ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲା: ଯୁବତୀଙ୍କ ୟୁକେ ନମ୍ବରରେ ଭର୍ଚୁଆଲ୍ ସିମକାର୍ଡ!

Advertisment
ଚାନ୍ଦିପୁର ଆଇଟିଆର ତଥ୍ୟ ଚୋରି ମାମଲା: ନିର୍ଦ୍ଦେଶକଙ୍କ ଉପରେ ରହିଥିଲା ପାକିସ୍ତାନର ନଜର

ଠିକଣା, ପରିଚୟ ସବୁ କିଛି ଗୋପନ ରଖିବ
ଗୋଟିଏ ଜାଗାରେ ଥାଇ ଅନ୍ୟ ଲୋକେସନ୍ ଦେଖାଇବ

ଭୁବନେଶ୍ବର : ଚାନ୍ଦିପୁର ଆଇଟିଆର୍‌ ତଥ୍ୟ ଲିକ୍ ମାମଲାରେ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। ଫୋନ୍ କରି ଆଇଟିଆର୍‌ କର୍ମଚାରୀମାନଙ୍କୁ ହନିଟ୍ରାପ୍ କରିଥିବା ଯୁବତୀ ଜଣକ ପାକିସ୍ତାନର ବୋଲି କୁହାଯାଉଥିଲେ ମଧ୍ୟ ସେ ପ୍ରକୃତରେ କେଉଁ ଦେଶର ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଏହି ରହସ୍ୟମୟୀ ଯୁବତୀ ୟୁକେ ନମ୍ବର ବ୍ୟବହାର କରି ଗିରଫ ଆଇଟିଆର କର୍ମଚାରୀଙ୍କ ସହ ହ୍ବାଟ୍‌ସଆପ ଚାଟିଂ, ଭିଡିଓ କଲ୍, ଭଏସ୍ କଲ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ୟୁକେ ନମ୍ବର କେମିତି ବ୍ୟବହାର ହେଉଛି, କେମିତି ହ୍ବାଟସଆପ୍ ବ୍ୟବହାର ହେଉଛି, କେମିତି କଲ୍ ଓ ଚାଟିଂ କରାଯାଉଛି, କେମିତି ପରିଚୟ ଗୋପନ ରହୁଛି ତାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ସାଇବର ବିଶେଷଜ୍ଞ।

ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ୟୁକେ ସିମ୍ ବ୍ୟବହାର କରିବା କୌଣସି କଷ୍ଟକର ବ୍ୟାପାର ନୁହେଁ। ଏହା ସହଜରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। ଏହା ସାଧାରଣ ସିମକାର୍ଡ ଭଳି ସିଧାସଳଖ ବ୍ୟବହାର ହୁଏ ନାହିଁ। ଏହାକୁ ଭର୍ଚୁଆଲ୍ ସିମକାର୍ଡ କୁହାଯାଏ। ପ୍ଲେ ଷ୍ଟୋରରେ ଉପଲବ୍ଧ ଦୁଇଟି ଆପ୍ ଡାଉନଲୋଡ୍ କରି ମୋବାଇଲ ଫୋନରେ ଭର୍ଚୁଆଲ ସିମ୍ ବ୍ୟବହାର କରିହେବ। ଏହା ସମ୍ପୂର୍ଣ୍ଣ ମାଗଣା। ଡାଉନ୍‌ଲୋଡ୍ ସମୟରେ ନିଜର ଲୋକେସନ୍ ଦେବାକୁ ପଡ଼ିବ। ବ୍ୟବହାରକାରୀ ଏହାକୁ ମଧ୍ୟ ବଦଳାଇ ପାରିବେ। ଯେଉଁ ସ୍ଥାନରେ ରହୁଛନ୍ତି ସେହି ସ୍ଥାନର ଠିକଣା ନ ଦେଇ ଅନ୍ୟ ଏକ ସ୍ଥାନର ଠିକଣା ଦେଇପାରିବେ। ନିଜର ନମ୍ବର ମଧ୍ୟ ଲୁଚାଇ ଏହି ଭର୍ଚୁଆଲ୍ ସିମ୍ ଜରିଆରେ ଫୋନ୍ କରିହେବ। ବିଶେଷ କରି ଏଥିରେ ଅତି ସହଜରେ ହ୍ବାଟ୍‌ସଆପ୍ ଡାଉନ୍‌ଲୋଡ୍ କରିହେବ। ହ୍ବାଟ୍‌ସଆପ୍ ଜରିଆରେ ଅତି ସହଜରେ ଭିଡିଓ କଲ୍, ଭଏସ୍ କଲ୍, ଚାଟିଂ କରିହେବ। ସବୁ ତଥ୍ୟ ଗୋପନ ରଖି ଏହି ସିମ୍ ଜରିଆରେ କଳା କାରବାର କରିପାରିବେ ବ୍ୟବହାରକାରୀ। ଶ୍ରୀ ସାହୁଙ୍କ କହିବା ଅନୁସାରେ, ଗିରଫ କର୍ମଚାରୀଙ୍କୁ କଲ୍ ହ୍ବାଟ୍‌ସଆପ୍ ଭିଡିଓ ଏବଂ ଭଏସ୍ କଲ୍‌ କରୁଥିବା ଯୁବତୀ ଏହାର ସହାୟତା ନେଇଥାଇ ପାରନ୍ତି। ଏହି ନମ୍ବର ଜରିଆରେ ଜାଲ୍ ଆଇଡି ମଧ୍ୟ ତିଆରି କରିଛନ୍ତି। ତଦନ୍ତକାରୀ ଟିମ୍ ପାଇଁ ଯୁବତୀଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡ଼ିବ।

କେବଳ ଏହି ଘଟଣା ନୁହେଁ; ସାଇବର ଠକ ମଧ୍ୟ ହ୍ବାଟ୍‌ସଆପ୍‌ରେ ଅଶ୍ଳୀଳ ଭିଡିଓ ଚାଟିଂ କରି ବ୍ଲାକମେଲିଂ କରିବା ପାଇଁ ୟୁକେ ଭର୍ଚୁଆଲ ନମ୍ବର ବ୍ୟବହାର କରନ୍ତି। ଯାହାର ଠିକଣା, ତଥ୍ୟ ସବୁ କିଛି ଗୋପନ ରଖି କଲ୍ କରନ୍ତି। କେବଳ କଲ୍ ନୁହେଁ; ଜାଲ୍ ଆଇଡି ତିଆରି କରି ବନ୍ଧୁତା ତିଆରି କରି ଟଙ୍କା ଲୁଟିବାର ଯୋଜନା କରନ୍ତି ଠକ। ଏହି ଯୁବତୀଙ୍କ ପାଖରେ କ୍ରାଇମବ୍ରାଞ୍ଚ ପହଞ୍ଚି ପାରିବ କି ବୋଲି ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe