କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ : ଆଜି କେନ୍ଦ୍ରୀୟ ଟିମର ପୁରୀ ଓ ଖୋର୍ଦ୍ଧା ପରିଦର୍ଶନ

Advertisment

୧୪ରେ କଟକ, ୧୫ରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ବୁଲିବ ଟିମ୍

୧୪ରେ କଟକ, ୧୫ରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ବୁଲିବ ଟିମ୍

କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ : ଆଜି କେନ୍ଦ୍ରୀୟ ଟିମର ପୁରୀ ଓ ଖୋର୍ଦ୍ଧା ପରିଦର୍ଶନ

ଭୁବନେଶ୍ବର : 'ଫନି' ବାତ୍ୟାରେ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାରେ କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ ସଦସ୍ୟଙ୍କ ଭିତରୁ ୮ଜଣ ସଦସ୍ୟ ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସ୍ଥାନୀୟ ଏକ ହୋଟେଲରେ ରାତ୍ରିଯାପନ କରିଛନ୍ତି। ବାକି ୩ ଜଣ ସଦସ୍ୟ ଭୁବନେଶ୍ବରରେ ଅବସ୍ଥିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦପ୍ତରର ଅଧିକାରୀ ସାମିଲ ଅଛନ୍ତି। ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରୁ ୯ଟା ୧୫ ମିନିଟ ଭିତରେ ସ୍ବତନ୍ତ୍ର ରିଲିଫ କମିସନର ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଅବଗତ କରିବା ପରେ କେନ୍ଦ୍ରୀୟ ଟିମ ଦୁଇଟି ଦଳରେ ଭାଗ ହୋଇ ପୁରୀ ଓ ଖୋର୍ଦ୍ଧା ପରିଦର୍ଶନ କରିବାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। 'ଏ' ଟିମରେ ୫ ଜଣ ସଦସ୍ୟ ଥିବାବେଳେ 'ବି' ଟିମରେ ୬ ଜଣ ସଦସ୍ୟ ଅଛନ୍ତି।

୧୧ ଜଣିଆ ସଦସ୍ୟ ବିଶିଷ୍ଟ ଟିମ 'ଏ'ରେ ଶ୍ରୀ ଭରଦ୍ବାଜଙ୍କ ସମେତ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବିବେକ ଗୋଏଲ, କେନ୍ଦ୍ରୀୟ କୃଷି ବିଭାଗର ମୁଖ୍ୟ ନାରିକେଳ ବିକାଶ ଅଧିକାରୀ ଶରଦିନ୍ଦୁ ଦାସ, କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ରାକେଶ କୁମାର ସାମି ଓ କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁରଜ କୁମାର ପ୍ରଧାନ ସାମିଲ ଅଛନ୍ତି। ଆସନ୍ତାକାଲି ଏହି ୫ ଜଣିଆ ଟିମ ସଦସ୍ୟ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବେ। ସେହିପରି 'ବି' ଟିମରେ ଥିବା ସଦସ୍ୟଙ୍କ ଭିତରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଅଜୟ କୁମାର, କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ଅମରିଶ ପାଲ ସିଂହ, ଭୁବନେଶ୍ବର ସ୍ଥିତ କେନ୍ଦ୍ର ସମବାୟ ଓ କୃଷି ବିଭାଗର ନିର୍ଦ୍ଦେଶକ ବୀରେନ୍ଦ୍ର ସିଂହ, ଭୁବନେଶ୍ବରରେ ଥିବା ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ରାକେଶ କୁମାର, ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ଉପସଚିବ ଏସ.ଏସ ମୋଦୀଙ୍କ ସମେତ କେନ୍ଦ୍ରୀୟ ମତ୍ସ୍ୟ ବିଭାଗର ସହକାରୀ କମିସନର ଏସ.କେ ରଥ ପ୍ରମୁଖ ସାମିଲ ଅଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏସଆରସିଙ୍କଠୁ ଅବଗତ ହେବା ପରେ 'ବି' ଟିମ୍ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରିବ। ସନ୍ଧ୍ୟାରେ ଉଭୟ ଟିମ ଭୁବନେଶ୍ବର ଫେରି ଆସି ରାତ୍ରିଯାପନ କରିବେ। ୧୪ ତାରିଖ ଦିନ 'ଏ' ଟିମ୍ କଟକ ଜିଲ୍ଲା ଗସ୍ତ କରିବା ସହିତ 'ବି' ଟିମ ସଦସ୍ୟ ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ। ପରଦିନ ଅର୍ଥାତ ୧୫ ତାରିଖ ଦିନ କେନ୍ଦ୍ରୀୟ ଟିମର ୧୧ ଜଣିଆ ସଦସ୍ୟ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେହିଦିନ ଅପରାହ୍ନରେ ବାହାରୁ ଆସିଥିବା ସଦସ୍ୟମାନେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe