ଅଣାୟତ ହେଲାଣି ଚକଡ଼ା ରୋଗ

Advertisment
ଅଣାୟତ ହେଲାଣି ଚକଡ଼ା ରୋଗ

କୋରେଇ: କୋରେଇ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଏବେ ପାଚିଲା ଧାନରେ ମାଟିଆଗୁଣ୍ତି ବା ଚକଡ଼ା ପୋକ ଲାଗି ଶହଶହ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହେଲାଣି। ବ୍ଲକ୍‌ ଅନ୍ତର୍ଗତ ହଳଦିଗଡ଼ିଆ, ବନ୍ଦାଳୋ, ମୂଳାପାଳ, କରଦା, ବଡ଼ବିରୁଆଁ, ତାରାକୋଟ, ଧନେଶ୍ବର, ବରୁଣ୍ତାଇ ଆଦି ପଞ୍ଚାୟତର ଅଧିକାଂଶ ଗ୍ରାମରେ ଏହି ପୋକ ଦ୍ବାରା ବହୁ ପାଚିଲା ଧାନକ୍ଷେତ କ୍ଷତିଗ୍ରସ୍ତ ହେଇଛି। ପାଚିଲା ଧାନଗଛ ମୂଳରେ ପୋକଲାଗି ଗଛକୁ ଦୁର୍ବଳ କରିବା ସହିତ ପାଚିଲା ଧାନ କେଣ୍ଡା କିଆରିରେ ଝଡ଼ି ପଡୁଛି। ତେବେ ଅଧିକ ୟୁରିଆ ସାର ପ୍ରୟୋଗ ପାଇଁ ଏହି ପୋକ ସୃଷ୍ଟି ହେଉଛନ୍ତି।

ଅନ୍ୟପକ୍ଷରେ ଜଳବାୟୁରେ ଆଦ୍ରତା କମ ଥିବାରୁ ଏହା ଶୀଘ୍ର ବ୍ୟାପୁଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ଧାନଗଛର ପତ୍ର ଏବଂ କେଣ୍ତାରେ ଏହିପୋକ ଲାଗି ଗଛରୁ ଶସ ଶୋଷି ଦେବାରୁ ଧାନ ଅଗାଡ଼ି ହେଉଛି। ଚଳିତ ବର୍ଷ ନଭେମ୍ବର ଦ୍ବିତୀୟ ସପ୍ତାହରେ ମଧ୍ୟ ଶୀତ ଅନୁଭୂତ ହେଉନଥିବା ବେଳେ କାକର ପଡ଼ୁନାହିଁ। ଫଳରେ ଏହିପୋକ ମାତ୍ରାଧିକ ଭାବେ ସୃଷ୍ଟି ହେଉଛନ୍ତି। ଉଚିତ୍ ପରିମାଣର ଔଷଧ ପ୍ରୟୋଗ କଲେ ଏହି ପୋକକୁ ଆୟତ୍ତ କରିହେବ ବୋଲି ବ୍ଲକ୍ ସହକାରୀ କୃଷି ଅଧିକାରୀ ଶରତ କୁମାର ନାୟକ ପରାମର୍ଶ ଦେଇଛନ୍ତି। ରୋଗପୋକ ଲାଗିଥିବା କ୍ଷେତରେ ଔଷଧ ପ୍ରୟୋଗ କରିବା ସହିତ ଏହାର ଆଖପାଖ ଅଂଚଳରେ ମଧ୍ୟ ଔଷଧ ପ୍ରୟୋଗ କରିବାକୁ ଶ୍ରୀ ନାୟକ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।

publive-image

ପୋକ ଲାଗିନଥିବା ଜ‌ମିରେ ମଧ୍ୟ ଔଷଧ ପ୍ରୟୋଗ କରାଗଲେ କୌଣସି କ୍ଷତି ହେବନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି। ପାଚି ଯାଇଥିବା ଧାନକୁ ତୁରନ୍ତ କାଟିବା ପାଇଁ କୃଷି ବିଭାଗ ପରାମର୍ଶ ଦେଇଛି। ଶ୍ରୀ ନାୟକଙ୍କ ସୂଚନା ଅନୁଯାୟୀ, ଏଯାଏ ମିଳିଥିବା ରିପୋର୍ଟ ମୁତାବକ ବ୍ଲକ୍‌ର ୫ ଶହ ହେକ୍ଟରରୁ ଅଧିକ ଜମି ଏହି ପୋକ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। କିଛିଦିନ ମଧ୍ୟରେ ବିଭାଗ ପକ୍ଷରୁ କ୍ରପ୍ କଟିଂ କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବା ସହ କ୍ଷତିଗ୍ରସ୍ତ ଚାଷର ପରିମାଣ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ତାହା ଉପରିସ୍ଥ ଅଧିକାରୀ ସ୍ଥିର କରିବେ। ଚଳିତ ବର୍ଷ ବ୍ଲକ୍‌ର ୧୭୬୫୪ ହେକ୍ଟର ଜମିରେ ଧାନଚାଷ ହୋଇଛି। ଗତ ଖରିଫ ଋତୁରେ ବହୁଚାଷୀ କ୍ଷତିଗ୍ରସ୍ତ ଚାଷ ପାଇଁ କ୍ଷତିପୂରଣ ପାଇ ପାରିନଥିଲେ। ଚଳିତ ବର୍ଷ ମଧ୍ୟ ଚକଡ଼ା ପୋକ ଚାଷୀଙ୍କୁ ଚିନ୍ତାରେ ପକାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ବହୁ ଚାଷୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe