ବଦଳୁଛି ମା’ ତାରିଣୀ ମନ୍ଦିର ରୂପରେଖ

Advertisment
ବଦଳୁଛି ମା’ ତାରିଣୀ ମନ୍ଦିର ରୂପରେଖ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ପୀଠ ଓଡ଼ିଶାର ଦ୍ବିତୀୟ ପ୍ରମୁଖ ଶକ୍ତି ପୀଠ। ଦିନକୁ ଦିନ ଏହି ପୀଠର ରୂପରେଖ ବଦଳୁଛି। ଯେଉଁଥିପାଇଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ତ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରୁ  ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ମା’ ତାରିଣୀଙ୍କ ଦର୍ଶନ କରୁଛନ୍ତି।

ପୂର୍ବରୁ ପୀଠକୁ ଅଙ୍କାବଙ୍କା ପାଦଚାଲା ରାସ୍ତା ଥିଲା। ଏବେ ୪ ଲେନ୍‌ ବିଶିଷ୍ଟ ରାସ୍ତା ହୋଇଛି। ଏପରିକି ରେଳପଥ ମଧ୍ୟ ସଂଯୋଗ ହୋଇଛି। ଗମନାଗମନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଯୋଗୁଁ ଶ୍ରଦ୍ଧାଳୁଙ୍କ ସମାଗମ ଅହେତୁକ ବୃଦ୍ଧି ପାଉଛି। ୫ ବର୍ଷ ମଧ୍ୟରେ ମନ୍ଦିରର ଭିତ୍ତିଭୂମି ସୁଦୃଢ଼ କରାଯାଇଛି। ଗାଡ଼ି ପାର୍କିଂ ସୁବିଧା ସାଙ୍ଗକୁ ଶୌଚାଳୟ ଓ ଜୋତାଷ୍ଟାଣ୍ତ ରହିଛି।

ଭୋଗ ଦୋକାନରେ କମ୍ପ୍ୟୁଟରାଇଜଡ୍‌ ବିଲ୍‌ ବ୍ୟବସ୍ଥା ହୋଇଛି। ଶୀତତାପ ନିୟନ୍ତ୍ରିତ ପ୍ରସାଦଳୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ହରିଚନ୍ଦନପୁର ରେଳଷ୍ଟେସନରୁ ଶ୍ରଦ୍ଧାଳୁଙ୍କୁ ନେବା ଆଣିବା ପାଇଁ ୨୦ ଟଙ୍କାରେ ବସ୍‌ସେବା ଯୋଗାଇ ଦିଆଯାଉଛି। ଅନ୍‌ଲାଇନ୍‌ରେ ଦାନଦକ୍ଷିଣା ଗ୍ରହଣ କରାଯାଉଛି। ଶୀତତାପ ନିୟନ୍ତ୍ରିତ ବିଶ୍ରାମ କକ୍ଷ ଓ ଚୁଳ ସର୍ମପଣ ମଣ୍ତପ ନିର୍ମାଣ କରାଯାଇଛି। ପୀଠ ପରିସରରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା, ୫ଟି ମୁଖ୍ୟ ଫାଟକ ଓ ପ୍ରସ୍ଥାନ ମୁଖଶାଳାକୁ ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଛି।

ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ସୁଲଭ ମୂଲ୍ୟରେ ଯାତ୍ରୀନିବାସ ଓ ଅତିଥି ନିବାସ ରହିଛି। ମାନସିକ ନଡ଼ିଆ ସଂଗ୍ରହ ପାଇଁ ରାଜ୍ୟର ବିଭିନ୍ନ ବସ୍‌ଷ୍ଟାଣ୍ତରେ ନଡ଼ିଆ ହୁଣ୍ତି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥାପନ କରାଯାଇଛି। କଟକ, ଭୁବନେଶ୍ବର, ବ୍ରହ୍ମପୁର, ଯାଜପୁର, ଭଦ୍ରକ, ବାରିପଦା, ରାଉରକେଲା, ବାଲେଶ୍ବର, ରାଇରଙ୍ଗପୁର, କରଞ୍ଜିଆ, ବଡ଼ବିଲ, କେନ୍ଦୁଝର ବସ୍‌ଷ୍ଟାଣ୍ତରେ ଥିବା ହୁଣ୍ଡିରୁ ପ୍ରତିଦିନ ଗାଡ଼ି ଯାଇ ନଡ଼ିଆ ସଂଗ୍ରହ କରୁଛି। ମନ୍ଦିର ପରିସରରେ ୭୦ରୁ ଅଧିକ ସିସି କ୍ୟାମେରା ଲାଗିଛି।

ସେହିପରି ମନ୍ଦିର ପଛପଟ ପୋଖରୀର ପୁନୁରୁଦ୍ଧାର ସହ ଏହାର ଚାରିପଟେ ପାଦଚାଲା ରାସ୍ତା ପାଇଁ ପିଭରବ୍ଲକ୍‌ ବିଛାଯାଇ ଓ ଆଲୋକୀକରଣ କରାଯାଇଛି। ବସିବା ପାଇଁ ପିଣ୍ତି ନିର୍ମାଣ କରାଯାଇଛି। ଏହି ସ୍ଥାନରେ ଫୁଲଗଛ ଲଗାଯାଇ ସଜାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ପୁଲିସ ବିଭାଗ ତରଫରୁ ମନ୍ଦରି ପରିସରରେ ଏକ ଫାଣ୍ତି ରହିଛି। ଏଠାରେ ଜଣେ ଏସ୍‌ଆଇ, ଦୁଇଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୮୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି। ଗାଡ଼ି ପାର୍କି ସୁବିଧା, ପାଚେରିନିର୍ମାଣ, ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ,ଭୋଗ ଦୋକନୀଙ୍କୁ ଥଇଥାନ, ଧର୍ମଶାଳା, ଅଧିକ ଶୌଚାଳୟ ନିର୍ମାଣ, ଘଟଗାଁ ବାଇପାସ୍‌ଠାରୁ ମନ୍ଦିର ଦେଇ କଲେଜ ଛକ ପର୍ଯ୍ୟନ୍ତ ରାତିରେ ଆଲୋକ ବ୍ୟବସ୍ଥା, ଦୁଇପାର୍ଶ୍ବରେ ସ୍ବାଗତ ତୋରଣ ନିର୍ମାଣ ପାଇଁ ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe