ରଥ ମାଲିକାଣୀ ମା’ ଚର୍ଚ୍ଚିକାଙ୍କୁ ଅଣଦେଖା

Advertisment
ରଥ ମାଲିକାଣୀ ମା’ ଚର୍ଚ୍ଚିକାଙ୍କୁ ଅଣଦେଖା

ପୁରୀ: ରଥର ମାଲିକାଣୀ ତଥା ଅଧିଷ୍ଠ୍ରାତୀ ଦେବୀ ହେଉଛନ୍ତି ମା’ ଚର୍ଚ୍ଚିକା। ରଥ କାମ ଅନୁକୂଳଠାରୁ ପ୍ରତିଦିନ ରଥ ନିର୍ମାଣରେ ଯୋଗଦେବା ପର୍ଯ୍ୟନ୍ତ ସର୍ବଦା ସେବକମାନେ ମା’ଙ୍କୁ ମୁଣ୍ଡିଆ ମାରି କାମ ଆରମ୍ଭ କରିଥାନ୍ତି। ଶ୍ରୀମନ୍ଦିର ନୀତିକାନ୍ତି ସହ ମା’ଙ୍କ ନୀତିକାନ୍ତି ବି ଜଡ଼ିତ। କିନ୍ତୁ ମା’ ଚର୍ଚ୍ଚିକାଙ୍କ ମନ୍ଦିର ଆଜି ଅବହେଳିତ ଅବସ୍ଥାରେ ରହିଛି। ନିକଟରେ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଏତେ ବିକାଶ ହେଲା, କିନ୍ତୁ ମା’ଙ୍କ ମନ୍ଦିରକୁ କେହି ବି ଆଡ଼ ଆଖିରେ ଚାହିଁଲେନି। ଅପରପକ୍ଷେ ମା’ଙ୍କ ମନ୍ଦିର ଉପରେ ଓ ଚାରିପାଖରେ ଥିବା କୋଠା ପରେ କୋଠ ନିର୍ମାଣ ଚାଲିଛି। ଫଳସ୍ବରୂପ ମା’ଙ୍କ ମନ୍ଦିର ଏ ଭିତରେ ଲୁଚିଗଲାଣି। ମା’ଙ୍କ ପ୍ରଶସ୍ତ ଜାଗା ବି ସଂକୁଚିତ ହୋଇଗଲାଣି। କିନ୍ତୁ ମା’ଙ୍କ ମନ୍ଦିରର ବିକାଶ କିଭଳି ହେବ, ସେଥିପ୍ରତି କାହାରି ନଜର ନାହିଁ।

ଶ୍ରୀମନ୍ଦିରର ଉତ୍ତର-ପୂର୍ବ କୋଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଲାଗି ରହିଛି ମା’ଙ୍କ ମନ୍ଦିର। ପ୍ରତିଦିନ ସକାଳୁ ମହାରଣା, ‌ରୂପକାର, ଭୋଇ ସେବକଙ୍କ ସହ ଅନ୍ୟ ରଥ ନିର୍ମାଣ ସେବକମାନେ ମା’ଙ୍କ ଆଶୀର୍ବାଦ ନେଇ ରଥଖଳାରେ ପ୍ରବେଶ କରନ୍ତି। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପର୍ବରେ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ତିନି ରଥର କାଠରେ ଲାଗି ପରେ ମହାରଣା ସେବକମାନେ ମା’ ଚର୍ଚ୍ଚିକାଙ୍କୁ ଏହା ସମର୍ପଣ କରିଥାନ୍ତି। ଭଉଁରିରେ ଚକଡେରା ପରେ ଶ୍ରୀଜିଉଙ୍କ ଲାଗି ମାଳ ବି ମା’ଙ୍କୁ ସମର୍ପଣ ହୁଏ। ଏବେ କୋଠା ଅଢ଼ୁଆଳରେ ଲୁଚି ଗଲାଣି ମା’ଙ୍କ ମନ୍ଦିର। ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ କୋଠା ଘେରରେ ମା’ଙ୍କ ମନ୍ଦିର ଥିଲା। ଏବେ ମା’ଙ୍କ ମନ୍ଦିରକୁ ଲାଗି ନୂଆ କୋଠା ନିର୍ମାଣ କରାଯାଉଛି। ଏହା ମା’ଙ୍କ ମନ୍ଦିରକୁ ଆହୁରି ସଂକୁଚିତ କରି ଦେଇଛି। ମାତ୍ର ୬ ଫୁଟର ମନ୍ଦିର ଭିତରେ ମା’ ପୂଜା ପାଉଛନ୍ତି। ମନ୍ଦିରକୁ ଯାଆସ ପାଇଁ ପ୍ରଶସ୍ତ ଜାଗା ବି ସଂକୁଚିତ ହୋଇଗଲାଣି। ମାତ୍ର ଦୁଇ ତିନି ଫୁଟିଆ ରାସ୍ତାରେ ଲୋକେ ଯାଆସ କରୁଛନ୍ତି।

ପୂଜାପାଠ, ବସିବା ପାଇଁ ବି ସେଭଳି ଜାଗା ନାହିଁ। ମା’ଙ୍କ ମନ୍ଦିର ଉପରେ ଯିଏ ଯାହା ଆବର୍ଜନା ଆଣୁଛି, ପକାଉଛି। ମା’ଙ୍କ ମନ୍ଦିର କଡ଼, କାନ୍ଥରେ ପାନଛେପ ପକାଉଛନ୍ତି। ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ମା’ ଚର୍ଚ୍ଚିକା ହେଉଛନ୍ତି ରଥର ମାଲିକାଣୀ। ତାଙ୍କ ବିନା ପତ୍ର ବି ହଲେନି। ଭୋଇ ସେବକଙ୍କ ମୁଖ୍ୟ ଦେବୀ ହେଉଛନ୍ତି ମା’ ଚର୍ଚ୍ଚିକା। ଅନେକ ସମୟରେ ଏଭଳି ସ୍ଥିତି ଆସିଛି, ରଥ କାଠ ବି ଟେକିବା ସମ୍ଭବପର ହୋଇନି। କିନ୍ତୁ ମା’ ଚର୍ଚ୍ଚିକାଙ୍କୁ ସ୍ମରଣ ପରେ ଏହି ଅସମ୍ଭବ ସମ୍ଭବ ହୋଇପାରିଛି। ଚଳିତବର୍ଷ ଜଣେ ଭୋଇ ସେବକ ତୃତୀୟ ଭୂଇଁ କାଠ ଉଠାଇବା ବେଳେ ହଠାତ୍ ତଳକୁ ଖସି ପଡ଼ିଥିଲେ। କିନ୍ତୁ ମା’ଙ୍କ ଆଶୀର୍ବାଦ, ସେ କାଠରେ ଅକ୍ଷତ ଲାଖି ରହିଗଲା। ପରେ ସେ ନିଜେ ପୁଣି ସେହି କାଠକୁ ଉଠାଇ ରଥରେ ଥୋଇଥିଲା। ଏହା ସବୁ ମା’ଙ୍କ ଆଶୀର୍ବାଦ। କିନ୍ତୁ ଦୁର୍ଭାଗ୍ୟ, ରଥଖଳାର ମୁଖ୍ୟ ଦେବୀ ମା’ ଚର୍ଚ୍ଚିକାଙ୍କ ମନ୍ଦିରର ବିକାଶ କଥା କେହି ଚିନ୍ତା କରୁନାହାନ୍ତି ବୋଲି ଶ୍ରୀ ଭୋଇ କହିଛନ୍ତି। ତାଳଧ୍ବଜ ରଥର ରୂପକାର ସେବକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବି ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe