କେନ୍ଦ୍ର ଫୋକସରେ ନେତା ଅଛନ୍ତି, କିନ୍ତୁ ଓଡ଼ିଶା?

Advertisment

ରାଜ୍ୟ ବିଜେପି ସଂଗଠନ ଉପରେ ଏବେ ସମସ୍ତଙ୍କ ନଜର

ରାଜ୍ୟ ବିଜେପି ସଂଗଠନ ଉପରେ ଏବେ ସମସ୍ତଙ୍କ ନଜର

ବିହାରରେ କ୍ଷମତା ବଣ୍ଟନ, ବି‌ଜେପିକୁ ମିଳିଲା ପ୍ରମୁଖ ବିଭାଗ

Freepik

ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିପାରିନି ଦଳ
ଏକାଧିକ ନେତାଙ୍କୁ ନିଯୁକ୍ତି ପଛର କାରଣ ଖୋଜା

ଭୁବନେଶ୍ୱର : ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ଆଶାନୁରୂପକ ପ୍ରଦର୍ଶନ କରିପାରିଲା ନାହିଁ। ପ୍ରାର୍ଥୀ ମାନସ ଦତ୍ତଙ୍କ ପ୍ରତି ଅନୁକମ୍ପା ସତ୍ତ୍ବେ ବିଜେପି ହାତରୁ ଏହି ଆସନକୁ ବିଜେଡି ଛଡାଇ ନେଲା। ଯେଉଁ କୌଶଳ ବାଲେଶ୍ବରରେ ବିଜେଡି ପ୍ରୟୋଗ କରି ସଫଳ ହେଲା, ସେହି ନୀତିରେ ବିଜେପି ତିର୍ତ୍ତୋଲରେ ବି ଫେଲ୍ ମାରିଲା। ଅର୍ଥାତ୍ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଅନୁକମ୍ପା ହାସଲ କଲେ ଓ ପୂର୍ବାପେକ୍ଷା ଅଧିକ ଭୋଟରେ ଜିତିଲେ। ହେଲେ ବିଜେପି ସାଧାରଣ ନିର୍ବାଚନ ତୁଳନାରେ କମ୍ ଭୋଟ ପାଇଲା। ଓଡ଼ିଶା ବିଜେପିର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଉପରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ ହଠାତ୍ ଦଳର କେନ୍ଦ୍ରୀୟ ନେତୃତ୍ବ ରାଜ୍ୟ ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛନ୍ତି। ଦୀର୍ଘ ବର୍ଷ ଧରି ଓଡ଼ିଶା ସଂଗଠନ ଦାୟିତ୍ବରେ ଥିବା ଅରୁଣ ସିଂହଙ୍କୁ ପରିବର୍ତ୍ତନ କରି ଡି. ପୁରନ୍ଦେଶ୍ବରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଛତିଶଗଡ ଦାୟିତ୍ବରେ ବି ରହିବେ।

କେବଳ ସେତିକି ନୁହେଁ, ଦଳ ବିଭିନ୍ନ ରାଜ୍ୟ ପାଇଁ ଯେଉଁ ପ୍ରଭାରୀ ନିଯୁକ୍ତି ଦେଇଛନ୍ତି, ସେଥିରେ ଏକାଧିକ ଓଡ଼ିଶା ନେତାଙ୍କ ନାମ ସ୍ଥାନ ପାଇଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦିଲ୍ଲୀ ଓ ଆସାମର ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କୁ ମଣିପୁର ଦାୟିତ୍ବ ଦିଆଯାଇଛି। କିଛି ଦିନ ତଳେ ସାଂଗଠନିକ ଅଦଳବଦଳ ବେଳେ କେନ୍ଦ୍ରରେ ସଂପାଦକ ଭାବେ ନିଯୁକ୍ତି ପାଇଥିବା ବିଶେଶ୍ବର ଟୁଡୁଙ୍କୁ ବି ମଧ୍ୟପ୍ରଦେଶ ସହ ପ୍ରଭାରୀ ଦାୟିତ୍ବ ଦିଆଯାଇଛି। ଏହା ପୂର୍ବରୁ ସମ୍ବିତ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ମିଳିଥିଲା ଏବଂ ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ରଖିବାରେ ସମର୍ଥ ହୋଇଥିଲେ। ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ରେ ଓଡ଼ିଶାର ଦୁଇ ଦୁଇ ଜଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (କ୍ୟାବିନେଟ୍) ଓ ପ୍ରତାପ ଷଡ଼ଙ୍ଗୀ(ରାଷ୍ଟ୍ରମନ୍ତ୍ରୀ) ବି ଅଛନ୍ତି।

ଏତେ ସବୁ ବିଜେପି ନେତାଙ୍କୁ ଜାତୀୟ ରାଜନୀତିରେ ଗୁରୁତ୍ବ ମିଳିବା ଘଟଣା ରାଜନୈତିକ ମହଲରେ ଆଲୋଚନା ପାଇଁ ବେଶ୍ ଖୋରାକ ଯୋଗାଇଛି। ବିହାରରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ କେନ୍ଦ୍ରୀୟ ନେତୃତ୍ବ ପଶ୍ଚିମବଙ୍ଗ ସରକାରରେ ବସିବା ଲାଗି କସରତ ଆରମ୍ଭ କରିଦେଲେଣି। ଗୋଟିଏ ପକ୍ଷ ବିଶ୍ବାସ କରୁଛନ୍ତି ଯେ ଓଡ଼ିଶା ଉପରେ କେନ୍ଦ୍ରୀୟ ବିଜେପି ନେତା ଆଖି ରଖିଛନ୍ତି, ଏସବୁ ତାର ପୂର୍ବ ପ୍ରସ୍ତୁତି ବୋଲି କୁହାଯାଇପାରେ। ବିଜେପି କେଉଁଠି ନା କେଉଁଠି ଜଣାଇବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫୋକସରେ ଓଡ଼ିଶା ଅଛି। ପଶ୍ଚିମବଙ୍ଗରେ ଦଳ ଯଦିି ସଫଳ ହୁଏ, ତେବେ ଓଡ଼ିଶା ଅଭିଯାନ ଆରମ୍ଭ କରିବ। ଏମିତିରେ ବି ଗତ ସାଧାରଣ ନିର୍ବାଚନରେ ଦଳ ଅଧିକ ଆସନ ଦଖଲ କରିପାରିନଥିଲେ ହେଁ ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି ଓ ପାଖାପାଖି ୧କୋଟି ଭୋଟର ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି। ଏଣୁ ଆଉ ଟିକେ ଉଦ୍ୟମ କଲେ, କ୍ଷମତା ବେଶି ଦୂର ନୁହେଁ। ପୂର୍ବ ଭାରତରେ ବିଜେପି ଦମ୍ ଦେଖାଇବ ବୋଲି ଏକଦା ଯେଉଁ ଆହ୍ବାନ ଦେଇଥିଲା, ତାହା ନିଶ୍ଚିତ ହାସଲ ହୋଇପାରିବ ବୋଲି ଏହି ମହଲ ମତ ରଖୁଛନ୍ତି। ଏମାନଙ୍କର ଅନ୍ୟ ଯୁକ୍ତିଟି ହେଉଛି, କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରେ ଗୁରୁତ୍ବ ଦେବା ଲାଗି ଦଳର ଅନ୍ୟ ଟାଣୁଆ ନେତାଙ୍କୁ ଅନ୍ୟତ୍ର ନିଯୁକ୍ତି ଦିଆଯାଇଛି। ଯାହାଦ୍ବାରା ରାଜ୍ୟ ସଂଗଠନରେ ବିବାଦ ବଢ଼ିବନାହିଁ। ହେଲେ ଆଉ ଗୋଟିଏ ପକ୍ଷ କିନ୍ତୁ କହିବା କଥା, କେନ୍ଦ୍ର ଫୋକସ୍‌ରେ ଓଡ଼ିଶା ଆଦୌ ନାହିଁ। ଅନ୍ୟଥା ଡି. ପୁରନ୍ଦେଶ୍ବରୀଙ୍କୁ ପ୍ରଭାରୀ ଦାୟିତ୍ବ ଦିଆଯାଇନଥାନ୍ତା। ଏକଥା ସତ ଯେ ପୁରନ୍ଦେଶ୍ବରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଟି ରାମାରାଓଙ୍କର ଝିଅ ହୋଇଥିବା କାରଣରୁ, ତାଙ୍କର ଏକ ପ୍ରଭାବ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ରହିବ। ହେଲେ ସେ କଂଗ୍ରେସ ଛାଡି ବିଜେପି ଆସିଛନ୍ତି, ବିଜେପି ତାଙ୍କୁ ଆନ୍ଧ୍ର ରାଜନୀତି ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଆସନ ଦେଇଥିଲେ ହେଁ, ସେ ବିଜେପିର କୋର୍‌ ଟିମ୍‌ ଭିତରେ ନାହାନ୍ତି। ତାଙ୍କୁ ପୁଣି ଦୁଇ ଦୁଇଟି ରାଜ୍ୟ ମିଳିଛି, ଯେମିତି ବୈଜୟନ୍ତଙ୍କୁ। ନିକଟରେ ଏସବୁ ରାଜ୍ୟରେ ନିର୍ବାଚନ ନଥିବା କାରଣରୁ ଏଠାରେ ବିଶେଷ କିଛି ଦଳ କସରତ କରିବାର ନାହିଁ। ଅର୍ଥାତ୍ ଦଳ ସଂଗଠନକୁ କେବଳ ଜଗିବା ଦାୟିତ୍ବ ସେ ତୁଲାଇବେ ବୋଲି ଏହି ପକ୍ଷ ଯୁକ୍ତି ରଖୁଛନ୍ତି।

ଏମାନଙ୍କର ଅନ୍ୟ ମତଟି ବି ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି ପକ୍ଷ କହୁଛନ୍ତି ଯେ କେନ୍ଦ୍ରୀୟ ନେତୃତ୍ବ ଭଲଭାବେ ବୁଝିଛନ୍ତି ଓଡ଼ିଶା ବିଜେପି ନେତାଙ୍କୁ ଯେତେ ଦାୟିତ୍ବ ଓ ଗୁରୁତ୍ବ ମିଳିଲେ ବି ରାଜ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଭିତରେ ହିଁ ସେମାନଙ୍କର ସମସ୍ତ ବୁଦ୍ଧି, ବିଦ୍ୟା ଓ କୌଶଳ ନିବଦ୍ଧ ରହିବ। ବିଜେପି ଗୋଟିଏ ମନରେ ଓଡ଼ିଶାରେ ରହିବାର ଆଶା କମ୍। କେବଳ ପାଟକୁରା ନିର୍ବାଚନ ନୁହେଁ, ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନରେ ବି ସମାନ କଥା ଦେଖିବାକୁ ମିଳିଛି। ଅପରାଜିତାଙ୍କ ଦିଲ୍ଲୀରେ ପତିଆରା ବଢ଼ିଲା ବେଳକୁ ଏଠାରେ ତାଙ୍କର ନିଜ ଅଞ୍ଚଳ ଖୋର୍ଧାରେ ସଭାପତି ପରିବର୍ତ୍ତନ ହୋଇଗଲାଣି। ତିର୍ତ୍ତୋଲକୁ ଥରୁଟିଏ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ପାଇଁ ଆସିଲେନି କି ବିଜେପୁର ଉପନିର୍ବାଚନ ଭଳି ବାଲେଶ୍ବରରେ ବଳ ଲଗାଇଲାନି ବିଜେପି। ଏମିତି ଉଦାହରଣ ତାଲିକା ବେଶ୍ ଲମ୍ବା।

ଏମିତିରେ ବି ରାଜ୍ୟସଭାରେ ସହଯୋଗର ଆବଶ୍ୟକତା ଥିବା କାରଣରୁ କେନ୍ଦ୍ରୀୟ ନେତା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ବି ଅସନ୍ତୁଷ୍ଟ କରିବାକୁ ଚାହୁଁନାହାନ୍ତି। ବିଜେଡି ବି କେନ୍ଦ୍ରୀୟ ନେତାଙ୍କ ସହଯୋଗରେ ରାଜ୍ୟ ବିଜେପି ସଂଗଠନକୁ ଦେଢବର୍ଷ ଭିତରେ ସ୍ଥାଣୁ କରିଦେବାର ସକ୍ଷମ ହୋଇଛି। ଏଭଳି ପରିସ୍ଥିତିରେ ବିଜେପି ଆଗକୁ ବଢ଼ିବ ନା ଛିଡ଼ିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe