ଚନ୍ଦ୍ରଭାଗା ଉଡେନ୍‌ ରେସ୍ତୋ‌ରାଁ କୋଣଠେସା

Advertisment
ଚନ୍ଦ୍ରଭାଗା ଉଡେନ୍‌ ରେସ୍ତୋ‌ରାଁ କୋଣଠେସା

ଭୁବନେଶ୍ବର : କୋଣାର୍କ ଉତ୍ସବ ଭାରତ ବର୍ଷର ଶୀର୍ଷ ନୃତ୍ୟ ଉତ୍ସବ। ଏହାକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି। ହେଲେ‌ ସେଇ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ସଂଲଗ୍ନ ଆକର୍ଷଣୀୟ ଉଡେନ୍‌ ରେସ୍ତୋରାଁକୁ କଣଠେସା କରିଦେଇଛନ୍ତି। କୋଣାର୍କ ଉତ୍ସବରେ ନୃତ୍ୟ ଓ ବାଲୁକା କଳା ବୁଲି ଦେଖିବା ପରେ ପର୍ଯ୍ୟଟକମାନେ ଉଡେନ୍‌ ରେସ୍ତେରାଁରେ ଦେଶୀ ବିଦେଶୀ ଖାଦ୍ୟରେ ଆପ୍ୟାୟିତ ହୁଅନ୍ତି। ମାତ୍ର ଏଥର ଆରମ୍ଭ ହୋଇଯାଇଥିବା କୋଣାର୍କ ଉତ୍ସବରେ ପର୍ଯ୍ୟଟକମାନେ ଆଉ ଏ ସୁବିଧା ପାଇବେ ନାହିଁ।

କିଛି ଦିନ ଭିତରେ ଫନି କ୍ଷତିଗ୍ରସ୍ତ ଓଡ଼ିଶା ଅଣ୍ଟା ସଳଖି ଛିଡ଼ା ହେବାକୁ ସମର୍ଥ ହୋଇପାରିଲା। ମାତ୍ର ଫନି ବାତ୍ୟାରେ ଅଧା ଉଜୁଡ଼ା ଉଡେନ୍‌ ରେସ୍ତୋରାଁକୁ ପର୍ଯ୍ୟଟନ ବିଭାଗ ସଜାଡ଼ି ପାରିଲା ନାହିଁ। ବାତ୍ୟା କ୍ଷତିଗ୍ରସ୍ତ ହେବା ପରେ ୨ ଦିନ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଅଥଚ କି ଦଶା ପଡ଼ିଲା କେଜାଣି, ଦୁଇଦିନରେ ଏହି ପ୍ରକଳ୍ପରେ ଗ୍ରହଣ ଲାଗିଗଲା। ଚକ୍ରାନ୍ତ କରାଯାଇ ଏହାର କାମ ବନ୍ଦ କରିଦିଆଗଲା। ଏହା ପରେ ଜୁନ୍‌ ୨୦ ତାରିଖରେ କୋଣାର୍କ ଗସ୍ତରେ ଯାଇଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରକଳ୍ପର ପୁନରୁଦ୍ଧାର ତୁରନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ବୋର୍ଡ ବୈଠକରେ ଏହି ପ୍ରକଳ୍ପର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ବି ନିଆଗଲା। ତଥାପି ପ୍ରକଳ୍ପ ଆଣ୍ଠେଇଲା।

publive-image

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ସେପ୍ଟେମ୍ବର ୩୦ ତାରିଖରେ କୋଣାର୍କ ଗସ୍ତରେ ଥିବା ପର୍ଯ୍ୟଟନ ସଚିବ ବିଶାଳ ଦେବ ଏହି ପ୍ରକଳ୍ପକୁ ପିପିପି ମୋଡ୍‌ରେ ଚଲାଯିବ ଏବଂ ଲିଜ୍‌ ସୂତ୍ରରେ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଓଟିଡିସି ପରିଚାଳିତ ଉଡେନ୍‌ ରେସ୍ତୋରାଁ ଦୀର୍ଘ ବର୍ଷ ହେବ ଲାଭରେ ଚାଲୁଛି। ପ୍ରତିବର୍ଷ ଲାଭାଂଶ ବଢ଼ିବଢ଼ି ଚାଲିଛି। ଏପରିକି ୨୦୧୭-୧୮ ବର୍ଷରେ ଚନ୍ଦ୍ରଭାଗା ଉଡେନ୍‌ ରେସ୍ତୋରାଁ ୩୭ ଲକ୍ଷ ୯୨ ହଜାର ୨୨୩ ଟଙ୍କା ଆୟ କରିଥିବା ବେଳେ ୨୦୧୮-୧୯ ବର୍ଷରେ ମୋଟ୍‌ ୩୯ଲକ୍ଷ ୧୨ହଜାର ୨୨୪ ଟଙ୍କା ଆୟ କରିଛି। ମାତ୍ର ଓଟିଡିସି ହାତରୁ ଏପରି ଲାଭଜନକ ରେସ୍ତୋରାଁକୁ ଛଡ଼ାଇ ନେଇ ଘରୋଇ ଅନୁଷ୍ଠାନ ହାତକୁ ବଢ଼େଇ ଦେବାର ମସୁଧା ଚାଲିଛି।

ଗତ ସେପ୍ଟେମ୍ବର‌ ୨୫ ତାରିଖରେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଟିଡିସିର ବୋର୍ଡ ବୈଠକରେ ପ୍ରକଳ୍ପର ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବାକୁ ନିଷ୍ପତ୍ତି ନିଆଗଲା। ମାତ୍ର ମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଓଟିଡିସି ଅଧ୍ୟକ୍ଷାଙ୍କ ବୋର୍ଡ ବୈଠକ ନିଷ୍ପତ୍ତିର ଟିକେ ବି ଗୁରୁତ୍ବ ରହିଲା ନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯେବେଠୁ ଚନ୍ଦ୍ରଭାଗା ଉଡେନ୍‌ ରେସ୍ତୋରାଁ ଲାଭ କରିବା ଆରମ୍ଭ କଲା। ପର୍ଯ୍ୟଟକଙ୍କ ଭିଡ଼ ଜମିବା ଆରମ୍ଭ ହେଲା ଏହା ଉପରେ କିଛି ଘରୋଇ କମ୍ପାନିର ଲୋଲୁପ ଦୃଷ୍ଟି ପଡ଼ିଥିଲା। ତେଣୁ ଯେବେ ‌ଫନି ରେସ୍ତୋରାଁକୁ ଭାଙ୍ଗି ଦେଲା, ସେତେବେଳେ ସେମାନଙ୍କୁ ଏକ ମଉକା ମିଳିଗଲା।

ପିପିପି ମୋଡ୍‌ରେ କୌଣସି ପ୍ରକଳ୍ପକୁ ଆଗେଇ ନେବାରେ ସମସ୍ୟା ନାହିଁ, ମାତ୍ର ଯେଉଁଠି ଓଟିଡିସି ପକ୍ଷରୁ ଏହା ପରିଚାଳିତ ହେବା ସହିତ ଆୟ ବଢ଼ି ଚାଲିଥିଲା, ସେଠାରେ ଘରୋଇ ସଂସ୍ଥାକୁ ଟାଣିବା କ’ଣ ଦରକାର ବୋଲି ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର ସଭାପତି ବେଣୁଧର ପାତ୍ର ପ୍ରଶ୍ନ କରିଛନ୍ତି। ସରକାର ମାସେ ପର୍ଯ୍ୟନ୍ତ ‘ଇକୋ-ରିଟ୍ରିଟ୍‌’ ଉତ୍ସବ କରି ଏହାର ପରିଚାଳନା ପାଇଁ ଲାଲୁଜୀ ଆଣ୍ଡ୍‌ ସନ୍‌ସକୁ ୮ କୋଟି ଟଙ୍କାର ଠିକା ଦେଇ ପାରୁଛନ୍ତି, ମାତ୍ର ୭ ମାସ ବିତି ଯାଇଥିଲେ ହେଁ ଏକ ରେସ୍ତୋରାଁକୁ ସଜାଡ଼ି ପାରୁନାହାନ୍ତି। ପର୍ଯ୍ୟଟନକୁ ନେଇ ସରକାର ରୋଡ୍‌ ସୋ’ କରନ୍ତୁ କି କାନ୍ଥ ବାଡ଼‌ରେ ପୋଷ୍ଟର୍‌ ଲଗାଇ ପ୍ରଚାରପ୍ରସାର କରନ୍ତୁ। ମାତ୍ର ନିଜ ଆଗେ ନିଜ ବ୍ୟାବସାୟିକ ଘରକୁ ସଜାଡ଼ିବା ବି ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe