ଶ୍ରୀକ୍ଷେତ୍ରରେ ବେଦଧ୍ବନି: ୩ଟାରେ ଯଜ୍ଞକୁଣ୍ଡରେ ଅଗ୍ନିସଂଯୋଗ, ମନ୍ତ୍ରପାଠ, ନାମ ସଂକୀର୍ତ୍ତନରେ କମ୍ପୁଛି

ଶ୍ରୀକ୍ଷେତ୍ରରେ ବେଦଧ୍ବନି: ୩ଟାରେ ଯଜ୍ଞକୁଣ୍ଡରେ ଅଗ୍ନିସଂଯୋଗ, ମନ୍ତ୍ରପାଠ, ନାମ ସଂକୀର୍ତ୍ତନରେ କମ୍ପୁଛି

ପୁରୀ: ବେଦପାଠ ସାଙ୍ଗକୁ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେବ ଶ୍ରୀମନ୍ଦିର ଚାରିଦ୍ବାର। ଋଗ୍‌ବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବବେଦ ପାଠରେ ଏକାକାର ହେବ ଖଣ୍ଡମଣ୍ଡଳ। ଷୋହଳ ଶାସନ ବ୍ରାହ୍ମଣଙ୍କ ଦ୍ବାରା ପ୍ରଭୁ ନୃସିଂହଙ୍କ ମନ୍ତ୍ରରେ ମନ୍ତ୍ରସିକ୍ତ ହେବ ଶ୍ରୀମନ୍ଦିର ଐଶାନ୍ୟ କୋଣ ମହାଯଜ୍ଞ ସ୍ଥଳ। ଏହା ପୂର୍ବରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ବର, ଦୁର୍ଗାମାଧବ ସହ ଦଶ ଦିଗପାଳକୁ ଆବାହନ କରାଯାଇଛି। ଅଷ୍ଟନାଗ ଓ ଅଷ୍ଟନାଗୁଣୀଙ୍କୁ ମଧ୍ୟ ଆବାହନ କରାଯାଇଛି। ଯଜ୍ଞସ୍ଥଳରେ ଧ୍ବଜାସ୍ଥାପନ ସହ ଦେବୀମଣ୍ଡଳ, ଭଦ୍ରମଣ୍ଡଳ ଆଦି ମଣ୍ଡଳ ଅଙ୍କନ ସହ ଏଥିରେ କଳସ ସ୍ଥାପନ ସରିଛି। ଆଜି ସଂଧ୍ୟା ୫ଟା ପୂର୍ବରୁ ଯଜ୍ଞ ଅଧିବାସ ନୀତି ଶେଷ ହୋଇଛି।

ସୋମବାର ପବିତ୍ର ମକର ସଂକ୍ରାନ୍ତିର ସୂର୍ଯ୍ୟୋଦୟ ପରେ ଅଖଣ୍ଡ ଦୀପ ପ୍ରଜ୍ଜ୍ବଳନ ପୂର୍ବକ ମହାଯଜ୍ଞର ଶୁଭାରମ୍ଭ ହେବ। ବରଣ ହୋଇଥିବା ବ୍ରାହ୍ମଣମାନେ ଚଣ୍ଡୀପାଠ ସହ ଅନ୍ୟାନ୍ୟ ମନ୍ତ୍ରପାଠ କରିବେ। ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ପ୍ରଜ୍ଜ୍ବଳନ ଓ ଅପରାହ୍ଣ ୩ଟାରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚୟନ ହୋଇଥିବା ୪୮ଜଣ ଆଚାର୍ଯ୍ୟ ବି ଯଜ୍ଞସ୍ଥଳରେ ଏକାଠି ହୋଇଛନ୍ତି। ସେପଟେ ପଞ୍ଚ ମହାଦେବ ଓ ଅନ୍ୟ ଦେବଦେବୀ ପୀଠରେ ତିନିଦିନ ବ୍ୟାପୀ ପୂଜାର୍ଚ୍ଚନାର ବ୍ୟାପକ ଆୟୋଜନ କରାଯାଇଛି।

ଏ ନେଇ ଭକ୍ତଙ୍କ ଉତ୍କଣ୍ଠା ବଢ଼ିଛି। ଏବେଠୁ ଭକ୍ତଙ୍କ ଭିଡ଼ ଶ୍ରୀକ୍ଷେତ୍ରରେ ପରିଲିକ୍ଷିତ ହେଲାଣି। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶକୁ ଦେଖିବାକୁ ଦୂରଦୂରାନ୍ତରରୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ କେବଳ ଶ୍ରୀକ୍ଷେତ୍ର ନୁହେଁ, ସାରା ରାଜ୍ୟରେ ଅନୁଭୂତ ହେଉଛି ଆଧ୍ୟାତ୍ମିକ ବାତାବରଣ। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଛି ପୁରପଲ୍ଲୀ। ଉତ୍ସବମୁଖର ଶ୍ରୀକ୍ଷେତ୍ରକୁ ଏବେଠୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଭକ୍ତଙ୍କୁ ଭିନ୍ନ ଅନୁଭୂତି ଦେବାକୁ ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି। ଯଜ୍ଞସ୍ଥଳ ସହ ଶ୍ରୀକ୍ଷେତ୍ରର ପ୍ରମୁଖ ପ୍ରବେଶ ପଥରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ସୋମବାର ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୧ଟା ଭିତରେ ଅଖଣ୍ଡଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟବରଣ, ମଣ୍ଡଳପୂଜନ ବିଧି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ଓ ଅନ୍ତଃପ୍ରଦକ୍ଷିଣ ମାର୍ଗରେ ନାମ ସଂକୀର୍ତ୍ତନ ହେବ। ଅପରାହ୍ଣ ୩ଟାରେ ଯଜ୍ଞକୁଣ୍ଡରେ ଅଗ୍ନିସଂଯୋଗ ସହ ଯଜ୍ଞ, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ବିଧି ଅନୁଷ୍ଠିତ ହେବ। ୧୬ ତାରିଖରେ ମଧ୍ୟ ଯଜ୍ଞ ଅନୁଷ୍ଠିତ ହେବ। ୧୭ ତାରିଖରେ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ପ୍ରକଳ୍ପ ଲୋକାର୍ପଣ ହେବ। ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ। ଏ ନେଇ ଗତ ୧୨ ତାରିଖରେ ଅଙ୍କୁରୋପଣ ଓ ଅଙ୍କୁରପୂଜନ ବିଧି ଅନୁଷ୍ଠିତ ହୋଇଯାଇଛି। ତିନିଦିନ ଧରି ଅଙ୍କୁରପୂଜନ ବିଧି ଚାଲିଛି। ଲୋକାର୍ପଣ ଉତ୍ସବରେ ଚୟନ ହୋଇଥିବା ୧୦୮ଜଣ ବ୍ରାହ୍ମଣଙ୍କ ମଧ୍ୟରୁ ଯଜ୍ଞସ୍ଥଳରେ ୪୮ଜଣ ବ୍ରାହ୍ମଣ ମନ୍ତ୍ରପାଠ ଓ ପୂଜାର୍ଚ୍ଚନା କରିବେ। ୬୦ଜଣ ବ୍ରାହ୍ମଣ ବେଦପାଠ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe