ବଦଳିବ ଯୁକ୍ତ୨ ପରୀକ୍ଷା ଢାଞ୍ଚା: ପ୍ରଶ୍ନପତ୍ରରେ ସମସ୍ତ ୟୁନିଟ୍‌ରୁ ଆସିବ ପ୍ରଶ୍ନ

Advertisment

ଶିକ୍ଷାବର୍ଷ ଆରମ୍ଭରୁ ହେବ ଫର୍ମ ପୂରଣ, ୨୦୨୫-୨୬ରୁ ଲାଗୁ ହେବ ନୂଆ ସିଲାବସ୍‌

ଶିକ୍ଷାବର୍ଷ ଆରମ୍ଭରୁ ହେବ ଫର୍ମ ପୂରଣ, ୨୦୨୫-୨୬ରୁ ଲାଗୁ ହେବ ନୂଆ ସିଲାବସ୍‌

ପରୀକ୍ଷାରେ କପି ରୋକିବା ପାଇଁ ଲୋକସଭାରେ ବିଲ୍ ଉପସ୍ଥାପିତ

ଭୁବନେଶ୍ବର: ଯୁକ୍ତ୨ ପାଠ୍ୟକ୍ରମ ଓ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି। ପାଠ୍ୟଖସଡ଼ାକୁ ସଂକ୍ଷିପ୍ତ କରାଯିବା ସହ ପରୀକ୍ଷାକୁ ଆହୁରି ସରଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସିବିଏସ୍‌ଇ ଢାଞ୍ଚା ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ବିଷୟର ପ୍ରତି ୟୁନିଟ୍‌ ଅନୁଯାୟୀ ପ୍ରଶ୍ନପତ୍ରରେ ସଂକ୍ଷିପ୍ତ ପ୍ରଶ୍ନ ପଡ଼ିବ। ଫଳରେ ପାଠପଢ଼ା‌ ସମୟରେ ପିଲାମାନେ ସମସ୍ତ ବିଷୟକୁ ସମାନ ଭାବେ ଗୁରୁତ୍ବ ଦେଇ ପଢ଼ିବେ। ୧୦୦ ମାର୍କ ପରୀକ୍ଷାରେ ଛାତ୍ରଛାତ୍ରୀ ୮୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ସମ୍ମୁଖୀନ ହେବେ। ପ୍ରଶ୍ନପତ୍ରରେ ୫୦% ମାର୍କର ମଲଟିପୁଲ୍‌ ଚଏସ୍‌ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ କିମ୍ବା ୨ ନମ୍ବର ଲେଖାଏଁ ରହିବ। ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ପିଲାଙ୍କ ପାଇଁ ଅଧିକ ଅପ୍‌ସନ୍‌(ବିକଳ୍ପ) ରଖାଯିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ପ୍ରଶ୍ନପତ୍ରରେ ମାତ୍ର ୨୦% ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ସିଲାବସ୍‌ ବାହାରୁ ଯେପରି ପ୍ରଶ୍ନ ନ ଆସିବ ସେଥିପ୍ରତି ପରିଷଦ ପକ୍ଷରୁ ଗୁରୁତ୍ବ ଦିଆଯିବ।
ଅନ୍ୟପକ୍ଷରେ ଯୁକ୍ତ୨ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆଗୁଆ ଫର୍ମ ପୂରଣ କରାଯିବ।

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏକ୍ସ-ରେଗୁଲାର ଓ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ଫଳରେ ଛାତ୍ରଛାତ୍ରୀଙ୍କୁ ଶେଷ ମୂହୁର୍ତ୍ତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେବଳ ଆଡମିଟ୍‌ କାର୍ଡ ଗ୍ରହଣ କରିବାକୁ ହେବ। ନଭେମ୍ବର ପ୍ରଥମ ସପ୍ତାହରେ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍‌ ଟେଷ୍ଟ ଅନୁଷ୍ଠିତ ହେବ। ଥିଓରି ପରୀକ୍ଷା ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ପରୀକ୍ଷା ସୂଚୀ ଜାରି କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। ଯୁକ୍ତ୨ ଥିଓରି ପରୀକ୍ଷା ୨୦୨୫ ଫେବ୍ରୁଆରି ମାସରୁ ଆରମ୍ଭ ହୋଇ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ‌ଶେଷ କରାଯିବ। ଏଥର ମଧ୍ୟ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ବିଷୟଗୁଡ଼ିକର ପରୀକ୍ଷା ଏକାସାଙ୍ଗରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ପ୍ରଥମ ସପ୍ତାହରେ ହିଁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି।

କେବଳ ସେତିକି ନୁ‌ହେଁ, ଯୁକ୍ତ୨ ପାଠ୍ୟଖସଡ଼ାରେ ମଧ୍ୟ ପରିବର୍ତ୍ତନ ଆଣିବା ଦିଗରେ ପରିଷଦ କାର୍ଯ୍ୟ ଆରମ୍ଭ କରିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ବିଭିନ୍ନ ବିଷୟର କମିଟି ଏକାଧିକ ବୈଠକ କରି ବ୍ୟାପକ ଆଲୋଚନା କରିଛନ୍ତି। ଏନ୍‌ସିଇଆରଟି ଆଧାରରେ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଉଛି। ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଏବେ ଯେତିକି ପାଠ୍ୟଖସଡ଼ାରେ ଶିକ୍ଷା ଗ୍ରହଣ କରୁଛନ୍ତି ତାହାକୁ ଆହୁରି ହ୍ରାସ କରାଯିବ। ବର୍ତ୍ତମାନ ସମୟରେ ଧନ୍ଦାମୂଳକ ବିଭାଗରେ ଆବଶ୍ୟକତା ନ ଥିବା ପାଠ୍ୟକୁ ପାଠ୍ୟଖସଡ଼ାରୁ ବାଦ୍‌ ଦିଆଯାଇ ଏଆଇ, ରୋବୋଟିକ୍‌ ପରି ନୂଆ ନୂଆ ପାଠ୍ୟଖସଡ଼ାକୁ ସାମିଲ କରାଯାଉଛି। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଛି। ‌ତେବେ ଏଥର ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ସିଲାବସ୍‌ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe