ଆରମ୍ଭ ହେଲା ଚନ୍ଦନ ଯାତ୍ରା, ଚାପ ଖେଳିଲେ ମହାପ୍ରଭୁ

ଆରମ୍ଭ ହେଲା ଚନ୍ଦନ ଯାତ୍ରା, ଚାପ ଖେଳିଲେ ମହାପ୍ରଭୁ

ପୁରୀ: ପବିତ୍ର ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ଶ୍ରୀବିଗ୍ରହଙ୍କ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଆଜିଠାରୁ ମହାପ୍ରଭୁଙ୍କର ଚାପ କ୍ରୀଡ଼ା ଆରମ୍ଭ ହୋଇଛି। ପରମ୍ପରା ମୁତାବକ ଶ୍ରୀମନ୍ଦିରରୁ ଶ୍ରୀଦେବୀ ଭୂଦେବୀ, ରାମ, କୃଷ୍ଣ ଓ ମଦନମୋହନ ବିମାନରେ ଆସିଥିଲେ। ଶ୍ରୀକ୍ଷେତ୍ରରୁ ପଞ୍ଚ ମହାଦେବ ବିମାନରେ ଆସି ଚାପକ୍ରୀଡ଼ା କରିଥିଲେ। ଧାର୍ଯ୍ୟ ସମୟଠାରୁ ୨ ଘଣ୍ଟା ବିଳମ୍ବରେ ବିମାନକୁ ବିଜେ କରିଥିଲେ ଦିଅଁ। ବଟମୂଳରେ ଥିବା ବିମାନରେ ଦିଅଁଙ୍କୁ ବିଜେ କରାଯିବା ପରେ ବାଜିଥିଲା ବିଜେ କାହାଳୀ। ବିମାନବଡ଼ୁ ସେବକମାନେ ପଞ୍ଚ ଦେବଦେବୀଙ୍କୁ ବିମାନରେ ଧରି ବାହାରିଥିଲେ ସିଂହଦ୍ବାରକୁ। ସେଠାରୁ ପାରମ୍ପରିକ ନୃତ୍ୟ ସଂଗୀତ ପଟୁଆରରେ ଦେବଦେବୀ ବିଜେ କରିଥିଲେ ନରେନ୍ଦ୍ରକୁ। ପଛରେ ଥିଲେ ପଞ୍ଚ ମହାଦେବ। ବିଜୁଳି ନଥିଲା, ଅଳ୍ପ ଆଲୁଅରେ ଚାଲିଥିଲେ ଠାକୁର। ରାତି ହେବା ପରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଆଲୁଅ ଜଳାଇ ଦିଆଯାଇଥିଲା।

ବିମାନରେ ଦିଅଁଙ୍କୁ ନେଇ ଚନ୍ଦନଚକଡ଼ାରେ ବିଜେ କରାଯାଇଥିଲା। ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ପରେ ଚାପକୁ ବିଜେ କରିଥିଲେ ‌ଦିଅଁ। ଚାପ କ୍ରୀଡ଼ା ପରେ ପୁଣି ଚନ୍ଦନ ଘରକୁ ବିଜେ କରିଥିଲେ। ସେଠାରେ ଚନ୍ଦନଲାଗି ହେବା ପରେ ଚନ୍ଦନକୁଣ୍ଡରେ ବୁଡ଼ି ରହିଥିଲେ। ଏହା ପରେ ରାତି ଚାପ ନୀତି ହୋଇଥିଲା। ପରମ୍ପରା ଅନୁଯାୟୀ, ରାତି ଚାପ ନରେନ୍ଦ୍ର ପୁଷ୍କରିଣୀର ଚାରିପାଖ ବୁଲିବା କଥା। ମାତ୍ର ଆଲୋକ ଅଭାବରୁ ରାତି ଚାପ କେବଳ ବିଧି ରକ୍ଷା ପାଇଁ କିଛି ବାଟ ବୁଲିବା ପରେ ଅଟକାଇ ଦିଆଯାଇଥିଲା। ଅଘଟଣକୁ ଡରି ଏପରି ହୋଇଥିଲା। ଏହା ପରେ ଅନ୍ୟାନ୍ୟ ନୀତି ବଢ଼ି ଦିଅଁ ଦେଉଳକୁ ବାହୁଡ଼ା ବିଜେ କରିଥିଲେ। ଅକ୍ଷୟତୃତୀୟାଠାରୁ ୨୧ ଦିନ ଧରି ଏହି ଯାତ୍ରା ଚାଲିବ। ଏହାକୁ ବାହାର ଚନ୍ଦନଯାତ୍ରା କୁହାଯାଏ। ଏହା ପରେ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe