ଶିଳାନ୍ୟାସକୁ ୭ ବର୍ଷ ବିତିଲା, ଅଧାରେ ଅଟକିଛି ଚାନ୍ଦବାଲି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ

Advertisment
ଶିଳାନ୍ୟାସକୁ ୭ ବର୍ଷ ବିତିଲା, ଅଧାରେ ଅଟକିଛି ଚାନ୍ଦବାଲି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ

ଚାନ୍ଦବାଲି: ବ୍ୟବସାୟିକ ପେଣ୍ଠସ୍ଥଳୀ ଚାନ୍ଦବାଲିରେ ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ କାହାରି ଆଗ୍ରହ ନାହିଁ। ସ୍ଥାୟୀ ବସଷ୍ଟାଣ୍ଡ ନ ଥିବାରୁ ସହରକୁ ପ୍ରତିଦିନ ଆସୁଥିବା ଶହ ଶହ ଗାଡି ମୋଟର ଏଣେତେଣେ ପାର୍କିଂ କରୁଥିବାରୁ ଦିକୁ ଦିନ ସହରରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି। ଚାନ୍ଦବାଲିର ମୁଖ୍ୟରାସ୍ତାରେ ଗାଡ଼ିଗୁଡ଼ିକ ଛିଡା ହୋଇ ରହିବା ଯୋଗୁ  ସମସ୍ୟା ସୃଷ୍ଟି କରୁଛି। ବଜାର ମଧ୍ୟଭାଗରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାନ୍ଦବାଲିରେ ଏକ ସ୍ଥାୟୀ ବସଷ୍ଟାଣ୍ଡର ଆବଶ୍ୟକତା ଥିବାବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀ  କି ଜନପ୍ରତିନିଧି କେହି ଦୃଷ୍ଟି ଦେଉନାହାନ୍ତି।

ଗତ ୨୦୧୫ ମସିହାରୁ ଚାନ୍ଦବାଲିରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶୁଭ ଦିଆଯାଇ କାମ ଚାଲୁ ରହିଥିିବା ବେଳେ ଏହି କାମ କିନ୍ତୁ ମନ୍ଥର ଗତିରେ ଚାଲୁଥିବାରୁ ଏହା କେବେ ପୂର୍ଣ୍ଣାଙ୍ଗ ହେବ ତାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅସ୍ଥାୟୀ ଭା‌େବ ଯେଉଁ ପୁରୁଣା ବସଷ୍ଟାଣ୍ଡଟି ଥିଲା ତାର ସୌନ୍ଦର୍ଯ୍ୟକରଣ ନାଁରେ ଭାଙ୍ଗି ଦିଆଯିବା ପରେ ଯାତ୍ରୀବାହୀ ବସଗୁଡିକ ରାସ୍ତା ଉପରେ ଛିଡା ହୋଇ ରହୁଛନ୍ତି। ଚାନ୍ଦବାଲିରୁ ପ୍ରତିଦିନ କୋଲକାତା, କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ରାଉରକେଲା ଆଦି ଦୂର ସ୍ଥାନକୁ ଅନେକ ବସ ଯାତାୟତ କରୁଛି। ହେଲେ ସ୍ଥାୟୀ ବସଷ୍ଟାଣ୍ଡ ନ ଥିବାରୁ ବସଗୁଡିକ ଏଣେତେଣେ ରହୁଥିବାରୁ ଯାତ୍ରୀମାନେ ନାନା ହଇରାଣ ହେଉଛନ୍ତି। ନିର୍ମାଣ ହେଉଥିବା ବସଷ୍ଟାଣ୍ଡର ଭିତ୍ତିଭୂମି ପାଇଁ ୨ଟି ପର୍ଯ୍ୟାୟରେ ଅର୍ଥ ମଂଜୁର ହୋଇଥିଲେ ବି ନିର୍ମାଣରେ ସେତେଟା ଅଗ୍ରଗତି ହୋଇନାହିଁ। ଶିଳାନ୍ୟାସର ୭ ବର୍ଷ ପରେ ବି ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ। ଏହାର ନିର୍ମାଣ କାର୍ଯ୍ୟ ଶେ‌ଷ ହେବା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଭାଗିରଥୀ ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ ଏହା ପୁରୁଣା କାମ। ବିଡିଓଙ୍କ ଠାରେ ଏହାର ସମସ୍ତ ତଥ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe