ଖାଁ ଖାଁ ଚାନ୍ଦୁଆ ନଗରୀ, ବାଇପାସ୍‌ ପରେ ବାତ୍ୟା ସାଜିଲା କାଳ

Advertisment
ଖାଁ ଖାଁ ଚାନ୍ଦୁଆ ନଗରୀ, ବାଇପାସ୍‌ ପରେ ବାତ୍ୟା ସାଜିଲା କାଳ

ଭୁବନେଶ୍ବର, (ସତ୍ୟ ନାରାୟଣ ରାଉତରାୟ): ଦିନେ ଚାନ୍ଦୁଆ ନଗରୀକୁ ପ୍ରବେଶ ମାତ୍ରେ ଶହଶହ ଗାଡ଼ି ଅଟକି ଯାଉଥିଲା। ଛୁଞ୍ଚି ମୁନରେ କାରିଗରୀର ସ୍ପର୍ଶ ପର୍ଯ୍ୟଟକଙ୍କୁ ପିପିଲି ରାସ୍ତାରେ ଅଟକାଇବାକୁ ବାଧ୍ୟ କରୁଥିଲା। ଏବେ କିନ୍ତୁ ସଂଜ ନଇଁଲେ ଚାନ୍ଦୁଆ ନଗରୀ ଖାଁ ଖାଁ। ବାଇପାସ୍‌ ଏମିତି ଚଡ଼କ ପକେଇଥିଲା ଯେ, ଆଜି ଯାଏଁ ଚାନ୍ଦୁଆ କାରିଗରମାନେ ସେଥିରୁ ମୁକୁଳି ପାରିନାହାନ୍ତି। ସେଥିରେ ପୁଣି ‘ଫନି’ର ତାଣ୍ଡବ ଦଶା ଆହୁରି ବଢ଼ାଇ ଦେଇଛି।

ବାତ୍ୟା ପରଠୁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ତେଣୁ ଗରମରେ କାମ କରିବା ସମ୍ଭବ ହେଉନାହିଁ। ଯାହା ଯେମିତି‌ ଗ୍ରାହକ ଆସୁଛନ୍ତି ତାଙ୍କ ମନ ମୁତାବକ ଜିନିଷ ଯୋଗାଇ ହେଉନାହିଁ। ଏମିତି ବି ସନ୍ଧ୍ୟାରେ ୭୦ ଭାଗ ବେପାର ହୁଏ। ଏବେ କିନ୍ତୁ ବିଦ୍ୟୁତ ସରବରାହ ନଥିବାରୁ ସଂଜ ନଇଁଲେ ଦୋକାନରେ ତାଲା ଠୁଙ୍କିବାକୁ ପଡ଼ୁଛି ବୋଲି କହିଛନ୍ତି ଚାନ୍ଦୁଆ ବ୍ୟବସାୟୀ ସନ୍ତୋଷ ମହାରଣା। ଏହା ଦ୍ବାରା କେବଳ ଚାନ୍ଦୁଆ ବେପାରୀମାନେ କ୍ଷତିଗ୍ରସ୍ତ ହୋଇନାହାନ୍ତି। ପିପିଲି ସମେତ ଡେଲାଙ୍ଗ, କଣାସ, ଦାଣ୍ଡମୁକୁନ୍ଦପୁର, ଚିତଳପୁର, ଦଇଶପାଟଣା, ଧାନପୁର ଓ ଗୌରୀ ସାହିର ଘରେ ଘରେ ଚାନ୍ଦୁଆ ପ୍ରସ୍ତୁତିରେ ଲିପ୍ତ ଥିବା ମହିଳା କାରିଗରମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି।

୩ଟି ଜୋନ୍‌ରେ ବିଭାଜିତ ହୋଇଥିବା ଏହି ହାଟ ମଧ୍ୟରେ ପେଟ୍ରୋଲ୍‌ ପମ୍ପ୍‌ ଛକ ପର୍ଯ୍ୟନ୍ତ ଦିନେ ଶତାଧିକ ଚାନ୍ଦୁଆ ଦୋକାନ ଥିଲା। ଅଥଚ ଏବେ କେତୋଟି ହାତ ଗଣତି ଦୋକାନ ହିଁ ଏହି ଚାନ୍ଦୁଆ ବେପାର ସହ ଜଡ଼ିତ ଅଛନ୍ତି। ଦିନେ ଏହି ନଗରୀରେ ଚାନ୍ଦୁଆ ଚଉକା, ଝାଲର, ଫୁ୍‌ଲ, ଆଲଟ, ୱାଲ୍‌ ହ୍ୟାଙ୍ଗିଙ୍ଗ୍‌, ଝୁଲଣା ଆକର୍ଷଣ କରୁଥିଲା। ମାତ୍ର ଏବେ ଏହି ଦୋକାନ ଗୃହରେ କୋଉଠି ‌କବାଡ଼ି ଖାନା ତ କୋଉଠି ଗୋଦାମ ଘର, ଗ୍ୟାରେଜ, ଚପଲ ଓ ଚା’ ଦୋକାନ ଛିଡ଼ା ହେଲାଣି। ଯାହା ବି ହେଉ, ପିପିଲି ହାଟ ତା’ର ଅସ୍ତିତ୍ବକୁ ବଞ୍ଚାଇ ରଖିଥିଲା। କିନ୍ତୁ ‘ଫନି’ର ପ୍ରଳୟ ବେପାରୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏପରିସ୍ଥଳେ କିଛି କାରିଗର ଏହି ବ୍ୟବସାୟକୁ ବଞ୍ଚାଇ ରଖିବେ ନା ଛାଡ଼ିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଲେଣି।

ତେବେ ବାଇପାସ୍‌ ଦୁଃଖ ଏଯାଏଁ ଚାନ୍ଦୁଆ ବେପାରୀଙ୍କ ମନରୁ ଲିଭିନି। ୨୦୧୨ରେ ଯେବେ ନୂଆ ବାଇପାସ୍‌ ରୋଡ୍‌ କାମ ଆରମ୍ଭ ହେଲା ସେବେଠୁ ନିଜ କୌଳିକ ବୃତ୍ତିକୁ ନେଇ ଆତଙ୍କିତ ହୋଇ ପଡ଼ିଥିଲେ କାରିଗରମାନେ। ଏବେ ପୁଣି ବାତ୍ୟା ଫନି ରୂପରେ ଆଉ ଏକ ବିଧା ‌ଚାନ୍ଦୁଆ ବେପାରୀମାନଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe