ଉଷୁନା ଚାଉଳ ସଂଗ୍ରହରେ କେନ୍ଦ୍ରର ଅନାଗ୍ରହ ପ୍ରସଙ୍ଗ: ଛତିଶଗଡ଼ରେ ବୋନସ୍‌, ଓଡ଼ିଶାରେ ନୀତି ବଦଳୁନି

Advertisment
ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା: ବିଡ଼ିଆ ପାନରେ ବ୍ୟବହୃତ ହେବ ଗୁଆ

The Asian Age

କେସିଙ୍ଗା : କେନ୍ଦ୍ରର ଉଷୁନା ଚାଉଳ ସଂଗ୍ରହ ନୀତିର ମୁକାବିଲା ପାଇଁ ଛତିଶଗଡ଼ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସବୁ ଧାନକୁ ଅରୁଆ ଚାଉଳରେ ପରିଣତ କରିବାକୁ ମିଲିଂ ପାଇଁ ୧୦୦ ଟଙ୍କା ବୋନସ୍‌ ଦେଇ ଚାଉଳ ସଂଗ୍ରହରେ ସଫଳତା ପାଇଛନ୍ତି। ଏଥିସହ ଚାଉଳକୁ ଫ୍ରି ସେଲ୍‌ କରିଦେଇଛନ୍ତି। ହେଲେ ଓଡ଼ିଶା ସରକାର ଏହି ନୀତି ନଆପଣେଇବାରୁ ସବୁଠୁ ଅଧିକ ଧାନ ଉତ୍ପାଦନ କରୁଥିବା ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଚାଷୀ ବେଶ୍ ହଇରାଣ ହେଉଛନ୍ତି।

ଗତ ଖରିଫ ଓ ରବିରେ ରାଜ୍ୟକୁ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର କମ୍‌ ଟାର୍ଗେଟ ଦେଇଥିଲା। ଫଳସ୍ବରୂପ ରବି ଶେଷହୋଇ ପୁଣି ଖରିଫ ବର୍ଷ ଆରମ୍ଭ ହେଲାଣି। ହେଲେ ଗତ ଖରିଫର ଚାଉଳ ସଂଗ୍ରହ ହୋଇ ପାରିନାହିଁ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆଗକୁ ପରିସ୍ଥିତି ଜଟିଳ ହେବ। ଅନ୍ୟପକ୍ଷରେ ଛତିଶଗଡ଼ ସରକାର ନିଜେ ଧାନ ସିଧାସଳଖ କିଣିଥାନ୍ତି। ଉଷୁନା ଚାଉଳ ଟାର୍ଗେଟ କମିଯିବା ପରେ ଆଗରୁ ପଦକ୍ଷେପ ନେଲେଣି। ଯେଉଁ ମିଲର୍ସ ଅରୁଆ ଚାଉଳ ମିଲିଂ କରି ହସ୍ତାନ୍ତର କରିବ, ସେ ମିଲିଂ ବାବଦରେ ରାଜ୍ୟ ସରକାରଙ୍କ ଠାରୁ ଅଧିକ ୧୦୦ ଟଙ୍କାର ବୋନସ ପାଇବ। ଫଳରେ ଅଧିକାଂଶ ମିଲର୍ସ ତାଙ୍କୁ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ ବି ଆଗକୁ ଏଭଳି ଭବିଷ୍ୟତ ଦିଶୁଥିବାରୁ ସେମାନେ ଅରୁଆ ଚାଉଳ ମିଲିଂ କରୁଛନ୍ତି। ପୁଣି ଆନ୍ଧ୍ର ଭଳି ଛତିଶଗଡ଼ ତାର ଧାନ ମିଲିଂ କରି ଚାଉଳ ଦେବାପରେ ମିଲର୍ସ ଯେଉଁଠୁ ବି ଧାନ କିଣି ଫ୍ରି ସେଲ୍‌ କରିପାରିବାର ସୁଯୋଗ ଦେଉଛନ୍ତି।

publive-image Sify.com

ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ବି ବଢ଼ିଲା ଓ ଅର୍ଥନୈତିକ ବିକାଶ ବି ହେଲା। କିନ୍ତୁ ଓଡ଼ିଶାରେ ଧାନସଂଗ୍ରହକୁ ନେଇ ବହୁ ତ୍ରୁଟିପୂର୍ଣ୍ଣ ନୀତି ରହିଛି। ଯାହାର ସିଧାସଳଖ ପ୍ରଭାବ ଚାଷୀ ଉପରେ ପଡୁଛି। ଆଉ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ବିଶେଷକରି, କଳାହାଣ୍ଡି ଜିଲ୍ଲାରେ ଗତ ୧୦ ବର୍ଷ ମଧ୍ୟରେ ଇନ୍ଦ୍ରାବତୀ ନଦୀବନ୍ଧ ଯୋଗୁଁ ଯେଉଁଭଳି ଧାନର ଉତ୍ପାଦନ ବଢ଼ିଛି, ତାକୁ ସରକାର ଠିକ୍‌ ଭାବରେ ପରିଚାଳନା ନକରିବା ଦ୍ୱାରା ଚାଷୀ ହଇରାଣରେ ପଡୁଛନ୍ତି। ଖୋଦ୍‌ ଦୁବାଇ ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ସମୟ ଥିଲା କଳାହାଣ୍ଡିରେ ଚାଷ ପାଇଁ ଚିନ୍ତା ଲାଗିରହୁଥିଲା। କିନ୍ତୁ ଆଜି ସମୟ ଆସିଛି ସେଠାରେ ଏତିକି ଧାନ ଉତ୍ପାଦନ ହେଉଛି ଯେ ତାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଗଲାଣି ବୋଲି ସେ କହିଥିଲେ।

ରାଜ୍ୟରେ ଗତ କିଛି ବର୍ଷ ତଳେ ଛତିଶଗଡ଼ ପ୍ରଣାଳୀରେ ଧାନକିଣା ଆରମ୍ଭ ହେଲା। ସରକାର ସବୁ ଟଙ୍କା ଧାନକିଣା ପାଇଁ ଖଟାଇଲେ। କିନ୍ତୁ ଧାନ ନିଜେ ନରଖି ସବୁ ବ୍ୟବସ୍ଥା ମିଲର୍ସଙ୍କ ଉପରେ ଛାଡ଼ିଦେଲେ। ଫଳରେ ଚାଷୀ ଶୋଷଣର ଶିକାର ହେଉଛି। ଅନ୍ୟପକ୍ଷରେ, ଟାର୍ଗେଟ ବାହାରେ ବଳକା ଧାନକୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ମିଲର୍ସ ଦଲାଲ ସାହାଯ୍ୟରେ ନେଇ ମାଲାମାଲ ହେଉଛନ୍ତି। ଏଥିପାଇଁ ଓଡ଼ିଶା ସରକାର ରାଜସ୍ୱ ହରାଉଥିବା ବେଳେ ଏଠିକାର ଧାନରେ ପଡ଼ୋଶୀ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। କିନ୍ତୁ ଏଠାକାର ସରକାର ଏହା ଉପଲବ୍ଧି କରି ପାରୁନାହାନ୍ତି। ରାଜ୍ୟରେ ଏମ୍‌ଡିଏମ୍‌, ଆଇସିଡିଏସ୍‌, କେନ୍ଦ୍ର ଓ ରାଜ୍ୟର ଯୋଜନାକୁ ଛାଡ଼ି ବଳକା ଚାଉଳକୁ ଅରୁଆ ଚାଉଳ ଭାବରେ ଛତିଶଗଡ଼ ଭଳି ମିଲିଂରେ ବୋନସ୍‌ ଦେଇ ନେବା ପାଇଁ ସରକାର ସୁଯୋଗ ସୃଷ୍ଟି କରିବା ସହ ଫ୍ରି ସେଲ୍‌ ବ୍ୟବସ୍ଥା କଲେ ଆଗକୁ ସଙ୍କଟ ଦୂର ହେବ ବୋଲି ତଥ୍ୟାଭିଜ୍ଞମାନେ ମତପ୍ରକାଶ କରୁଛନ୍ତି। ନହେଲେ ସରକାର ଆଗକୁ ଉଷୁନା ଚାଉଳ ରାଜନୀତିରେ ଛନ୍ଦି ହୋଇଯିବେ ଏବଂ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଛଟପଟ ହେବା ଥୟ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe