ସରିଲା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ: ଦଶଲକ୍ଷ୍ମୀଙ୍କୁ ଦର୍ଶନ କଲେ ସହସ୍ରାଧିକ ଶ୍ରଦ୍ଧାଳୁ

Advertisment
ସରିଲା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ: ଦଶଲକ୍ଷ୍ମୀଙ୍କୁ ଦର୍ଶନ କଲେ ସହସ୍ରାଧିକ ଶ୍ରଦ୍ଧାଳୁ

ଭୋଗରାଇ/ଚନ୍ଦନେଶ୍ବର/ଚନ୍ଦନେଶ୍ବର-୧: ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଚନ୍ଦନେଶ୍ବର ମହାଦେବଙ୍କ ବିଶ୍ବ ପ୍ରସିଦ୍ଧ ଚଡ଼କ ମେଳା ବୁଧବାର ଉଦଯାପିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ନିୟମ ମାନି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦୀର୍ଘ ୧୨ଦିନ ଧରି ଚାଲିଥିବା ଏହି ଚଡ଼କ ପର୍ବ ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି।

ଶନିବାର ଶିବ କାମିନୀଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ମଙ୍ଗଳବାର ପୀଠରେ ପବିତ୍ର ମହା ନୀଳପର୍ବ ଅନୁଷ୍ଠିତ ହୋଇଥିଲା। ବୁଧବାର ଅନ୍ତିମ ଦିବସରେ ପ୍ରଭୁଙ୍କ ପାଟୋତ୍ସବ କେବଳ ବିଧି ମୁତାବକ ପାଳିତ ହୋଇଥିବା ଦେଖିବାକୁ ମିଳିଛି।

ଅପରାହ୍ନରେ ଶ୍ରୀଜିଉଙ୍କ ମୁଖ୍ୟ ସେବାୟତ ମୌରସୀ ତପନ କୁମାର ପଣ୍ଡା, ସେବାୟତ ସଂଘର ଉପଦେଷ୍ଟା ବୁଦ୍ଧଦେବ ପଣ୍ଡା, ପାଟଭକ୍ତା ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକେଡ଼ି ନିରଞ୍ଜନ ଲେଙ୍କା, ଗୋପାଳ ଚନ୍ଦ୍ର ଲେଙ୍କା, ଦେଉଳିଆ ଅସିତ୍ ପାତ୍ର, ହେମନ୍ତ ରାଉଳଙ୍କ ସମେତ ମାଳାକାର, ନାପିତ, ବାଦ୍ୟକାର ଓ ସମସ୍ତ ସେବାୟତ ସ୍ଥାନୀୟ ହୁଗୁଳି ପଞ୍ଚାୟତର ବାଡ଼ସରିଷା ଗାଁରେ ଥିବା ପ୍ରଭୁ ଚନ୍ଦନେଶ୍ବରଙ୍କ ହାକାଣ୍ଡ ପୋଖରୀ ନିକଟରେ ପହଞ୍ଚିଥିଲେ। ସେଠାରେ ମାନସିକଧାରୀ ଦେହରେ କଣ୍ଟା ଫୋଡ଼ିବା ସହ ଶିବଦୁର୍ଗାଙ୍କ ପ୍ରତିଭୂ ଘଟ ମୁଣ୍ଡାଇ ପରସ୍ପରଙ୍କୁ ମାଳ ଚନ୍ଦନ ଲଗାଇ ବାଦ୍ୟର ତାଳେ ତାଳେ ନାଚି ନାଚି ଆସି ମନ୍ଦିରରେ ପହଞ୍ଚିଥିଲେ। ସେବାୟତ ଓ ଭକ୍ତମାନେ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ଶେଷଅର୍ଘ୍ୟ ପ୍ରଦାନ କରା ଯାଇଥିଲା। ଏ ଅବସରରେ ପ୍ରତିଭୂ ଘଟ ତଥା ଦଶଲକ୍ଷ୍ମୀଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଆସନ୍ତାକାଲି ପୀଠରେ ପଣାସଂକ୍ରାନ୍ତି ପାଳନ କରାଯିବ।

ଉଦଯାପନୀ ଉତ୍ସବରେ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ବରିଷ୍ଠ ସେବାୟତ ଗଣେଶଲାଲ ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ହୁଗୁଳି ସରପଞ୍ଚ ସୁଷମା ପଣ୍ଡା, ସମିତି ସଭ୍ୟ ଗୋବିନ୍ଦ ଦାସ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଚାନ୍ଦ, ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଣପତି ଗିରି, ତାଳସାରି ଥାନା ଅଧିକାରିଣୀ ସୁଜାତା ମଲ୍ଲିକ, ଚନ୍ଦନେଶ୍ବର ଫାଣ୍ଡି ଅଧିକାରୀ ବିଶ୍ବନାଥ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe