Advertisment

କଥାକାର ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ

Advertisment
କଥାକାର ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଆ ସାହିତ୍ୟର ଯଶସ୍ୱୀ କଥାକାର ଚନ୍ଦ୍ରଶେଖର ଦାସବର୍ମାଙ୍କର ସୋମବାର ଦିନ ଏକ ଘରୋଇ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ, ପୁଅ, ବୋହୂ, ନାତୁଣୀ, ଝିଆରୀ, ପୁତୁରା କଥାଶିଳ୍ପୀ ଅଜୟ ମହାପାତ୍ର ଓ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

୧୯୪୫ ମସିହା ମାର୍ଚ୍ଚ ୧ ତାରିଖ‌ରେ ଜନ୍ମିତ ଚନ୍ଦ୍ରଶେଖର ୧୯୭୦ରୁ ଲେଖନୀ ଚାଳନା ଆରମ୍ଭ କରିଥିଲେ। ଦୀର୍ଘ ୪୨ ବର୍ଷର ନିରବଚ୍ଛିନ୍ନ ସାହିତ୍ୟ ସାଧନାରେ ବ୍ରତୀ ରହି ସେ ୨୫୦ରୁ ଅଧିକ ଗଳ୍ପ ଲେଖିଛନ୍ତି। ତାଙ୍କ ପ୍ରକାଶିତ ଗଳ୍ପ ସଂକଳନଗୁଡ଼ିକ ହେଲା, ‘ଅନ୍ୟ ମଣିଷ’, ‘ତୁଠ ନୂଆ ପୁରୁଣା’, ‘ସଂପର୍କ’, ‘ଅନ୍ୱେଷଣ’, ‘ପାଷାଣୀ କନ୍ୟା’, ‘ମେଘୁଆ ଆକାଶ’, ‘ଇନ୍ଦ୍ରଧନୁ’, ‘ମୋପାସା ରେସ୍ତୋରାଁ’, ‘ଏକ ଯବ ସ୍ୱର ଅନେକ’, ‘ସ୍ୱପ୍ନର ସହର’, ‘ବୋମା’, ‘ଝଡ଼ ଓ ଅନ୍ୟାନ୍ୟ ଗପ’, ‘ଉଜୁଡ଼ା ଘରର ନକ୍ସା’, ‘ପ୍ରେମ ଓ ସୁନାମି’, ‘ଗଳ୍ପ ସମଗ୍ର -୧’, ‘ଗଳ୍ପ ସମଗ୍ର -୨’ ଓ ‘ଗଳ୍ପ ସମଗ୍ର-୩’। ଏତଦ୍‌ବ୍ୟତୀତ ସେ ୯ଟି ଅନୁବାଦ ପୁସ୍ତକ, ତିନୋଟି ନାଟ୍ୟ ସଂକଳନ, ଗୋଟିଏ ପ୍ରବନ୍ଧ ଓ ଗୋଟିଏ ଆଲୋଚନା ଗ୍ରନ୍ଥ ରଚନା କରିଛନ୍ତି।

ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତିଟି ବିଭାଗରେ ଲେଖନୀ ଚାଳନା କରିଥିବା ସ୍ବର୍ଗତ ଦାସବର୍ମା ସାହିତ୍ୟ ପତ୍ରିକାର ସଂପାଦକ ଭାବେ ମଧ୍ୟ ଓଡ଼ିଆ ପାଠକ ମହଲରେ ବେଶ୍ ପରିଚିତ। କଥାକାର, ତ୍ରିବେଣୀ, ଅଧୁନା ଓ ପୂନେଇଁ ଜହ୍ନ ଭଳି ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ସଂପାଦନା କରି ସେ ତାଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରୀତିର ପ୍ରମାଣ ରଖିଯାଇଛନ୍ତି। ପ୍ରଖ୍ୟାତ ହିନ୍ଦୀ ଲେଖକ କ୍ରିଷନ୍ ଚନ୍ଦରଙ୍କ ‘ଗୋଟିଏ ଗଧର ଆତ୍ମକଥା’ ଲାଗି ସେ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ଲାଭ କରିଛନ୍ତି। ୨୦୧୪ ମସିହାରେ ତାଙ୍କ ଗଳ୍ପ ସଂକଳନ ‘ଝଡ଼ ଓ ଅନ୍ୟାନ୍ୟ ଗଳ୍ପ’ ସଂସ୍କୃତରେ ଅନୁବାଦିତ ହୋଇ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଛି।

ସ୍ବର୍ଗତ ଦାସବର୍ମା ଓଡ଼ିଶା ସାହିତ୍ୟ ଏକାଡେମିର ସଂପାଦକ ଓ ଉପସଭାପତି ଭାବେ ସୂଚାରୁରୂପେ କାର୍ଯ୍ୟ ସଂପାଦନା କରିଛନ୍ତି। ସେ ଜଣେ ଦକ୍ଷ ଯନ୍ତ୍ରୀ ଭାବେ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରି ମୁଖ୍ୟଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ଆଦିକବି ସାରଳା ଦାସ ସମ୍ମାନ, ଫକୀର ମୋହନ ଗଳ୍ପ ପୁରସ୍କାର, ଉପେନ୍ଦ୍ର ଭଞ୍ଜ ପୁରସ୍କାର, ଚିନ୍ତା ଓ ଚେତନା ପୁରସ୍କାର, ଗୋକର୍ଣ୍ଣିକା ପୁରସ୍କାର ଓ ଜୀବନ ରଙ୍ଗ ପୁରସ୍କାର ଭଳି ସେ ବହୁ ସମ୍ମାନଜନକ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ସାରସ୍ବତ ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe