ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଚାଷୀଙ୍କ ତିନିଘଣ୍ଟିଆ ଚକା ଜାମ୍ : ଯାନବାହନ ଚଳାଚଳ ବାଧାପ୍ରାପ୍ତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ଚାଷୀଙ୍କ ତିନିଘଣ୍ଟିଆ ଚକା ଜାମ୍ : ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଷୀଙ୍କ ତିନିଘଣ୍ଟିଆ ଚକାଜାମ୍ ଆରମ୍ଭ ହୋଇଛି। ନବ ନିର୍ମାଣ କୃଷକ ସଂଗଠନ, କିସାନ୍ ମଜଦୁର ମହାସଂଘ, ସଂଯୁକ୍ତ ମଜଦୁର ମୋର୍ଚ୍ଚା, ଭାରତ କିସାନ ମଜଦୁର ୟୁନିୟନ୍, ଏଆଇଟିୟୁସି ଓ ଅନ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକା ଜାମ୍ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କଟକ-ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଜାରି ରହିଛି। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି। ଦେଶବ୍ୟାପୀ ଅଖଚକ ଜାମକୁ ସମର୍ଥନ କରି ଆଜି ମାଷ୍ଟରକ୍ୟାଣ୍ଟିନରେ ଏଆଇଟିୟୁସି ଓ ବିକେଏମୟୁର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଓ ଆନ୍ଦୋଳନକୁ ଜୋରଦାର କରୁଛନ୍ତି। ପୁଲିସ ରାସ୍ତା ଅବରୋଧ କରୁଥିବା ଚାଷୀମାନଙ୍କୁ ଉଠାଇ ନେଉଥିବାର ଦେଖିବାକୁ ମିଳୁଛି।

ଏଣେ କଟକର ମଧୁପାଟଣା ଛକଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଆରମ୍ଭ ହୋଇଛି। ସେଠାରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି।

ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମିଳିତ ଆନୁକୁଲ୍ୟରେ ଚକା ଜାମ ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ କରାଯାଉଛି। ଜଗତସିଂହପୁର ଟାଉନ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସହ ବିଭିନ୍ନ ବ୍ଲକ୍ ରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରାଯାଉଛି।

publive-image

ସୂଚନାଯୋଗ୍ୟ, ଚାଷୀ ସଂଗଠନଗୁଡ଼ିକ ଡାକରା ଦେଇଥିବା ଦେଶବ୍ୟାପି ‘ଚକା ଜାମ’କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe