ଟିକା ନେବା ପରେ ଅଧଘଣ୍ଟା ନିରୀକ୍ଷଣ, କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

Advertisment

ଟିକା ନେବା ପରେ ଦିଆଯିବ ସାର୍ଟିଫିକେଟ୍‌

ଟିକା ନେବା ପରେ ଦିଆଯିବ ସାର୍ଟିଫିକେଟ୍‌

ପରିବାରକୁ ନୁହେଁ, କେବଳ କୋଭିଡ୍‌ ଯୋଦ୍ଧାଙ୍କୁ ଦିଆଯିବ ଟିକା

ଭୁବନେଶ୍ବର: କରୋନା ଟିକାକରଣ ନେଇ ଗତକାଲି କେନ୍ଦ୍ର ସରକାର ନିର୍ଦେଶାବଳୀ ଜାରି କରିବା ପରେ ରାଜ୍ୟ ସରକାର ଏଥିପାଇଁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩.୨ଲକ୍ଷ ଲୋକଙ୍କୁ ଟିକା ଦିଆଯିବା ଲାଗି ନିଷ୍ପତ୍ତି ହୋଇଛି। ଏଥିରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରାଥମିକତା ଦିଆଯାଇଛି। ତେବେ ଟିକା ନେବା ପରେ ଅଧଘଣ୍ଟା ନିରୀକ୍ଷଣରେ ରହିବାକୁ ପଡ଼ିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଟିକାଦାନ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କେଉଁ କମ୍ପାନିର ଟିକା ଆସିବ ଓ କେବେ ଆସିବ ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଏଥିପାଇଁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି। ଟିକାକରଣ ପାଇଁ ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ୩ଟି କକ୍ଷ ପ୍ରସ୍ତୁତ ହେବ। ପ୍ରତୀକ୍ଷା କକ୍ଷ, ଟିକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ। ଏହିଠାରେ ଅଭିଜ୍ଞ ତଥା ତାଲିମପ୍ରାପ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ଟିକାଦାନ କରିବେ। ଭୋଟଦାନ ଭଳି ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବା ବେଳେ ଟିକାଦାନ ପାଇଁ ଯାଉଥିବା ଲୋକ ପ୍ରଥମେ ପ୍ରତୀକ୍ଷା କକ୍ଷରେ ପହଞ୍ଚିବେ। ସାମାଜିକ ଦୂରତା ରକ୍ଷା କରି ଜଣ ଜଣ କରି ଟିକା ଦିଆଯାଉଥିବା କୋଠରୀକୁ ପ୍ରବେଶ କରିବେ। ଟିକାଦାନ କୋଠରୀରେ ଟିକା ଦେବା ଲାଗି ତାଲିମପ୍ରାପ୍ତ ଏମ୍‌ବିବିଏସ୍‌ କିମ୍ବା ବିଡିଏସ୍ ଡାକ୍ତର, ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଏଲଏଚ୍‌ଭି ରହିବେ। କେନ୍ଦ୍ର ନିର୍ଦେଶନାମା ଅନୁଯାୟୀ ପ୍ରତିଦିନ ୧୦୦ଜଣଙ୍କୁ ଟିକାକରଣ ପାଇଁ ସ୍ଥିର ହୋଇଛି। ଦାୟିତ୍ବରେ ଥିବା ଅଧିକାରୀ ହିତାଧିକାରୀଙ୍କ ପଞ୍ଜୀକରଣ ସ୍ଥିତି ଯାଞ୍ଚ କରିବେ। ଏହାପରେ ଦ୍ବିତୀୟ ଅଧିକାରୀ ଟିକାଦାନ ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରିବେ। ଟିକାଦାନ କେନ୍ଦ୍ରରେ ଯେଭଳି ଗହଳି ନ ହେବ ସେଥିପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯିବ।

କେବଳ ପୂର୍ବରୁ ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ। ଅନ୍ ଦି ସ୍ପଟ୍‌ କୌଣସି ପଞ୍ଜୀକରଣ କରାଯିବ ନାହିଁ। ରାଜ୍ୟରେ ଟିକାକରଣ ପାଇଁ ୨୯,୨୭୬ ସ୍ଥାନ ଚିହ୍ନଟ ହୋଇଛି। ଏଥିପାଇଁ ୮୨୭୬ ଟିକାକର୍ମୀ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ଟିକା ସଂରକ୍ଷିତ ରଖିବା ଲାଗି ୧୨୨୨ କୋଲ୍‌ଡ ଚେନ୍ ପଏଣ୍ଟ ରହିଛି। ଟିକା ନେବା ଆଣିବା ପାଇଁ ୧୭୯୬ ଆଇଏଲଆର, ୧୭୭୧ ଡିପ୍ ଫ୍ରିଜର ରହିଛି। ଏହାସହ ରାଜ୍ୟରେ ଗୋଟିଏ ରାଜ୍ୟସ୍ତରୀୟ, ୯ଟି ଆଞ୍ଚଳିକ ଓ ୩୨ଟି ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ୫ଜଣ କର୍ମଚାରୀ ନିୟୋଜିତ ହେବେ। ଟିକା ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ନିର୍ଦେଶାବଳୀ ଜାରି କରିଛନ୍ତି। ଟିକା ପାଇଁ କୋ-ୱିନ୍ ଆପ୍‌ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କେନ୍ଦ୍ର କହିଛି। ତେବେ ଟିକା ନେବାକୁ ହେଲେ ୧୨ ପ୍ରକାରର ପରିଚୟପତ୍ର ଦେଖାଇବା ଜରୁରୀ ଏଥିରେ ଭୋଟ ପରିଚୟପତ୍ର, ଆଧାର, ଡିଏଲ୍‌ ଭଳି ପରିଚୟପତ୍ର ଦେଖାଇବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe