ବିଧାନସଭାରେ ବିଶୃଙ୍ଖଳା ସୀମା ଲଂଘିଲା: ବିଧାୟକ ହାତାହାତି, ବିଜେପି-କଂଗ୍ରେସ ବିଧାୟକ ଲଢ଼ିଲେ

Advertisment

ବିଧାନସଭା ଗୃହରେ ଆଜି ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଧସ୍ତାଧସ୍ତି ହୋଇଛନ୍ତି। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ସେମାନେ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲେ।

ବିଧାନସଭା ଗୃହରେ ଆଜି ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଧସ୍ତାଧସ୍ତି ହୋଇଛନ୍ତି। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ସେମାନେ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲେ।

fsfsfxccd

ଭୁବନେଶ୍ବର: ବିଧାନସଭା ଗୃହରେ ଆଜି ଚରମ ବିଶୃଙ୍ଖଳା ଦେଖିବାକୁ ମିଳିଛି। ଗୃହ ମଧ୍ୟ ଭାଗରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଧସ୍ତାଧସ୍ତି ହୋଇଛନ୍ତି। ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ସେମାନେ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲେ। ବିଧାୟକମାନଙ୍କର ଏହି ଉଚ୍ଛୃଙ୍ଖଳ ଆଚରଣକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି। ଗତକାଲି ପରି ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ଓଡ଼ିଶାର ଅଖଣ୍ଡତାକୁ ବିଜେଡି ପ୍ରସଙ୍ଗ କରିଥିଲା ବେଳେ କଂଗ୍ରେସ ମହିଳା ନିର୍ଯାତନାର ପ୍ରତିବାଦ କରିଥିଲା। ବିଜେଡି ବିଧାୟକମାନେ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ହାତରେ କଳାପଟି ବାନ୍ଧିଥିଲେ। କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ପ୍ରସଙ୍ଗ ଉଠାଇ ବେକରେ ବ୍ୟାନର୍ ଓହଳାଇବା ସହ ହାତରେ ପ୍ଲାକାର୍ଡ ଧରିଥିଲେ। ଉଭୟ ଦଳ ସଭ୍ୟଙ୍କ ନାରାବାଜିରେ ଗୃହ କମ୍ପିଥିଲା। କିନ୍ତୁ ବାଚସ୍ପତି ପ୍ରଶ୍ନକାଳ ଜାରି ରଖିଥିଲେ। ପ୍ରାୟ ଅଧଘଣ୍ଟା ଧରି ପ୍ରଶ୍ନକାଳ ଚାଲିଥିଲା। 

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ପ୍ରଶ୍ନର ଉତ୍ତର ଦେଲା ବେଳେ ତାରାପ୍ରସାଦ ବାହିନୀପତିଙ୍କ ସମେତ କଂଗ୍ରେସର ଅନ୍ୟ ସଭ୍ୟମାନେ ତାଙ୍କ ସାମ୍ନାକୁ ମାଡ଼ି ଆସିଥିଲେ। ସେମାନେ ଜୋରରେ ହୋହଲ୍ଲା କରିଥିଲେ। ମନ୍ତ୍ରୀଙ୍କ ମାଇକ୍‌ ସାମ୍ନାରେ ପାଟି କରିବା ସହ କାଗଜ ଛଡ଼ାଇବାକୁ ଉଦ୍ୟମ କରିବା‌ରୁ ମନ୍ତ୍ରୀ ଉତ୍ତର ଦେଇପାରି ନଥିଲେ। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମନ୍ତ୍ରୀଙ୍କ ନିକଟକୁ ଆସିଥିଲେ। ସେ ହାତ ଠାରି ବିଜେପିର ବିଧାୟକମାନଙ୍କୁ ଡାକି ଦେଇଥିଲେ। ସଙ୍ଗେ ସଙ୍ଗେ ଶାସକ ଦଳର ବିଧାୟକମାନେ ଏକଜୁଟ୍ ହୋଇ କଂଗ୍ରେସ ବିଧାୟକଙ୍କ ଆଡ଼କୁ ମାଡ଼ି ଯାଇଥିଲେ। ତାହା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଲା। ଗୃହ ମଧ୍ୟ ଭାଗରେ ଉଭୟ ଦଳ ବିଧାୟକଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହେଲା। ବିଜେପିର ବରିଷ୍ଠ ସଭ୍ୟ ଜୟନାରାୟଣ ମିଶ୍ର ମଧ୍ୟ ନିଜେ ଗୃହ ମଧ୍ୟ ଭାଗକୁ ଯାଇ କଂଗ୍ରେସ ବିଧାୟକଙ୍କୁ ଠେଲିଥିଲେ। ଶ୍ରୀ ବାହିନୀପତିଙ୍କ କଲର୍ ଧରି ଶ୍ରୀ ମିଶ୍ର ଧକ୍କା ମାରିଥିଲେ ବୋଲି ଅଭିଯୋଗ ହୋଇଛି। କିଛି ସମୟ ପାଇଁ ଗୃହ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପରସ୍ପରକୁ ଧକ୍କା, ଗାଳିଗୁଲଜରେ ଗୃହ କମ୍ପିଥିଲା। ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଭୂତି ଜେନା ବହୁ କଷ୍ଟ କରି ଉଭୟ ଦଳର ବିଧାୟକମାନଙ୍କୁ ଅଲଗା କରାଇଥିଲେ। ଏହା ପରେ ବାଚସ୍ପତି ଗୃହକୁ ୧୨ଟା ୧୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ବିଧାନସଭାରେ ଏହି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା। ଗୃହ ମୁଲତବୀ ହେଲା ପରେ କଂଗ୍ରେସ ସଭ୍ୟମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ବିଜେଡି ସଭ୍ୟମାନେ ଅଖଣ୍ଡ ଓଡ଼ିଶା ଦାବିରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୃହ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଜେପି ବିଧାୟକମାନଙ୍କର ଏକ ଜରୁରିକାଳୀନ ବୈଠକ ଡକାଗଲା। ପ୍ରାୟ ଏକ ଘଣ୍ଟା ଧରି ଏହି ବୈଠକ ଚାଲିଲା। ୧୨ଟା ୧୦ରୁ ପୁଣି ଦୁଇଟି ପର୍ଯ୍ୟାୟରେ ୨୦ ମିନିଟ୍ ପାଇଁ ଗୃହ ମୁଲତବୀ ହେଲା। ୧୨ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ମଧ୍ୟ ଭାଗକୁ ମାଡ଼ି ଆସିଲେ। ସରକାରଙ୍କ ଗୁଣ୍ଡାଗର୍ଦ୍ଦି ଚଳିବ ନାହିଁ ବୋଲି କଂଗ୍ରେସ ସଭ୍ୟମାନେ ନାରାବାଜି କଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତି ଗୃହ କାର୍ଯ୍ୟ ଚଳାଇ ରଖିଲେ। ଶାସକ ଦଳର ସଭ୍ୟମାନେ ଆଜିର ଘଟଣା ପାଇଁ ବିରୋଧୀ କଂଗ୍ରେସ ଓ ବିଜେଡିକୁ ଦାୟୀ କରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ ଯେ ବିରୋଧୀ ଦଳର ସଭ୍ୟମାନେ ବିଧାନସଭାରେ ଅଶୋଭନୀୟ ଆଚରଣ କରୁଛନ୍ତି। ଗତକାଲି ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଲେ। ଆଜି ମନ୍ତ୍ରୀଙ୍କ ଉପରକୁ ମାଡ଼ି ଆସିଲେ। ଅଭଦ୍ର ଭାଷା ବି ବ୍ୟବହାର କଲେ। ଯେଉଁମାନେ ଏପରି ଆଚରଣ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶାସକ ଦଳ ସଭ୍ୟ ଈରାଶିଷ ଆଚାର୍ଯ୍ୟ, ଜଲେନ ନାଏକ, ଓମପ୍ରକାଶ ମିଶ୍ର, ଅଶୋକ କୁମାର ମହାନ୍ତି, ଲକ୍ଷ୍ମଣ ବାଗ, ଉପାସନା ମହାପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଆଶ୍ରିତ ପଟ୍ଟନାୟକ, ସନାତନ ବିଜୁଳି, ପ୍ରତାପ ଚନ୍ଦ୍ର ନାଏକ, ଅମର ନାୟକ, ସଞ୍ଜଳି ମୁର୍ମୁ, ଦୁର୍ଗା ପ୍ରସନ୍ନ ନାୟକ, ରୂପୁ ଭଦ୍ରା, ଭାସ୍କର ମଢ଼େଇ, ବାବୁ ସିଂହ ଓ ସନ୍ତୋଷ ଖଟୁଆ ପ୍ରମୁଖ ମତ ରଖିଥିଲେ।  

ଅପରାହ୍‌ଣ ୪ଟାରେ ବି ଗୃହରେ ଅଚଳାବସ୍ଥା ଜାରି ରହିଲା। ବିଭିନ୍ନ ପର୍ଯ୍ୟାୟରେ ଗୃହ ୫ଟା ୫୧ ପର୍ଯ୍ୟନ୍ତ ମୁଲତବୀ ରହିଲା। ଏହା ପରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ଦେଇଥିଲେ ଯେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗତକାଲି ଠାରୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହା ପରେ ବାଚସ୍ପତି କଂଗ୍ରେସ ଦଳର ବରିଷ୍ଠ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ଗୃହରୁ ନିଲମ୍ବନ କରାଗଲା ବୋଲି ଘୋଷଣା କରିଥିଲେ। ଶାସକ ଦଳର ସଭ୍ୟମାନେ ଏହାକୁ ସମର୍ଥନ କରିଥିଲେ।  
    ବାଚସ୍ପତିଙ୍କ ଘୋଷଣା ବେଳେ ତାରାଙ୍କ ସମେତ କଂଗ୍ରେସର ସଭ୍ୟମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରୁଥିଲେ। ଏହି ସମୟରେ ବିଜେଡି ସଭ୍ୟ ଅରୁଣ ସାହୁ କହିଥିଲେ, ଭୋଟିଂ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚର୍ଯ୍ୟ ପଏଣ୍ଟ ଅଫ୍ ଅର୍ଡର ମାଗିଥିଲେ। କିନ୍ତୁ ବାଚସ୍ପତି ସୁଯୋଗ ଦେଇ ନଥିଲେ। ଏହା ପରେ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ସମୟ ପରେ ବିଜେଡି ସଭ୍ୟମାନେ ଗୃହ ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ବିଧାୟକମାନେ ମୁହଁରେ କଳାପଟି ବାନ୍ଧି ମଧ୍ୟ ଭାଗରେ ବସିଥିଲେ। ପ୍ରାୟ ୧୫ ମିନିଟ୍ ପରେ ବାଚସ୍ପତି କହିଥିଲେ, ଶ୍ରୀ ବାହିନୀପତିଙ୍କୁ ସାତ ଦିନ ପାଇଁ ନିଲମ୍ବନ କରାଯାଇଛି। ତେଣୁ ତାଙ୍କୁ ଗୃହ ବାହାରକୁ ଯିବା ପାଇଁ ମାର୍ଶାଲ ଅନୁରୋଧ କରନ୍ତୁ। ଏହା ପରେ ବିଧାନସଭା ମାର୍ଶାଲ ଗୃହ ମଧ୍ୟ ଭାଗକୁ ଯାଇ ଶ୍ରୀ ବାହିନୀପତିଙ୍କୁ ବାହାରକୁ ଯିବାକୁ ଅନୁରୋଧ କରିଥିଲେ। ଏହା ପରେ ତାରାଙ୍କ ସମେତ ସବୁ କଂଗ୍ରେସ ବିଧାୟକ ଗୃହ ବାହାରକୁ ଚାଲିଯାଇଥିଲେ। 

ଶ୍ରୀ ବାହିନୀପତି ଯିବା ପୂର୍ବରୁ କହିଲେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଶୃଙ୍ଖଳା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଥିଲୁ। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଆମ ବିରୋଧରେ ନେଉଛ। ଧିକ୍ ବାଚସ୍ପତି ଧିକ୍। ତୁମେ ଅନ୍ୟାୟ କରିଛ। କଳଙ୍କ ଲଗାଇଛ। ଥୁ ଥୁ, ଛି ଛି। ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ପୁନର୍ବାର ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସନ୍ତାକାଲି କଂଗ୍ରେସ ବିଧାୟକମାନେ ଗୃହ କାର୍ଯ୍ୟ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ତାରାଙ୍କ ନିଲମ୍ବନକୁ ଗ୍ରହଣ କରିନି ବିଜେଡି। ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ବିଧାନସଭା ପରିଚାଳନା କରିବା ଦାୟିତ୍ବ ସରକାରୀ ଦଳର। ଏହି ଅଧିବେଶନ ଚାଲିବାର ବହୁ ପୂର୍ବରୁ ବାଚସ୍ପତି କହିଥିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ଏବେ ତାହା ହିଁ କଲେ। ବିଜେପିର ସଭ୍ୟମାନେ ଗୃହ ଭିତରକୁ ଆସି କିଏ କଲର୍‌ ଧରିଲା ତ କିଏ ବେକ ଧରିଲା। ଅଶ୍ଳୀଳ ଭାଷା ବି ପ୍ରୟୋଗ କଲେ। କିନ୍ତୁ ସରକାରୀ ଦଳ ଏକ ମୋସନ୍ ଆଣି ଶ୍ରୀ ବାହିନୀପତିଙ୍କୁ ନିଲମ୍ବନ କଲେ। ବାଚସ୍ପତି ନିରପେକ୍ଷ ଭାବେ ବିଚାର କରି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe