ଅସନ୍ତୋଷ ପରେ ନରମିଲେ: ପର୍ଯ୍ୟାୟଓ୍ୱାରି କାଟିବେ, ପ୍ରଥମେ ବ୍ୟାବସାୟିକ ସଂସ୍ଥା

Advertisment

ପରୀକ୍ଷା ବେଳେ ସେସୁର ବିଜୁଳି କାଟ ଧମକ ନେଇ ଚିନ୍ତାରେ ଅଭିଭାବକ, ଘେରିଲେ ରାଜନୈତିକ ଦଳ

ପରୀକ୍ଷା ବେଳେ ସେସୁର ବିଜୁଳି କାଟ ଧମକ ନେଇ ଚିନ୍ତାରେ ଅଭିଭାବକ, ଘେରିଲେ ରାଜନୈତିକ ଦଳ

ସେସୁ ଘରୋଇକରଣକୁ ନେଇ ଚିନ୍ତା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌ର ଆନ୍ଦୋଳନ ଡାକରା ୩୦ରେ ଧାରଣା

Telegraph India

ଭୁବନେଶ୍ବର: ବକେୟା ବିଲ୍ ପୈଠ ନ କଲେ, ବିଜୁଳି କାଟ୍ ନେଇ ସେସୁ କର୍ତୃପକ୍ଷଙ୍କ ଘୋଷଣା ଏବେ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି। ପ୍ରଥମେ କଂଗ୍ରେସ ଓ ପରେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ େଘରିଲେଣି। ଏବେ ପରୀକ୍ଷା ଋତୁ ଆରମ୍ଭ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ସେସୁ କର୍ତୃପକ୍ଷ ଏଭଳି ଏକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବାକୁ ଚାହୁଁଛନ୍ତି ସେ ନେଇ ଗାଁ ଗଣ୍ଡାରେ ଦେଖାଦେଇଥିବା ଅସନ୍ତୋଷ ଏବେ ରାଜନୈତିକ ଦଳ ପାଇଁ ସମ୍ବଳ ପାଲଟିଛି। ଉଭୟ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ଆରମ୍ଭ କଲେଣି। ଏପଟେ ଆଜି ହଠାତ୍ ସେସୁ କର୍ତୃପକ୍ଷ ତାଙ୍କ ଗରମ ମନୋଭାବରେ ପରିବର୍ତନ ଆଣି ଅପେକ୍ଷାକୃତ ନରମ ହୋଇଛନ୍ତି। କହିଛନ୍ତି ଯେ ବିଲ୍ ବାକି ରଖିଥିବା ବାଣିଜ୍ୟିକ ସଂସ୍ଥାରୁ ଆଗ ବିଦ୍ୟୁତ କାଟ୍ ହେବ। ହେଲେ ଯେଉଁ ଅଧିକାରୀଙ୍କ ପାଇଁ ସେସୁ ଦୁର୍ବଳ ସ୍ଥିତିକୁ ଚାଲିଆସିଲା, ଲୋକେ ଠିକ୍ ସମୟରେ ବିଲ୍ ପାଇପାରିଲେ ନାହିଁ, ତାଙ୍କ ବିରୋଧରେ କର୍ତୃପକ୍ଷ କାହିଁକି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି, ତାହା ବଡ଼ ପ୍ରଶ୍ନ ଭାବେ ଉଭା ହେଲାଣି।

ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ପରୀକ୍ଷା ନିରୀକ୍ଷା ଓ ଦୁର୍ବଳ ପରିଚାଳନା କାରଣରୁ ସେସୁ ଅନ୍ତର୍ଗତ ପ୍ରାୟ ୨୮ଲକ୍ଷ ଉପଭୋକ୍ତା ଉନ୍ନତ ମାନର ବିଜୁଳି ସେବା ଏଯାଏ ପାଇପାରୁନାହାନ୍ତି। ନା ସବୁ ଲୋକଙ୍କ ଘରେ ସେସୁ ମିଟର ଲଗାଇ ପାରିଛି ନା କର୍ତୃପକ୍ଷ ପ୍ରତି ମାସରେ ଯାଇ ବିଦ୍ୟୁତ ଆଦାୟ କରିବା ସ୍ଥିତିରେ ଅଛନ୍ତି। ସ୍ଥିତି ଏତେ ଗୁରୁତର ଯେ ସବୁ ଗ୍ରାହକଙ୍କୁ ମାସିକ ବିଦ୍ୟୁତ ବିଲ୍ ଦେବା ସ୍ଥିତିରେ ନାହିଁ ସଂସ୍ଥା। ଗୁଣାତ୍ମକମାନର ବିଦ୍ୟୁତ କଥା ନ କହିବା ଭଲ। ଠିକ୍ ଏମିତି ସ୍ଥିତିରେ ସେସୁ ଦାୟିତ୍ବ ନେବା ପରେ ଅରୁଣ ବୋଥ୍ରା ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ଆଗ ଉପଭୋକ୍ତାଙ୍କ ଉପରେ ଚଢଉ ଆରମ୍ଭ କରିଛନ୍ତି। ଶ୍ରୀ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଥିଲେ ଯେ ଜାନୁଆରି ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍ ନ େଦଲେ ୧୬ ତାରିଖରୁ ସଂଯୋଗ ବିଚ୍ଛିନ୍ନ କରାଯିବ। ବିକ୍ରି ହେବା ପୂର୍ବରୁ କର୍ତୃପକ୍ଷ ହଠାତ୍ ଚେଇଁ ଉଠିବା ନେଇ ଅନେକ ପ୍ରଶ୍ନ ଉଠାଇଲେଣି। ସମାନ୍ତରାଳ ଭାବେ ସାଧାରଣରେ ବି ସରକାର ବିରୋଧରେ ଅସନ୍ତୋଷକୁ ଏହା ବଢାଇ ଦେଇଛି। ଉପଭୋକ୍ତାଙ୍କ ମାନସିକତାକୁ ଲକ୍ଷ୍ୟ ରଖି ପ୍ରଥମେ କଂଗ୍ରେସ ଓ ପରେ ଏବେ ବିଜେପି ସେସୁକୁ ଘେରିବା ଆରମ୍ଭ କରିଛନ୍ତି।

publive-image

ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଝିଣ୍ଟିକା ମାରିକି ବଣି ପୋଷିବା ନିତିରେ ରାଜ୍ୟ ସରକାର ଗରିବ ଖଟିକିଆଙ୍କ ପେଟକୁ ଲାତ ମାରୁଛନ୍ତି। ଗ୍ରିଡ୍‌କୋର ବକେୟା ୭,୬୫୭କୋଟି ଟଙ୍କା କେଉଁ କମ୍ପାନି ଦେଇନାହାନ୍ତି, କାହା ପାଖରେ କେତେ ବକେୟା ଅଛି ରାଜ୍ୟ ସରକାର ପ୍ରଥମେ ତାହାକୁ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ। ବଡ ବଡ କମ୍ପାନି ମାନଙ୍କଠାରୁ ବକେୟା ଟଙ୍କା ଆଦାୟ ନକରି ଗାଁ ଗହଳିର ଗରିବ ଖଟିକିଆ ମଜୁରିଆଙ୍କୁ ବିଜୁଳି କାଟର ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ, ଅଗଣତାନ୍ତ୍ରିକ ଏବଂ ଜନହିତରେ ନୁହେଁ ବୋଲି ବିଜେପି କହିଛି। ଦଳ ଆଜି ଯୁକ୍ତି କରିଛି ଯେ କମ୍‌ ଦରରେ ୨୪ ଘଣ୍ଟିଆ ସ୍ଥିର ବିଜୁଳି ଯୋଗାଇ ଦେବା ହେଉଛି ରାଜ୍ୟ ସରକାରଙ୍କର ଦାୟିତ୍ୱ। ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ ବୋଲି ଦାବି କରୁଥିବା ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଆଗକୁ ମାଟ୍ରିକ୍ ପରୀକ୍ଷା ରହିଛି ଓ ଯୁକ୍ତ ଦୁଇ ପରୀକ୍ଷା ବି। ବିଭିନ୍ନ ଶ୍ରେଣୀର ବାର୍ଷିକ ପରୀକ୍ଷା କାରଣରୁ ଛାତ୍ରଛାତ୍ରୀମାନେ ଗାଁ ଗହଳିରେ ପାଠପଢା ଆରମ୍ଭ କରିସାରିଲେଣି। ଠିକ୍ ଏମିତି ସମୟରେ ସେସୁ କର୍ତୃପକ୍ଷଙ୍କ ୧୧ ହଜାର ୫୦୦ ଗାଁକୁ ବିଜୁଳି କାଟ ଧମକ, ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଥିବା ଲେଖାଶ୍ରୀ ଅଭିଯୋଗ ଆଣିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ। ପରେ ଆଜି ସନ୍ଧ୍ୟାରେ ସେସୁ କର୍ତୃପକ୍ଷ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଡିସେମ୍ବର ୧୨ ତାରିଖ ଦିନ ଘୋଷଣା ହୋଇଥିଲା ଯେ ବକେୟା ବିଦ୍ୟୁତ ବିଲ୍ ବାବଦ ଅର୍ଥ ପୈଠ ନ କଲେ ଜାନୁଆରି ୧୬ ତାରିଖରୁ ବିଦ୍ୟୁତ କାଟ୍ ଅଭିଯାନ ଆରମ୍ଭ ହେବ। ନଭେମ୍ବର ଶେଷ ସୁଦ୍ଧା ୭ଲକ୍ଷ ଉପଭୋକ୍ତା ୧୯୭୧ କୋଟି ଟଙ୍କା ବାକି ରଖିଥିବା ପରିପ୍ରେକ୍ଷୀରେ ଏଭଳି ଘୋଷଣା ହୋଇଥିଲା।

ଇତିମଧ୍ୟରେ ୧ଲକ୍ଷ ଉପଭୋକ୍ତା ତାଙ୍କ ବକେୟା ଅର୍ଥ ଦେଇଛନ୍ତି। ଅନେକ ଉପଭୋକ୍ତା ଅଧିକ ସମୟ ଲୋଡିଛନ୍ତି। ବହୁ ଉପଭୋକ୍ତା ବିଲ୍‌ ସହିତ ଯୋଡି ହୋଇରହିଥିବା ବିବାଦ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ତ୍ରୁଟି ସଂଶୋଧନ ପରେ ଦେୟ ପୈଠ କରିବେ ବୋଲି କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେସୁ କର୍ତୃପକ୍ଷ ବିଜୁଳି ସଂଯୋଗ ବିଚ୍ଛିନ୍ନ ଅଭିଯାନକୁ ପର୍ଯ୍ୟାୟଵାରି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଖିଲାପି ବାଣିଜ୍ୟିକ ବା ବ୍ୟାବସାୟିକ ସଂସ୍ଥାଙ୍କ ଠାରୁ ଅଭିଯାନ ଆରମ୍ଭ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଧନୀକ ଶ୍ରେଣୀର ଉପଭୋକ୍ତା, ଯେଉଁମାନେ କି ବହୁତ ଅଧିକ ଟଙ୍କା ବକେୟା ରଖିଛନ୍ତି, ସେମାନଙ୍କ ଘରେ ପହଞ୍ଚିବେ ଟିମ୍। ଯେଉଁମାନଙ୍କ ଘରେ ଫ୍ରିଜ୍, ଚାରିଚକିଆ ଯାନ ଓ ବହୁତଳ ବିଶିଷ୍ଟ କୋଠାରେ ରହୁଥିବେ, ଆୟକର ଦେଉଥିବେ, ସେଭଳି ଉପଭୋକ୍ତାଙ୍କୁ ବି ଏହି ପର୍ଯ୍ୟାୟରେ ସାମିଲ କରାଯିବ। ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କ ଘରେ ସେସୁ ପହଞ୍ଚିବ, ଯେଉଁମାନେ ବର୍ଷ ବର୍ଷ ଧରି ଦେୟ ପୈଠ କରୁନାହାନ୍ତି। ଏହି ପର୍ଯ୍ୟାୟରେ ଅନ୍ୟ ସାଧାରଣ ଉପଭୋକ୍ତା ବି ସାମିଲ ହେବେ ବୋଲି ସେସୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe