ଚନ୍ଦନଯାତ୍ରାକୁ ଆଉ ଦୁଇଦିନ : ଚନ୍ଦନ ଚକଡ଼ା, ରଥଖଳାରେ ଶେଷ ସ୍ପର୍ଶ

ଚନ୍ଦନଯାତ୍ରାକୁ ଆଉ ଦୁଇଦିନ : ଚନ୍ଦନ ଚକଡ଼ା, ରଥଖଳାରେ ଶେଷ ସ୍ପର୍ଶ

Tirtha Yatra

ପୁରୀ : କରୋନା କଟକଣା ଭିତରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ କ୍ଷେତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚନ୍ଦନ ଚକଡ଼ାରେ ସମସ୍ତ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଉଛି। ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ଡଙ୍ଗା ପାଇଁ ଆବଶ୍ୟକ ସାଜସଜ୍ଜା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚନ୍ଦନ ଚକଡ଼ା ସହ ନରେନ୍ଦ୍ରରେ ଥିବା ଦେବଦେବୀ ମନ୍ଦିରକୁ ରଙ୍ଗତୁଳୀର ସ୍ପର୍ଶ ଦିଆଯାଇ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ଆଗେଇ ନିଆଯାଇଛି। ସେପଟେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେଉଥିବାରୁ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନୁକୂଳ ହେବାକୁ ଥିବା ତିନି ଧଉରା କାଠକୁ ସଜେଇ ରଖାଯାଇଛି।

publive-image

ଆଉ ଦୁଇଦିନ ପରେ ଅର୍ଥାତ୍ ଏପ୍ରିଲ ୨୬‌ରେ ପବିତ୍ର ଅକ୍ଷୟ ତୃତୀୟା। ମହାପ୍ରଭୁଙ୍କ ଚନ୍ଦନଯାତ୍ରା ସହ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ଏହି ଦିନ ଠାରୁ ଆରମ୍ଭ ହେବ। ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଡଙ୍ଗାରେ ୨୧ ଦିନ ଧରି ବାହାର ଚାପ ଖେଳିବେ। ୨୧ ଦିନର ବାହାର ଚାପ ଖେଳ ଶେଷ ପରେ ମହାପ୍ରଭୁ ଶ୍ରୀମନ୍ଦିର ଭିତରେ ୨୧ ଦିନର ଭିତର ଚାପ ଖେଳିବେ। ଏହି ୪୨ ଦିନର ଚାପଖେଳ ପାଇଁ ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇ ଚାଲିଛି। ବାହାର ଚନ୍ଦନଯାତ୍ରା ପାଇଁ ମହାରଣା ସେବକ, ଚିତ୍ରକର ସେବକ ଓ ଭୋଇ ସେବକମାନେ ମିଳିତ ଭାବେ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଏ ଭିତରେ ଚନ୍ଦନ ଚକଡ଼ାରେ ଚନ୍ଦନ ଯାତ୍ରାର ଆବଶ୍ୟକତାକୁ ଶେଷ ସ୍ପର୍ଶ ଦିଆଯାଉଛି। ଚନ୍ଦନ ଚକଡ଼ାରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ପହଞ୍ଚିବା ପରେ ମହାରଣା ସେବକମାନେ ଏହି ଡଙ୍ଗାରେ କାଠ ବାଡ଼େଇବା କାମକୁ ଜୋରଦାର କରିଛନ୍ତି। ସେପଟେ ଡଙ୍ଗାରେ ମହାପ୍ରଭୁଙ୍କ ବସିବା ସ୍ଥାନ ଓ ଅନ୍ୟାନ୍ୟ କାମକୁ ରଙ୍ଗତୁଳୀରେ ଶେଷସ୍ପର୍ଶ ଦିଆଯାଉଛି। ନରେନ୍ଦ୍ର ମନ୍ଦିର, ଗମ୍ବୁଜ, ପ୍ରବେଶ ପଥ ଆଦିକୁ ଆକର୍ଷଣୀୟ ରଙ୍ଗରେ ଓ ଚିତ୍ରରେ ସୁସଜ୍ଜିତ କରାଯାଉଛି।

publive-image

ପରମ୍ପରା ଅନୁଯାୟୀ, ଅକ୍ଷୟ ତୃତୀୟାରେ ସୁନା କୁରାଢ଼ୀରେ ସେବକଙ୍କ ଦ୍ବାରା ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ଏହି କାର୍ଯ୍ୟ ସମ୍ପାଦନ ହେବ। ଏଥି ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ବାରିକେଡ୍‌ ଭିତରେ ଅଲଗା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe