ସିଇଓ କନ୍‌କ୍ଲେଭ୍‌ ୨୦୨୪: ‘ସ୍ଥାୟିତ୍ବ’ ଉପରେ ଜାତୀୟ ସମ୍ମିଳନୀ ହେଉ

Advertisment

ନଚାଇଲେ ରାଘବ

ନଚାଇଲେ ରାଘବ

ସିଇଓ କନ୍‌କ୍ଲେଭ୍‌ ୨୦୨୪: ‘ସ୍ଥାୟିତ୍ବ’  ଉପରେ ଜାତୀୟ ସମ୍ମିଳନୀ ହେଉ

ଓଡ଼ିଶାର ରାଉରକେଲାରେ ଜନ୍ମ ହୋଇ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ସେଲିବ୍ରିଟି ଗାୟକ ତଥା ବିବିଧ ବାଦ୍ୟଯନ୍ତ୍ରକୁ ଅନାୟାସରେ ବଜାଇ ପାରୁଥିବା ରାଘବ ସଚାର ଥିଲେ ସମ୍ବାଦ ସିଇଓ କନ୍‌କ୍ଲେଭ୍‌ର ଅନ୍ୟତମ ଆକର୍ଷଣ। ନିଜ ସୁନ୍ଦର କଣ୍ଠସ୍ବର ଓ ବାଦ୍ୟଯନ୍ତ୍ର ବଜାଇବାର କଳାକୁ ଚମତ୍କାର ଢଙ୍ଗରେ ପରିବେଷଣ କରି ସେ ‌ଲୋକମାନଙ୍କୁ ରୋମାଞ୍ଚିତ କରିଥିଲେ। କ୍ଲାସିକ୍ ହିନ୍ଦୀ ସିନେମାର ଗୀତଠାରୁ ଆରମ୍ଭ କରି ଆଧୁନିକ ବଲିଉଡ୍‌ ଗୀତ ଏବଂ ତା’ ସହିତ ରିମିକ୍ସ ଆଦି ସେ ପରିବେଷଣ କରିଥିଲେ। ଗୁଲାବି ଆଖେଁ ଜୋ ତେରି ଦେଖେ, ଚଲ୍‌ ଛେଇୟାଁ ଛେଇୟାଁ, ଆଚ୍ଛା ଚଲ୍‌ତା ହୁଁ, ଖୋୟା ଖୋୟା ଚାନ୍ଦ, ଗଲ୍ ମିଠି ମିଠି ବୋଲ୍, କୁଛ୍‌ତୋ ତୁଝ୍‌ସେ ୱାସ୍‌ତା ଭଳି ଗୀତକୁ ସେ ପରିବେଷଣ କରିଥିଲେ। ଗୀତ ଗାଇବା ବେଳେ ବିଭିନ୍ନ ବାଦ୍ୟ ଯନ୍ତ୍ରକୁ ଉଠାଇ ସେ ବଜାଉଥିଲେ ଏବଂ ନିଜ ସହିତ ଲୋକମାନଙ୍କୁ ନଚାଇବାକୁ ବାଧ୍ୟ କରିଦେଇଥିଲେ। ରାଘବ ୩୬ ପ୍ରକାର ବାଦ୍ୟଯନ୍ତ୍ର ବଜାଇ ପାରୁଛନ୍ତି।

ଭୁବନେଶ୍ବର: ସ୍ଥାୟିତ୍ବ ହେଉଛି ବର୍ତ୍ତମାନ ସମୟର ସବୁଠୁ ବଡ଼ ଆହ୍ବାନ। ଏହାକୁ ନେଇ ଗଣମାଧ୍ୟମଗୁଡ଼ିକ ମିଳିତ ଭାବେ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ବିଜ୍ଞାନ ସଂଘ (ଆଇଏଏ) ସମ୍ବର୍ଦ୍ଧନା ସମାରୋହରେ ସାମିଲ ହୋଇଥିବା ବକ୍ତାମାନେ ଆହ୍ବାନ ଦେଇଛନ୍ତି। ଏହି ଅବସ‌ରରେ ଦି ଫ୍ରି ପ୍ରେସ୍‌ ଜର୍ଣ୍ଣାଲ୍‌ ଗ୍ରୁପ୍‌ର ସଭାପତି ଅଭିଷେକ କର୍ଣ୍ଣାନି କହିଛନ୍ତି ଯେ ସମସ୍ତଙ୍କୁ ନିଜ ଏଜେଣ୍ଡାର ଶୀର୍ଷରେ ସ୍ଥାୟିତ୍ବକୁ ସ୍ଥାନିତ କରିବାକୁ ପଡ଼ିବ। ସେଥିପାଇଁ ସମ୍ବଳ ଯୋଗାଡ଼ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ଏସିଆନ୍ ଫେଡେରେସନ୍ ଅଫ୍‌ ଆଡଭର୍ଟାଇଜିଂ ଆସୋସିଏସନ୍‌ର ନିର୍ଦ୍ଦେଶକ (ରଣନୀତି) ରମେଶ ନାରାୟଣ ବିଜ୍ଞାପନଦାତାମାନଙ୍କୁ ସେମାନଙ୍କ ଦକ୍ଷତା ଓ ଗଣମାଧ୍ୟମ ସହିତ ରହିଥିବା ସମ୍ପର୍କକୁ ବ୍ୟବହାର କରି ଭାରତ ସମେତ ସାରା ଦୁନିଆରେ ସ୍ଥାୟିତ୍ବର ଗୁରୁତ୍ବକୁ ପ୍ରସାର କରିବାକୁ ଆହ୍ବାନ ଦେଇଛନ୍ତି। ସାକ୍ଷୀ ଗ୍ରୁପ୍‌ର ରାନି ରେଡ୍ଡି ମଧ୍ୟ ସ୍ଥାୟିତ୍ବ ଉପରେ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଏଥିପାଇଁ ସେ ସମସ୍ତ ଗଣମାଧ୍ୟମକୁ ଏକଜୁଟ୍ ହେବାକୁ କହିଛନ୍ତି।

କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୧୧ ବିଜ୍ଞାପନ ଏଜେନ୍ସିକୁ ସମ୍ବର୍ଦ୍ଧିତ କରାଯାଇଛି। ସେହି ଏଜେନ୍ସିଗୁଡ଼ିକ ହେଉଛି ଫାଷ୍ଟ କମ୍ୟୁନିକେସନ, ଏକ୍ସପୋଜ୍ ଆଡଭର୍ଟାଇଜିଂ, ଡିସ୍‌ପ୍ଲେଲାଇନ୍‌, ଅନିତା ଆଡ୍‌ଭର୍ଟାଇଜର୍ସ, ଷ୍ଟାର୍‌ ଆଡଭର୍ଟାଇଜିଂ, ହେରାଲ୍‌ଡ ଆଡ୍‌ଭର୍ଟାଇଜିଂ, ସଙ୍କେତ କମ୍ୟୁନିକେସନ୍ସ, ଅନ୍ନପୂର୍ଣ୍ଣା ଆଡଭର୍ଟାଇଜିଂ, ନେକ୍ସଟ୍‌ଜେନ୍ ଏଜେନ୍ସି, ପି ଅାଣ୍ଡ ‌ଏ ଆଡ୍‌ଭର୍ଟାଇଜିଂ ଏଜେନ୍ସି ଓ ତାରିଣୀ ଆଡଭର୍ଟାଇଜିଂ ଏଜେନ୍ସି। ଏହି ଅବସରରେ ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ, ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ଏସିଆନ୍ ଫେଡେରେସନ୍ ଅଫ୍‌ ଆଡଭର୍ଟାଇଜିଂ ଆସୋସିଏସନ୍ସର ଅଧ୍ୟକ୍ଷ ଶ୍ରୀନିବାସନ କେ ସ୍ବାମୀ, ମାଡିସନ୍ ୱାର୍ଲଡ୍‌ର ଅଧ୍ୟକ୍ଷ ସାମ୍‌ ବଲ୍‌ସରା ଓ ଏରୋସ୍ ମିଡିଆର ଗ୍ରୁପ୍ ସିଇଓ ପ୍ରଦୀପ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe