ଚର୍ଚ୍ଚାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଇସ୍ତଫା: କୁଳପତିଙ୍କ ବିରୋଧରେ ଅଭିଯୋଗ ଲମ୍ବା, ଇସ୍ତଫା ଗୃହୀତ ନକରାଇବାକୁ ବି ସ୍ମାରକପତ୍ର

କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ତାଙ୍କର କାର୍ଯ୍ୟକାଳ ଆହୁରି ଅଢ଼େଇ ବର୍ଷ ବାକି ଥିଲା।

dvdvdv

ଜୟପୁର: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ତାଙ୍କର କାର୍ଯ୍ୟକାଳ ଆହୁରି ଅଢ଼େଇ ବର୍ଷ ବାକି ଥିଲା। କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ କୁଳପତି ଇସ୍ତଫା ଦେଲେ, ସେ ସମ୍ପର୍କରେ ସେ ନିଜେ ମୁହଁ ଖୋଲି ନାହାନ୍ତି। ତେବେ କୁଳପତିଙ୍କ ନାଁରେ କିଛି ସଙ୍ଗିନ୍ ଅଭିଯୋଗ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ୟୁଜିସିରେ ପହଞ୍ଚିବା ପରେ ବିବାଦର ସୂତ୍ରପାତ ହୋଇଥିବା ସୂଚନା ମିଳିଛି। ସେହିପରି ନିଜ କାର୍ଯ୍ୟକାଳ ମଧ୍ୟରେ ବିଶ୍ବବିଦ୍ୟାଳୟର ବିକାଶ ଲାଗି କୁଳପତି ଅନେକ ପଦକ୍ଷେପ ନେଇଥିବାରୁ ଇସ୍ତଫା ଗ୍ରହଣ ନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି କିଛି ଛାତ୍ରଛାତ୍ରୀ। ଏହାକୁ ନେଇ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌ରେ ସରଗରମ ଚର୍ଚ୍ଚା ଚାଲିଛି।

ପୂର୍ବତନ କୁଳପତି ପ୍ରଫେସର ତ୍ରିପାଠୀ  ବିରୋଧରେ ଆସିଥିବା ଅଭିଯୋଗ ଅନୁଯାୟୀ ସେ ନିଜେ ଚୟନ କମିଟିର ଅଧ୍ୟକ୍ଷ ଭାବେ ବିଶ୍ବଭାରତୀର ତାଙ୍କର ୫ ଜଣ ପୂର୍ବତନ ପିଏଚ୍‌ଡି ସ୍କଲାରଙ୍କୁ ଅଧ୍ୟାପକ ଭାବେ ନିଯୁକ୍ତି ଦେଇଥିଲେ। ଏ ସମ୍ପର୍କିତ ଅଭିଯୋଗ ଶିକ୍ଷା ମନ୍ତ୍ରଣାଳୟରେ ପହଞ୍ଚିଛି। ମନ୍ତ୍ରଣାଳୟର ଏକ ଆଭ୍ୟନ୍ତରୀଣ କମିଟି ଏହାର ତଦନ୍ତ କରୁଛି। ଏହି ଘଟଣାଟି ପ୍ରଫେସର ତ୍ରିପାଠୀଙ୍କୁ ଅଡ଼ୁଆରେ ପକାଇ ଦେଇଛି। ଦିଲ୍ଲୀପ ପଟ୍ଟନାୟକ ଓ ପାରୁଲ ଯାଦବଙ୍କୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରଫେସର ତ୍ରିପାଠୀ ଏହି ନିଯୁକ୍ତି ଦେଇଥିବା ବେଳେ ମାମଲା ହାଇକୋର୍ଟରେ ବିଚାରଧୀନ ଅଛି। ବିଶ୍ବଭାରତୀର ଜଣେ ଅବସରପ୍ରାପ୍ତ ପ୍ରଫେସର ସୁଧେନ୍ଦୁ ମଣ୍ଡଳଙ୍କୁ ୬ ମାସର ଚୁକ୍ତିଭିତ୍ତିକ ପ୍ରଶାସନ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୧୨୯ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ କୁଳପତି ତାଙ୍କୁ ଟେଣ୍ଡର ମୂଲ୍ୟାୟନ କମିଟିରେ ସାମିଲ କରିଥିଲେ। ଏହି ପ୍ରକ୍ରିୟାରେ ନିରପେକ୍ଷତା ନଥିବାରୁ ଟେଣ୍ଡର ବାତିଲ କରାଯାଇଥିଲା। ୨୦୨୩ ଅଗଷ୍ଟରେ ସିପିଡବ୍ଲ୍ୟୁଡି ମାଧ୍ୟମରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ ହୋଇଥିଲା। ଆହୁରି ମଧ୍ୟ ଜଣେ ସହକାରୀ ପ୍ରଫେସରଙ୍କର ବିଶ୍ବବିଦ୍ୟାଳୟର ଖର୍ଚ୍ଚରେ ୪ରୁ ଅଧିକ ବିଦେଶ ଗସ୍ତକୁ ଅନୁମୋଦନ କରି ପ୍ରଫେସର ତ୍ରିପାଠୀ ବିବାଦୀୟ ହୋଇ ପଡ଼ିଛନ୍ତି। ଅଧ୍ୟାପକ ପିଛା ପ୍ରତି ତିନି ବର୍ଷରେ ଗୋଟିଏ ବିଦେଶ ଗସ୍ତକୁ ୟୁଜିସି ଅନୁମୋଦନ ଅଛି। ଏହାକୁ ନେଇ ୟୁଜିସିରେ କୁଳପତିଙ୍କ ବିରୋଧରେ ଅଭିଯୋଗ ହୋଇଛି। 

ପ୍ରଫେସର ତ୍ରିପାଠୀଙ୍କ ବିରୋଧରେ ଅନିୟମିତତାର ଆଉ ଏକ ଗୁରୁତର ଅଭିଯୋଗ ବି ଆସିଥିଲା। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସୂଚନା ବୈଜ୍ଞାନିକ ପଦବି ପାଇଁ ପ୍ରଫେସର ତ୍ରିପାଠୀଙ୍କ ପୁଅ ସ୍ବାଗତ ତ୍ରିପାଠୀଙ୍କୁ ୨୦୨୩ ମେ’ ମାସରେ ଲିଖିତ ପରୀକ୍ଷା ପାଇଁ ଚୟନ କରାଯାଇଥିଲା। ଏହି ପରୀକ୍ଷା ପାଇଁ ନିଯୁକ୍ତି ବୋର୍ଡ ନିଜେ ଶ୍ରୀ ତ୍ରିପାଠୀ ଗଠନ କରିଥିଲେ। ଅଭିଯୋଗ ଆସିବା ପରେ ପରୀକ୍ଷା ବାତିଲ କରାଯାଇଥିଲା। ତାଙ୍କ ସମୟରେ ଜିଏଫ୍ଆର୍ ୨୦୧୭କୁ ଉଲ୍ଲଂଘନ କରି ହଷ୍ଟେଲ ଓ ଅତିଥି ଭବନ କ୍ୟାଣ୍ଟିନ ପାଇଁ ମେସ୍ ସେବା ନିମନ୍ତେ ଠିକା ପ୍ରଦାନ କରାଯାଇଥିବାର ଅଭିଯୋଗ ବି ହୋଇଛି। ଏମିତି ଏକାଧିକ ଅଭିଯୋଗକୁ ନେଇ ବିଶ୍ବବିଦ୍ୟାଳୟର କିଛି ଅଧ୍ୟାପକ ଓ ଛାତ୍ରଛାତ୍ରୀ ଲିଖିତ ଭାବେ ଶିକ୍ଷା ମନ୍ତ୍ରଣାଳୟ ଓ ୟୁଜିସିକୁ ଜଣାଇଛନ୍ତି। କୁଳପତି କେବଳ ଅଣଶୈକ୍ଷିକ କାର୍ଯ୍ୟରେ ଲିପ୍ତ ରହି ଶୈକ୍ଷିକ ବାତାବରଣ ନଷ୍ଟ କରୁଥିବାର ସେମାନେ ଅଭିଯୋଗ କରିଛନ୍ତି। 

ଗତ କିଛି ମାସ ହେଲା ଏସବୁ ଅଭିଯୋଗ ନେଇ କ୍ୟାମ୍ପସ୍‌ରେ ଚାପା ଗୁଞ୍ଜରଣ ଚାଲିଥିଲା। କିନ୍ତୁ କୁଳପତି ଅତର୍କିତ ଭାବେ ଇସ୍ତଫା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପ୍ରଫେସର ତ୍ରିପାଠୀଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଫୋନ୍ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରିନି। ପ୍ରଫେସର ତ୍ରିପାଠୀଙ୍କ ସପକ୍ଷରେ ବି ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ବାହାରିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି, କୁଳପତି ପ୍ରଫେସର ଶ୍ରୀ ତ୍ରିପାଠୀ ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମସ୍ତ ରଚନାବଳୀ ହିନ୍ଦୀ ଭାଷାରେ ଅନୁବାଦିତ କରିବା କାର୍ଯ୍ୟ ହାତକୁ ନେବା ପରେ ଏବେ ଛପା କାର୍ଯ୍ୟ ଚାଲିଛି। ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମେତ ବ୍ୟାସକବି ଫକୀରମୋହନ, ସ୍ୱଭାବ କବି ଗଙ୍ଗାଧର ମେହେର, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାବଳୀ ହିନ୍ଦୀ ଓ ଇଂରାଜୀରେ ଭାଷାନ୍ତର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କନ୍ଧମାଳରେ ଆମ୍ବ ଟାକୁଆ ଖାଇ ଗଣ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟ ଗବେଷଣା ଟିମ୍ ପହଞ୍ଚି ଅନୁସନ୍ଧାନ ମୂଳକ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ୧୩ ବର୍ଷ ଧରି ଚାଲିଥିବା ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ପାଠ୍ୟକ୍ରମକୁ ବନ୍ଦ ନକରି ଚାଲୁ ରଖିବାକୁ ଏକ୍‌ଜିକ୍ୟୁଟିଭ୍‌ କାଉନସିଲ୍‌ରେ ଶ୍ରୀ ତ୍ରିପାଠୀ ଯୁକ୍ତି ବାଢ଼ିଥିଲେ ବୋଲି ଛାତ୍ରଛାତ୍ରୀ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe