ଅସହାୟ ପ୍ରବାସୀଙ୍କ ମୁହଁରେ ହସ ଫୁଟଉଛନ୍ତି ଚାଚା: ଭୋକିଲାକୁ ଦେଇଚାଲିଛନ୍ତି ଦାନା, ତୃଷାର୍ତ୍ତକୁ ପାଣି

Advertisment
ଅସହାୟ ପ୍ରବାସୀଙ୍କ ମୁହଁରେ ହସ ଫୁଟଉଛନ୍ତି ଚାଚା: ଭୋକିଲାକୁ ଦେଇଚାଲିଛନ୍ତି ଦାନା, ତୃଷାର୍ତ୍ତକୁ ପାଣି

ବାରିପଦା: ହଠାତ୍ ଦିନେ ରାତିରେ ରାସ୍ତାରେ ଆସୁଥିବାବେଳେ ଦେଖିଲେ ପାଣି ଟିକେ ପାଇଁ ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀମାନେ ନାହିଁନଥିବା ହଇରାଣ ହେଉଛନ୍ତି। ବିକଳ ହୋଇ ପାଣି ଖୋଜୁଛନ୍ତି। ଯେହେତୁ ସେମାନେ ବାହାର ରାଜ୍ୟରୁ ଆସୁଛନ୍ତି ତେଣୁ ସ୍ବାଭାବିକ ଭାବେ ସେମାନଙ୍କୁ ସହଯୋଗ କରିବାକୁ ସାଧାରଣରେ କୁଣ୍ଠା ପ୍ରକାଶ ପାଉଛି। ତେଣୁ ସେହି ସମୟରୁ ହିଁ ତାଙ୍କ ମନରେ ଆସିଲା କି ଯେତେଦିନ ପର୍ଯ୍ୟନ୍ତ ଏମିତି ପ୍ରବାସୀମାନଙ୍କ ଯିବାଆସିବା ଲାଗିରହିଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କ ସାଧ୍ୟ ମୁତାବକ ଭୋକିଲାଙ୍କୁ ଖାଦ୍ୟ ଓ ତୃଷାର୍ତ୍ତଙ୍କୁ ପାଣି ଯୋଗାଇବେ।

ଆଉ ପ୍ରାୟ ସପ୍ତାହେରୁ ଅଧିକ ହେବ ବିନା କୌଣସି ପ୍ରଚାର ପ୍ରସାରରେ ଜାରି ରଖିଛନ୍ତି ଏହି ମହତ କାର୍ଯ୍ୟ। ଅନାମିକ ଭାବେ ଏହି କାର୍ଯ୍ୟ କରିଚାଲିଥିବା ବ୍ୟକ୍ତି ହେଉଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ମୁରାରୀ ଶର୍ମା ତଥା ସମସ୍ତଙ୍କର ପ୍ରିୟ ଚାଚା। ସ୍ଥାନୀୟ ଗୁରୁଦ୍ବାର କମିଟି ପକ୍ଷରୁ ଏହି କାର୍ଯ୍ୟରେ ତାଙ୍କୁ ନିରବଚ୍ଛିନ୍ନ ସହଯୋଗ ଜାରି ରଖିଛନ୍ତି।

ଶିଖ୍ ସମ୍ପ୍ରଦାୟର ଭାଇମାନେ ଏହି କାର୍ଯ୍ୟରେ ନିଜକୁ ମନପ୍ରାଣ ଦେଇ ନିୟୋଜିତ କରିଥିବା ଚାଚା ପ୍ରକାଶ କରିଛନ୍ତି। ସେହିପରି ତାଙ୍କ ପରିବାର ମଧ୍ୟ ଏହି କାର୍ଯ୍ୟରେ ତାଙ୍କୁ ସମର୍ଥନ ଏବଂ ସହ‌ୋଗ କରୁଛନ୍ତି। ଏନେଇ ଯେତେବେଳେ ଆମେ ତାଙ୍କୁ ପଚାରିଥିଲୁ ତାଙ୍କ ନାମ ଖବରକାଗଜରେ ମଧ୍ୟ ପ୍ରକାଶ ନକରିବାକୁ ଅତ୍ୟନ୍ତ ବିନୟ ଭାବେ କହିଥିଲେ। ଜୀବନରେ ଅର୍ଥ ତ’ ବହୁତ ଆସିବ। ମାତ୍ର ବିପଦ ସମୟରେ ସହଯୋଗ ଆବଶ୍ୟକ କରୁଥିବା ଲୋକଙ୍କୁ ସେବା କରିବାର ସ‌ୁଯୋଗ ସବୁବେଳେ ଆସେନାହିଁ। ତେଣୁ କରୋନା ଭଳି ମହାମାରୀ ସମୟରେ ନିଜ ଜନ୍ମମାଟିକୁ ଫେରିବାକୁ ବ୍ୟାକୁଳ ଥିବା ପ୍ରବାସୀ ଭାଇମାନଙ୍କ ପାଇଁ ଯଦି କିଛି କରାଯାଇପାରିଲା ତେବେ ଏହା ଆନନ୍ଦର ବିଷୟ ବୋଲି ଚାଚା ପ୍ରକାଶ କରିଛନ୍ତି।

ଏହି ଅବସରରେ ସକାଳ ୮ରୁ ସାଢ଼େ ୮ଟା ଭିତରେ ପ୍ରବାସୀମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଉଛି। ମଧ୍ୟାହ୍ନରେ ଖେଚୁଡ଼ି ଓ ସନ୍ଧ୍ୟାରେ ପୁରୀ ତରକାରୀ ପ୍ରଦାନ କରାଯାଉଛି। ଆଉ ଦିନର ସବୁ ସମୟରେ ଜାତୀୟ ରାଜପଥରେ ଯାଉଥିବା ପ୍ରବାସୀମାନଙ୍କ ପାଇଁ ପାଣି ଯୋଗାଯାଉଛି। ଯେତେଦିନ ପର୍ଯ୍ୟନ୍ତ ଏମିତି ପ୍ରବାସୀମାନଙ୍କ ଯିବାଆସିବା ଚାଲିଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କ ସାଧ୍ୟମତେ ଏହି କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟରେ ଅନେକ ଜନପ୍ରତିନିଧି ମଧ୍ୟ ସାମିଲ ହେଉଥିବାରୁ ସେ ବେଶ୍ ଖୁସି ପ୍ରକଟ କରିଛନ୍ତି। ଚାଚା’ଙ୍କ ନିକଟକୁ କୌଣସି ସହଯୋଗ ପାଇଁ ଯାଉଥିବା କେହି ବି ଖାଲି ହାତରେ ଫେରନ୍ତିନି ବୋଲି ସାଧାରଣରେ ଆଲୋଚନା ହୁଏ। ଆଉ କରୋନା ସମୟରେ ନିଜ ପାଣ୍ଠିରୁ ଏପରି ଅନାମିକ ଭାବେ ସାହାଯ୍ୟ କରିବା ଏହି କଥାକୁ ପ୍ରମାଣିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe