Sambalpur University
ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସର ବାର୍ଷିକ ଉତ୍ସବରେ ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ରବିବାର ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇବ୍ ଛାତ୍ରାବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ଖୁବ୍ ଧୁମଧାମରେ ଉତ୍ସବ ଚାଲିଥିଲା। ରାତ୍ରି ଭୋଜନ ସମୟରେ କୌଣସି କାରଣରୁ ଉକ୍ତ ଛାତ୍ରାବାସର ଶିକ୍ଷା ବିଭାଗର ଜଣେ ଛାତ୍ର ଓ ନୃତତ୍ତ୍ବ ବିଭାଗର ଜଣେ ଛାତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଗଣ୍ଡଗୋଳର ରୂପ ନେଇଥିଲା।
ଏଥିରେ ଶିକ୍ଷା ବିଭାଗର ଛାତ୍ର ଅନ୍ୟ ଛାତ୍ରକୁ ମାଡ଼ ମାରିଥିବା ଅଭିଯୋଗ କରିଥିଲା। ଅଭିଯୋଗ ପରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ କୁଳସଚିବ ଡ. ନୃପରାଜ ସାହୁ , ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ, ହଷ୍ଟେଲ ୱାର୍ଡେନ ପ୍ରଫେସର ଟି.କେ ଦାଶଙ୍କ ସହ ସମସ୍ତ ଛାତ୍ରାବାସର ଅଧୀକ୍ଷକମାନଙ୍କୁ ନେଇ ମଙ୍ଗଳବାର ଶୃଙ୍ଖଳା କମିଟି ବୈଠକ ବସିଥିଲା। ଶୃଙ୍ଖଳା କମିଟି ବୈଠକରେ ଶିକ୍ଷା ବିଭାଗର ଛାତ୍ର ଦୋଷୀ ହୋଇଥିବାରୁ ଉକ୍ତ ଛାତ୍ରକୁ ଆସନ୍ତା ୩ ମାସ ପାଇଁ ଛାତ୍ରାବାସରୁ ବହିଷ୍କାର କରାଯାଇଥିବା ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
Follow Us