ପରିବର୍ତ୍ତିତ ବିଶ୍ୱରେ ହିନ୍ଦୀଭାଷାର ପ୍ରାଧାନ୍ୟ ପ୍ରଣିଧାନ ଯୋଗ୍ୟ: କୁଳପତି

Advertisment

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ଵ ହିନ୍ଦୀ ମହୋତ୍ସବ ପାଳିତ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଶ୍ଵ ହିନ୍ଦୀ ମହୋତ୍ସବ ପାଳିତ

ପରିବର୍ତ୍ତିତ ବିଶ୍ୱରେ ହିନ୍ଦୀଭାଷାର ପ୍ରାଧାନ୍ୟ ପ୍ରଣିଧାନ ଯୋଗ୍ୟ: କୁଳପତି

କୋରାପୁଟ: ସ୍ଥାନୀୟ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ଵ ହିନ୍ଦୀ ମହୋତ୍ସବ ପାଳିତ ହୋଇଯାଇଛି। ସମଗ୍ର ବିଶ୍ବରେ ହିନ୍ଦୀର ପ୍ରଚାର, ପ୍ରସାର ଓ ବ୍ୟାପ୍ତି ପାଇଁ ସମ୍ପ୍ରତି ଏଭଳି କାର୍ଯ୍ୟକ୍ରମ ସମଗ୍ର ଦେଶ ତଥା ବିଦେଶରେ ପାଳିତ ହୋଇଆସୁଅଛି। ଗତ ଜାନୁଆରି ୧୦ ତାରିଖରେ ସମଗ୍ର ବିଶ୍ୱବ୍ୟାପୀ ବିଶ୍ଵ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ ବିଶେଷତଃ ହିନ୍ଦୀର ପ୍ରସାର ଓ ବିକାଶ ନେଇ ବେଶ୍ କେତେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଛନ୍ତି। ସେଥିମାଧରେ ‘ହିନ୍ଦୀ ସ୍ଵାକ୍ଷରତା ଅଭିଯାନ’ ଅନ୍ୟତମ ଅଟେ। ସମ୍ପ୍ରତି ହିନ୍ଦୀ ସ୍ଵାକ୍ଷରତା ନେଇ ପ୍ରାରମ୍ଭିକ ସ୍ତରରେ ସମଗ୍ର ବିଶ୍ୱବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟର ପାଞ୍ଚଟି ପୋଷ୍ୟଗ୍ରାମରେ ହିନ୍ଦୀ ସ୍ଵାକ୍ଷରତା ଅଭିଯାନ ନେଇ କାର୍ଯ୍ୟ ତ୍ଵରାନ୍ଵିତ ରହିଛି। ୨୦୨୪ ମସିହାର ବିଶ୍ଵ ହିନ୍ଦୀ ଦିବସର ସ୍ଲୋଗାନ ଥିଲା ‘ହିନ୍ଦୀ ପାରମ୍ପରିକ ଜ୍ଞାନଠାରୁ କୃତ୍ରିମ ବୁଦ୍ଧିମତ୍ତା ପର୍ଯ୍ୟନ୍ତ’। ସେହି ଆଧାରରେ ଅନାନ୍ୟ କାର୍ଯ୍ୟକ୍ରମ ସହିତ ବିଶ୍ୱବିଦ୍ୟାଳୟରେ ଏକ ସ୍ଵତନ୍ତ୍ର ଆଲୋଚନଚକ୍ରର ଆୟୋଜନ କାରାଯାଇଥିଲା।

ଏହାର ଉଦ୍‌ଘାଟନୀ ଅଧିବେଶନର ଅଧ୍ୟକ୍ଷତା କରିଥିଲେ ବିଶ୍ୱବିଦ୍ୟାଳୟ ସମ୍ମାନୀୟ କୁଳପତି ପ୍ର. ଚକ୍ରଧର ତ୍ରିପାଠୀ। ବିଶିଷ୍ଟ ବକ୍ତା ଭାବେ ଯୋଗଦେଇଥିଲେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ, ପ୍ରୟାଗରାଜର ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ପ୍ର. ରାମକିଶୋର ଶର୍ମା ଏବଂ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ପୂର୍ବତନ ଏମ୍ରିଟସ ପ୍ରଫେସର ପ୍ର. ହରିଶଙ୍କର ମିଶ୍ର, ଅନ୍ୟତମ ଅତିଥି ଭାବେ ବିଶ୍ବବିଦ୍ୟାଳୟର ପ୍ରଶାସନିକ ପରାମର୍ଶଦାତା ପ୍ର. ବିଭାଷ ଚନ୍ଦ୍ର ଝା ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଥିଲେ ବିଶ୍ୱବିଦ୍ୟାଳୟର ଭାଷାସମୂହର ଡିନ୍ ଏବଂ ଭାରପ୍ରାପ୍ତ କୁଳସଚିବ ଓ ବିତ୍ତଅଧିକାରୀ ପ୍ର. ନରସିଂହ ଚରଣ ପଣ୍ଡା। ବିଶିଷ୍ଟ ବକ୍ତା ଭାବେ ଯୋଗଦେଇ ପ୍ର. ରାମକିଶୋର ଶର୍ମା ସ୍ଵ ଅନୁଭୂତି ଓ ଉପଲବ୍ଧିରୁ ହିନ୍ଦୀ କେତେ ସଂଘର୍ଷ ଦେଇ ଗତି କରିଛି ଏବଂ ଏବେ ମଧ୍ୟ କରୁଛି ବୋଲି କହିବା ସହିତ ହିନ୍ଦୀର ସାର୍ବଭୌମତ୍ଵ ଓ ସମ୍ପ୍ରସାରନଶୀଳ ପ୍ରବୃତ୍ତିର ମହତ୍ତ୍ଵପୂର୍ଣ୍ଣ ଦିଗଗୁଡ଼ିକୁ ଉଲ୍ଲେଖ କରି ବିଶ୍ବବିଦ୍ୟାଳୟରେ ହିନ୍ଦୀଭାଷା ନେଇ ଚାଲିଥିବା ଅଭିଯାନର ପ୍ରଶଂସା କରିଥିଲେ।

publive-image

ସେହିଭଳି ପ୍ର. ହରିଶଙ୍କର ମିଶ୍ର ହିନ୍ଦୀ ଭାଷା କିପରି ସମଗ୍ର ବିଶ୍ବରେ ତାର ସ୍ଵାତନ୍ତ୍ର୍ୟକୁ ଜାହିର କରିଛି ସେହି ପ୍ରସଙ୍ଗର ଉତ୍ଥାପନ କରିବା ସହିତ ହିନ୍ଦୀର ଆଗାମୀ ଭବିଷ୍ୟତ ସମ୍ପର୍କରେ ସକରାତ୍ମକ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ର. ବିଭାଷ ଚନ୍ଦ୍ର ଝା ହିନ୍ଦୀକୁ ବୈଷୟିକତା ସହିତ ଯୋଡିଧରି ନୂତନ ବୈଜ୍ଞାନିକ କୌଶଳ ସହିତ ଆଗେଇଲେ ଏହାର ବିଶ୍ଵମୁଖୀଭାବ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ସୂଚିତ କରିଥିଲେ। ମୁଖ୍ୟ ସଂଯୋଜକ ଭାବେ ପ୍ର. ନରସିଂହ ଚରଣ ପଣ୍ଡା ମଧ୍ୟ ହିନ୍ଦୀ କିପରି ମଣିଷକୁ ଏକତ୍ରିତ କରିବା ସହିତ ଜାତୀୟତାକୁ ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି ଉଲ୍ଲେଖ କରିଥିଲେ। ଆଲୋଚନଚକ୍ରର ଅଧ୍ୟକ୍ଷତା କରି  ସ୍ଵ ଅଭିଭାଷଣରେ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଚକ୍ରଧର ତ୍ରିପାଠୀ ହିନ୍ଦୀ ଆମକୁ କେବଳ ଭାରତର  ଅଗ୍ରଣୀ ଭାଷା ଦୃଷ୍ଟିରୁ ନୁହେଁ; ସଂସ୍କୃତି ଦୃଷ୍ଟିରୁ ଆମକୁ ସମୃଦ୍ଧ କରିବା ସହିତ ଏକତ୍ରିତ କରିଛି ତଥା ଯାହା ଏକଦା ପ୍ରାଣର ଭାଷା ଭାବେ ଦଣ୍ଡାୟମାନ ହୋଇଥିଲା; ଆଜି ତାହା ଜ୍ଞାନ ଓ ବ୍ୟବସାୟର ଭାଷା ମଧ୍ୟ ହୋଇପାରିଛି। ତା ସହିତ ଏକ ବିକଳ୍ପହୀନ ଭାରତୀୟ ଭାଷାରେ ପରିବର୍ତ୍ତିତ ହୋପାରିଛି ବୋଲି ଉଲ୍ଲେଖ କରିଥିଲେ।

ଆଲୋଚନଚକ୍ରରେ ବିଶ୍ବବିଦ୍ୟାଳୟର ହିନ୍ଦୀ ସ୍ବାକ୍ଷରତା ଅଭିଯାନର ସଂଯୋଜିକା ଡ. ନିର୍ଝରିଣୀ ତ୍ରିପାଠୀ ମଧ୍ୟ ଏହି ଅଭିଯାନର ରୂପରେଖ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଛାତ୍ର-ଛାତ୍ରୀମାନଙ୍କଦ୍ଵାରା ସମବେତ ସଂଗୀତ ପରିବେଷଣ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ରାଷ୍ଟ୍ରୀୟ ସଂଗୀତଦ୍ଵାରା କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା। ଏହି ସମଗ୍ର କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ରାଜଭାଷା ଅନୁଭାଗର ନିର୍ବାହୀ ଅଧିକାରୀ ପ୍ର. ହେମରାଜ ମିନା ପରିଚାଳନା କରିଥିବା ସ୍ଥଳେ ଧନ୍ୟବାଦ ଅର୍ପଣ କରିଥିଲେ ହିନ୍ଦୀ ବିଭାଗର ଅଧ୍ୟକ୍ଷ ଡ. ଚକ୍ରଧର ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe