ସରକାର, ଅଧିକାରୀଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ

Advertisment

ଚକଡ଼ା, ଚାଷୀ ଆତ୍ମହତ୍ୟା ଘଟଣା

ଚକଡ଼ା, ଚାଷୀ ଆତ୍ମହତ୍ୟା ଘଟଣା

ସରକାର, ଅଧିକାରୀଙ୍କୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ

ବରଗଡ଼/ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରରେ ଅଫିସରଙ୍କ ଉପସ୍ଥିତିରେ ସମୀକ୍ଷା କରିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ କହିଥିଲେ ଯେ ରାଜ୍ୟ ସରକାର ଯେତିକି କରିବା କଥା କରିନାହାନ୍ତି। ପ୍ରଭାବିତ ଅଞ୍ଚଳ ବୁଲିବା ପରେ ଆଜି ଦଳୀୟ ନେତାଙ୍କ ଗହଣରେ ଆଉ ଟିକିଏ ଟାଣ ସ୍ୱରରେ ସମାଲୋଚନା କରି ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଉପୁଜିଥିବା ଚକଡା କ୍ଷତି ଓ ଚାଷୀ ଆତ୍ମହତ୍ୟା ସ୍ଥିତି ପାଇଁ ରାଜ୍ୟ ସରକାର ଓ କୃଷି ଅଧିକାରୀ ହିଁ ଦାୟୀ। କାଗଜ କଲମ ରିପୋର୍ଟରେ ଯେଉଁ ସ୍ଥିତି ସୂଚାଯାଉଛି, ତା ତୁଳନାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର।। କେବଳ ସେତିକି ନୁହେଁ, ସଚେତନ ଅଭାବରୁ ଚକଡାକୁ ସୁହାଉଥିବା କୀଟନାଶକ ଚାଷୀ ବ୍ୟବହାର କରିଛି ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟରେ ଆଜି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏହି ପ୍ରସଙ୍ଗକୁ ନେଇ ପୁଣିଥରେ କଟାକ୍ଷ କରିଛନ୍ତି। ବୃନ୍ଦାଙ୍କ ଘରେ କେନ୍ଦ୍ରମନ୍ତ୍ରୀ ପହଁଚିବା ଘଟଣାକୁ ସେ ହଜମ କରିପାରିନାହାନ୍ତି। ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ବୃନ୍ଦା ସାହୁ କଣ ପାଇଁ ଆତ୍ମହତ୍ୟା କରିଛନ୍ତି, ତାର ତଦନ୍ତ ଚାଲିଛି। ବୃନ୍ଦା ତାଙ୍କର ଦଳୀୟ ଲୋକ ହୋଇଥିବେ ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ପାଦ ତାଙ୍କ ଘରେ ପଡିଲା। ସେ ମୋର ଦଳୀୟ ଲୋକ ନୁହଁନ୍ତି ତେଣୁ ମୁଁ ସେଠାକୁ କାହିଁକି ଯିବି? କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସି ନିଜ ଶାଳୀନତା ଭୁଲିବା ଉଚିତ ନୁହେଁ ବୋଲି ଦାମ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହିତ ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ କାଦୁଅଫିଙ୍ଗା ଓ ରାଜନୀତି ଜୋର ଧରିଛି।

ଆଜି ବରଗଡ଼ରେ ଶ୍ରୀ ଶେଖାଓ୍ଵତ ସ୍ଥାନୀୟ ହୋଟେଲ ରୟାଲ ପ୍ୟାଲେସଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ। ସେ କହିଥିଲେ, ବିଭିନ୍ନ ଅଂଚଳ ବୁଲିବା ପରେ ଉଜୁଡ଼ା ଚାଷର ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଚକଡ଼ା ପୋକ ଲାଗିବା ନୂଆ କଥା ନୁହେଁ। କିନ୍ତୁ ଏଥର ପରିସ୍ଥିତି ବେକାବୁ। କେଉଁ ସ୍ଥିତିରେ କେଉଁ କୀଟନାଶକ ବ୍ୟବହାର କରିବା କଥା, ସେସବୁ ଜିଲ୍ଲାର ୯୯.୯୯ ପ୍ରତିଶତ ଚାଷୀଙ୍କୁ ଜଣାନାହିଁ। ଚାଷୀ ତ୍ରୁଣମୂଳ ସ୍ତରରେ ସଚେତନ ନାହାନ୍ତି। ଏଥିପାଇଁ ଶ୍ରୀ ଶେଖାଓ୍ଵତ କୃଷି ବିଭାଗର କ୍ଷେତ୍ର ଅଧିକାରୀଙ୍କୁ ଦାୟୀ କରିଥିଲେ। ଶ୍ରୀ ଶେଖାଓ୍ଵତ କହିଥିଲେ, ଚାଷୀମାନେ ଅଜାଣତରେ ଥିମେଟ୍‌ ଭଳି କୀଟନାଶକ ବ୍ୟବହାର କରି ଚାଲିଛନ୍ତି। କିନ୍ତୁ ଏବେ କେନ୍ଦ୍ର ଓ ରାଜ୍ୟ ଦୋଷ ଲଦାଲଦି ହେବାର ବେଳ ନୁହେଁ। ସମନ୍ଵୟ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ ଏସ୍‌ଡିଆର୍‌ଏଫ୍‌କୁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଦେଇଥିବା ୩୦୯ କୋଟି ଟଙ୍କା ଚାଷୀଙ୍କ ଖାତାରେ ପଡ଼ିନଥିବାରୁ ସେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କିଛି ଅଂଚଳରେ ସର୍ଭେ ହୋଇନଥିବାରୁ ଚାଷୀମାନେ ଟଙ୍କା ପାଇନାହାନ୍ତି। ନୂଆଦିଲ୍ଲୀ ଫେରିବା ପରେ ଓଡ଼ିଶାର ପ୍ରକୃତ ମରୁଡ଼ି ସ୍ଥିତି ରିପୋର୍ଟ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଦେବେ ବୋଲି ଶ୍ରୀ ଶେଖାଓ୍ଵତ କହିଥିଲେ।
କେନ୍ଦ୍ରମନ୍ତ୍ରୀ କହିଥିଲେ, ସିଆର୍‌ଆର୍‌ଆଇ ବୈଜ୍ଞାନିକମାନେ ଚକଡ଼ା ନିରୋଧୀ ବିହନ ଦୁଇ/ତିନି ବର୍ଷ ମଧ୍ୟରେ ପ୍ରସ୍ତୁତ କରିବେ। ଏହି ଅବଧି ମଧ୍ୟରେ ଚାଷୀଙ୍କୁ ବିହନ ଏବଂ କୀଟନାଶକ ସଂପର୍କରେ ମୋବାଇଲ୍‌ ଆପ୍‌ ଏବଂ ଅନ୍ୟ ଉତ୍ସ ବ୍ୟବହାର କରି ସଚେତନ କରାଯିବାର ଆବଶ୍ୟକତା ଅଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ କନକ ବର୍ଦ୍ଧନ ସିଂ ଦେଓ, ପ୍ରଦୀପ ପୁରୋହିତ, ରବିନାରାୟଣ ନାୟକ, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଂଗୀ, ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂ ଦେଓ, ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ପ୍ରମୁଖ ମଂଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe