Navbharat Times
ସମ୍ବଲପୁର/ବୁର୍ଲା: ସମ୍ବଲପୁରରେ ପୁଣି ମାତିଲେଣି ଚେନ୍ ଲୁଟେରା। ଏହି ଗ୍ୟାଙ୍ଗ ଗୁରୁବାର ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବା ଆତଙ୍କ ଖେଳାଇ ଦେଇଛି। ତିନିଟି ଯାକ ଘଟଣା ଯଥାକ୍ରମେ ବଲେରପଡ଼ା, ଝାଡ଼ୁଆପଡ଼ା ଓ ଦଳେଇପଡ଼ା ଅଞ୍ଚଳରେ ଘଟିଛି। ଗୁରୁବାର ସଂଧ୍ୟା ୬ଟା ବେଳେ ଦୁଇ ଜଣ ମହିଳା ଜ୍ୟୋତିବିହାରରୁ ପ୍ଲାନେଟାରିୟମ୍ ଅଭିମୁଖେ ଚାଲିଚାଲି ଯାଉଥିବା ବେଳେ ବଲେରପଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ଏକ ନୀଳ ରଂଗର ପଲ୍ସର ଗାଡ଼ିରେ ଆସି ଜଣେ ମହିଳା ବେକରେ ପିନ୍ଧିଥିବା ସୁନା ଚେନ୍ ଟାଣି ନେଇ ଫେରାର ହୋଇ ଯାଇଥିଲେ। ଲୁଟ୍ ବେଳେ ଚେନ୍ଟି ଛିଣ୍ଡି ଯାଇ କିଛି ଅଂଶ ରାସ୍ତାରେ ପଡ଼ି ଯାଇଥିବାବେଳେ ବାକି ଅଂଶ ନେଇ ସେମାନେ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ।
ସେହିପରି ସଂଧ୍ୟା ୬ଟା ୫୦ ବେଳେ ନନ୍ଦପଡ଼ାର କଲ୍ୟାଣୀ ନନ୍ଦ (୬୨) ନିଜର ଜଣେ ବାନ୍ଧବୀ ବ୍ରଜେଶ୍ବରୀଙ୍କ ସହ ଚାଲିଚାଲି ଯାଇ ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ଗଳି ସମ୍ମୁଖ ରିଂ ରୋଡ୍ରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେହି ପାଖରେ ଦୁଇ ଜଣ ଯୁବକ ଗୋଟିଏ ମୋଟର୍ ସାଇକଲ୍ ଧରି ଛିଡ଼ା ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆସି କଲ୍ୟାଣୀଙ୍କ ବେକରୁ ୧ ଭରି ଓଜନର ସୁନା ଚେନ୍ ଟାଣି ନେଇ ମୋଟର ସାଇକଲ୍ରେ ଦ୍ରୁତ ଗତିରେ କଚେରି ଛକ ଅଭିମୁଖେ ଫେରାର ହୋଇ ଯାଇଥିଲେ।
ଏହି ଘଟଣାର ଠିକ୍ ଘଣ୍ଟାଏ ପରେ ସଂଧ୍ୟା ୭ଟା ୫୦ରେ ଦଳେଇପଡ଼ାର ସଂଯୁକ୍ତ ବିଶି (୫୮) ଝିଅ ଶ୍ବେତା ବିଶିଙ୍କ ସହ ରିଂ ରୋଡ୍ ଅଞ୍ଚଳକୁ ସାଂଧ୍ୟ ଭ୍ରମଣ ପାଇଁ ବାହାରିଥିଲେ। ଡିଆଇଜିଙ୍କ ଆବାସ ପଛପଟେ ରିଂ ରୋଡ୍ରେ ଛିଡ଼ା ହୋଇଥିଲାବେଳେ କଚେରି ଛକ ପାର୍ଶ୍ବରୁ ଦୁଇ ଦୁର୍ବୃତ୍ତ ମୋଟର୍ ସାଇକଲ୍ରେ ଆସି ସଂଯୁକ୍ତାଙ୍କ ବେକରୁ ୨ ଭରି ଓଜନର ସୁନା ଚେନ୍ ଟାଣି ନେଇ ଦ୍ରୁତ ଗତିରେ ବାଲିବନ୍ଧା ଅଭିମୁଖେ ଫେରାର୍ ମାରିଥିଲେ। ପ୍ରଥମ ଘଟଣା ସଂପର୍କରେ ବୁର୍ଲା ଥାନାରେ ଓ ପରବର୍ତ୍ତୀ ଦୁଇ ଘଟଣା ସଂପର୍କରେ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ୫ ଦିନ ପୂର୍ବରୁ ମଧ୍ୟ ବୁର୍ଲା ଡାକ୍ତରଖାନା ପଛ ପଟେ ଜଣେ ରୋଗୀ ସଂପର୍କୀୟଙ୍କଠାରୁ ଚେନ୍ ଛିନ୍ତାଇ ହୋଇଥିଲା।
Follow Us