ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ପ୍ରଘଟ ମାମଲା: ୧୦ ବର୍ଷ ପରେ ଅଭିଯୁକ୍ତ କୋର୍ଟରେ ହାଜର

୨୦୧୫ ମସିହାର ବହୁଚର୍ଚ୍ଚିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ପ୍ରଘଟ ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଆଜି ବାଲେଶ୍ବର ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରାଯାଇଛି। ସେ ହେଲା ଉତ୍ତରପ୍ରଦେଶ ମିରଟ୍‌ର ଆସିଫ୍‌ ଅଲ୍ଲୀ।

judgement

Photograph: (iPleaders)

ବାଲେଶ୍ବର: ୨୦୧୫ ମସିହାର ବହୁଚର୍ଚ୍ଚିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ପ୍ରଘଟ ମାମଲାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଆଜି ବାଲେଶ୍ବର ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରାଯାଇଛି। ସେ ହେଲା ଉତ୍ତରପ୍ରଦେଶ ମିରଟ୍‌ର ଆସିଫ୍‌ ଅଲ୍ଲୀ। ମିରଟ ପୁଲିସ ତାକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

୨୦୧୫ ମସିହାରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପାକିସ୍ତାନ ଆଇଏସ୍‌ଆଇକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଘଟଣା ସାରାଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ସେହିବର୍ଷ ଜାନୁଆରି ୨୨ ତାରିଖରେ ଚାନ୍ଦିପୁର ଆଇଟିଆର୍‌ରେ କାର୍ଯ୍ୟରତ ଠିକା ଫଟୋଗ୍ରାଫର୍‌ ଈଶ୍ବର ବେହେରାକୁ ଗିରଫ କରିଥିଲା ପୁଲିସ। ୨୦୨୧ ଫେବ୍ରୁଆରି ମାସରେ ବାଲେଶ୍ବର ଏଡିଜେ କୋର୍ଟ ଶ୍ରୀ ବେ‌ହେରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ସେ ଏବେ ଜେଲ୍‌ରେ ସଜା କାଟୁଛି। ତେବେ, ଏହି ଘଟଣାର ୧୦ ବର୍ଷ ପରେ ପୁଣି ଜଣେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି। ସୂଚନା ଅନୁସାରେ ଆସିଫ୍‌ ଓ ଈଶ୍ବର ମଧ୍ୟରେ କୌଣସିପ୍ରକାର ସମ୍ପର୍କ ଯୋଡ଼ି ହୋଇଥିଲା। ଆସିଫ୍‌ ନିଜକୁ ପ୍ରତିରକ୍ଷା ବିଭାଗର ଜଣେ ବଡ଼ ବୈଜ୍ଞାନିକ ଡ.ଶ୍ରୀବାସ୍ତବ ବୋଲି ପରିଚୟ ଦେଇ କଥା ହେଉଥିଲା।

ଚାନ୍ଦିପୁର ଆଇଟିଆର୍‌ରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଈଶ୍ବର ଜରିଆରେ ସଂଗ୍ରହ କରି ଆସିଫ୍‌ ପାକିସ୍ତାନକୁ ପଠାଉଥିବା ଏବଂ ଏ ବାବଦରେ ଈଶ୍ବରକୁ ଟଙ୍କା ପ୍ରଦାନ କରୁଥିବା ତଦନ୍ତ ବେଳେ ଜଣାପଡ଼ିଥିଲା। ତେବେ ଆସିଫ୍‌ ଘଟଣା ସମୟରେ ଅନ୍ୟ ଏକ ମାମଲାରେ ମିରଟ୍‌ ଜେଲ୍‌ରେ ଥିବାରୁ ସେତେ‌ବେଳେ ତାକୁ ବାଲେଶ୍ବର କୋର୍ଟରେ ହାଜର କରାଯାଇ ପାରିନଥିଲା। ପରେ ବାଲେଶ୍ବର ଜେଏମ୍‌ଏଫ୍‌ସି ସିଟି କୋର୍ଟ ପକ୍ଷରୁ ମିରଟ୍‌ କୋର୍ଟଙ୍କୁ ପ୍ରଡକ୍ସନ ୱାରେଣ୍ଟ ପଠାଯାଇଥିଲା। ଆଜି ଅପରାହ୍ଣରେ ଆସିଫ୍‌କୁ ସେଠାକାର ପୁଲିସ ବାଲେଶ୍ବର କୋର୍ଟକୁ ଆଣି ହାଜର କରାଇଛି। ଆସିଫ୍‌ ବିରୋଧରେ ଦେଶଦ୍ରୋହ, ଆପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗିନ ଦଫା ଲାଗିଥିବାରୁ ଜେଏମ୍‌ଏଫ୍‌ସି  ସିଟି କୋର୍ଟ ତା’ର ଜାମିନ ଆବେଦନ ଖାରଜ କରିଦେଇଥିବା ସରକାରୀ ଓକିଲ ଭବଶଙ୍କର ସାହୁ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଉକ୍ତ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe