ଫିକା ପଡ଼ିଲା ରାୟଗଡ଼ାର ଚଇତି ପର୍ବ : ଭକ୍ତଙ୍କ ବିନା ଖାଁ ଖାଁ ୪ ଶକ୍ତିପୀଠ

Advertisment
ଫିକା ପଡ଼ିଲା ରାୟଗଡ଼ାର ଚଇତି ପର୍ବ : ଭକ୍ତଙ୍କ ବିନା ଖାଁ ଖାଁ ୪ ଶକ୍ତିପୀଠ

ଇଷ୍ଟଦେବୀଙ୍କୁ ନୂଆ ଫସଲ ଭୋଗ ଲାଗି ନୋହିଲା
ଶହ ଶହ ବର୍ଷର ପରମ୍ପରାରେ ପ୍ରଥମ ଘଟଣା
ବନ୍ଦ ରହିଲା ଶିକାର, ଅଟକିଲା ଘଟଯାତ୍ରା

ରାୟଗଡ଼ା : ଶୂନଶାନ୍ ମା’ଙ୍କ ପୀଠ। ବିନା ଭକ୍ତ, ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ସରିଲା ଚଇତି ଯାତ। ଶହ ଶହ ବର୍ଷର ପରମ୍ପରାରେ ପ୍ରଥମ ଥର ପାଇଁ ଆଦିବାସୀ ମା’ଙ୍କ ପାଖରେ ଲଗାଇ ପାରିଲାନି ନୂଆ ଫସଲର ଭୋଗ। ସମୃଦ୍ଧିର ପ୍ରତୀକ ମାଙ୍କ ଘଟ ଗାଁ, ସାହିକୁ ଯାଇପାରି ନ ଥିବା ବେଳେ ବନ୍ଦ ରହିଲା ବେଣ୍ଟ ଶିକାର। ଫଳରେ ଜିଲ୍ଲାର ୪ ପ୍ରମୁଖ ଶକ୍ତିପୀଠ ଯଥା ରାୟଗଡ଼ାର ମା ମଝିଘରିଆଣୀ, କାଶୀପୁର, ବିଷମକଟକର ମା’ ବୁଢ଼ୀ ଠାକୁରାଣୀ, ପେଙ୍ଗୁଡ଼ାର ଭୈରବୀଙ୍କ ସମେତ ସମସ୍ତ ଗାଁରେ ଫିକା ପଡ଼ିଗଲା ଚଇତି ପର୍ବ। ଯାହା ଆଦିବାସୀଙ୍କ ସମେତ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି।

୭ ଦିନ ଧରି ଉତ୍ସବ ମୁଖର ହୋଇଥାନ୍ତା ପୂରପଲ୍ଲୀ। ଚୈତ୍ର ଆଗମନକୁ ନେଇ ଗାଁ ଗାଁରେ ସାଜସଜ୍ଜା ସହିତ ଜମିଥାନ୍ତା ନାଚଗୀତର ଆସର। ଚୈତ୍ର ମାସର ପ୍ରଥମ ସୋମବାର ସନ୍ଧ୍ୟାରେ ଗାଁ ମୁଣ୍ଡରେ ସ୍ଥାପିତ ଝାଙ୍କିରୀରେ ଦୀପ, ଧୂପ ଓ କୁକୁଡ଼ା ବଳି ଦେଇ ମାଙ୍କୁ ଆହ୍ୱାନ କରିବା ପରେ ଆରମ୍ଭ ହୋଇଥାନ୍ତା ଘଟଯାତ୍ରା। ଜମିରୁ ଉତ୍ପାଦିତ ଫସଲ କାନ୍ଦୁଲ, ଝୁଡ଼ଙ୍ଗ, ଶିମ୍ବ, ମହୁଲ, ଆମ୍ବ, ତେନ୍ତୁଳି, ହଳଦୀ ଭୋଗ ଲାଗି କରିବା ସହିତ ନୂଆ ଫସଲ ପାଇଁ ପୂଜାର୍ଚ୍ଚନା କରି ମା’ଙ୍କ ପୀଠରେ ବିହନ ପୋତିଥାନ୍ତେ ଆଦିବାସୀ। ସେହିପରି ପୁଅ-ଝିଅ ମିଶି ବେଣ୍ଟ ଶିକାରକୁ ଯିବା ସହ ଶିକାର ନ ହେବା ପର୍ଯ୍ୟନ୍ତ ଗାଁକୁ ଫେରିନଥାନ୍ତି। ଶିକାର ସାରି ଫେରିବା ପରେ ମା’ଙ୍କ ପୀଠରେ ବଳି ସହ ଗାଁ ମୁଖିଆଙ୍କ ଉପସ୍ଥିତିରେ ସମସ୍ତେ ମିଳିମିଶି ନୂଆ ଖାଇଥାନ୍ତି। ଚୈତ୍ର ମାସର ଶେଷ ୭ ଦିନ ଆଦିବାସୀଙ୍କ ଇଷ୍ଟଦେବୀ ତଥା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ସମେତ ଅନ୍ୟ ପ୍ରମୁଖ ମା’ ବୁଢ଼ୀ ଠାକୁରାଣୀ, ପେଙ୍ଗୁଡ଼ାର ଭୈରବୀଙ୍କ ପୀଠରେ ଚଇତି ଯାତ୍ରା ପାଳିତ ହୋଇଥାନ୍ତା। ଘଣ୍ଟ, ଘଣ୍ଟା, ଶଙ୍ଖନାଦ, ଢୋଲ, ମହୁରିର ଶବ୍ଦରେ ପୀଠ ପ୍ରକମ୍ପିତ ହେବା ସହ ହୋମଯଜ୍ଞ ଓ ମନ୍ତ୍ରପାଠରେ ପ୍ରକମ୍ପିତ ହୋଇଥାନ୍ତା ଶକ୍ତିପୀଠ। ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନରେ ପୀଠ ଉତ୍ସବ ମୁଖରିତ ହେବା ସହ ଶେଷଦିନରେ ମା’ ସୁନାବେଶରେ ଦର୍ଶନ ଦେଇଥାନ୍ତେ ଭକ୍ତଙ୍କୁ।

ଶହ ଶହ ବର୍ଷ ଧରି ଚାଲି ଆସିଥିବା ଏପରି ପରମ୍ପରା କିନ୍ତୁ ଚଳିତ ବର୍ଷ ବନ୍ଦ ହୋଇଯାଇଛି। କରୋନା ମହାମାରୀର ମୁକାବିଲା ପାଇଁ ସରକାର କଟକଣା ଜାରି କରିବା ପରେ ସମସ୍ତ ମନ୍ଦିରକୁ ବନ୍ଦ କରି ଦେଇଛି ପ୍ରଶାସନ। ଗାଁରେ ବି ପୂଜାର୍ଚ୍ଚନା ନ କରିବାକୁ ଲୋକଙ୍କୁ ତାଗିଦ୍ ଯୋଗୁଁ ଚଇତି ଯାତ ପାଳନ ହୋଇପାରିନି। କଟକଣା କାରଣରୁ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ, ଘଟ ପରିକ୍ରମା, ମୁଣ୍ଡନ, ସୁନାବେଶ ଏବଂ ଉଦ୍‌ଯାପନୀ ଦିବସରେ ନିଆଁରେ ଚାଲିବା ଓ କଣ୍ଟା ଦୋଳିରେ ସେବାୟତ ଖେଳିବା ପରମ୍ପରା ବନ୍ଦ ରହିଛି। ଚଣ୍ଡୀପାଠ, ହୋମଯଜ୍ଞ, ପୂଜାର୍ଚ୍ଚନା ସମେତ ମାନସିକ ପୂରଣ ଲାଗି ଦିଆଯାଉଥିବା ବଳି ଚଳିତ ଥର ହୋଇପାରିନି। ସେହିପରି କାଶୀପୁରର ମା ବୁଢ଼ୀ ଠାକୁରାଣୀଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ମାଙ୍କ ୯ ଦିନ ଘଟଯାତ୍ରା ପ୍ରଥମ ଥର ପାଇଁ ବନ୍ଦ ରହିଛି। ବିଷମକଟକର ମା’ ବୁଢ଼ୀ ଠାକୁରାଣୀ ଶକ୍ତିପୀଠ ଭକ୍ତଙ୍କ ବିନା ଖାଁ ଖାଁ ହୋଇ ପଡ଼ିଛି। ଗୁଣପୁର ପେଙ୍ଗୁଡ଼ାର ଭୈରବୀ ପୀଠରେ ଚୈତ୍ର ମାସରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ମା’ଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଛି। ଲକ୍ଷ ଲକ୍ଷ ଭକ୍ତ ୪ ଶକ୍ତିପୀଠରେ ମାଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ସ୍ବତନ୍ତ୍ର ନୀତିକାନ୍ତି, ପୂଜାର୍ଚ୍ଚନା ବନ୍ଦ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ‌ମନ୍ଦିର ଟ୍ରଷ୍ଟି, ସେବାୟତ, ଗାଁ ଯାନି ଓ ପୂଜାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe