା ପଦକ୍ଷେପ ନିଆ ନ ଗଲେ ମହାସଂଘ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe