ମା’ ତାରିଣୀଙ୍କ ଚଇତି ପର୍ବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ପୀଠ

ମା’ ତାରିଣୀଙ୍କ ଚଇତି ପର୍ବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ପୀଠ

ଘଟଗାଁ: ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବ ଆଜିଠାରୁ ଆରମ୍ଭ ହୋଇଛି। ଏହା ସାତଦିନ ଧରି ଚାଲିବ। ପ୍ରଥମ ଦିନରେ ୧୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମା’ ତାରିଣୀ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ଆଜି ଭୋରରୁ ପୂଜକ ନଟବର ଦେହୁରୀ, ରବୀନ୍ଦ୍ର ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ, ପ୍ରଦୀପ କୁମାର ଦେହୁରୀ ଓ ଦୋଳଗୋବିନ୍ଦ ଦେହୁରୀଙ୍କ ସମେତ ୧୫ରୁ ଊର୍ଦ୍ଧ୍ବ ପୂଜକ ମା’ଙ୍କ ଷୋଡ଼ଶ ଉପଚାର, ମଙ୍ଗଳ ଆଳତି ଓ ବଡ଼ସିଂହାର ପୂଜା କରିଥିଲେ। ଭୋର ସାଢ଼େ ୫ଟାବେଳେ ପହଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ଆ‌ସି ମା’ଙ୍କ ଦର୍ଶନ ପୂଜାର୍ଚ୍ଚନା କରିଥିଲେ। ତେବେ ଆଜି ଚୈତ୍ର ମଙ୍ଗଳବାର ଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ପ୍ରଥମ ଦିନରେ ସେଭଳି ଭିଡ଼ ଦେଖିବାକୁ ମିଳି ନଥିଲା।

ଏହି ଅବସରରେ ବ୍ରାହ୍ମଣ ସମାଜ ପକ୍ଷରୁ ଗୀତାପାଠ କରାଯାଇଥିଲା। ସେହିପରି ମା’ଙ୍କ ପୀଠରେ ଚଣ୍ଡୀପାଠ, ହୋମଯଜ୍ଞ ଓ ଭାଗବତ ପାରାୟଣ ଆରମ୍ଭ ହୋଇଛି। ଚଣ୍ଡୀପାଠରେ ପୂଜକ ସନ୍ତୋ‌ଷ କୁମାର ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ଅବସରପ୍ରାପ୍ତ ମନ୍ଦିର କର୍ମଚାରୀ ପ୍ରାଣବନ୍ଧୁ ସରାଡ଼ିଆ ସଂକଳ୍ପରେ ବସିଥିଲେ। ଭାଗବତ ପାରାୟଣରେ ପଣ୍ଡିତ କେଶବ ଚନ୍ଦ୍ର ଆଚାର୍ଯ୍ୟ ଓ ଦିଲୀପ କୁମାର ପ୍ରହରାଜ ପୂଜାର୍ଚ୍ଚନା କରିଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀ ଅକ୍ଷୟ କୁମାର ବେହେରା ସଂକଳ୍ପରେ ବସିଥିଲେ। ସନ୍ଧ୍ୟାରେ ମା’ ତାରିଣୀ ପାଲାମଣ୍ଡରେ ସତ୍ୟନାରାୟଣ ପୂଜା ହୋଇଥିଲା। କେଶବ ଚନ୍ଦ୍ର ଆଚାର୍ଯ୍ୟ ପୂଜାର୍ଚ୍ଚନା କରିଥିବା ବେଳେ ଅବନୀ କୁମାର ଜେନା ସଂକଳ୍ପରେ ବସିଥିଲେ।
ସେହିପରି ଆଜି ଦିନତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବଡ଼ବିଲର ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ, ଭଦ୍ରକର ସ୍ବର ସାଧନା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅପରାହ୍‌ଣରେ ଭୁବନେଶ୍ବରର ଶୁଭଶ୍ରୀ ମହାନ୍ତିଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଡ. ବିପିନ ବିହାରୀ ମହାପାତ୍ର ଓ ତପନ କୁମାର ନାଏକ ପ୍ରବଚନ ଦେଇଥିଳେ। ରାତିରେ ଡ. ଶିଶିର କୁମାର ପାଢ଼ୀ ଓ ତୁଳସୀ ଚରଣ ମହାନ୍ତ ପାଲା ପରିବେଷଣ କରିଥିଲେ।
ଆଜି ବ୍ରହ୍ମପୁରର ସୌଭାଗ୍ୟରତ୍ନ ସାହୁଙ୍କ ଦ୍ବାରା ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ସହକାରୀ ଅତିରିକ୍ତ କମିସନର ରାଜେଶ ରୋଷନ ନନ୍ଦ, ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ, ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe