ଛତ୍ରପୁରରେ ଆଲୋଡ଼ନ : ପତ୍ନୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା!

ପାରିବାରିକ ଅଶାନ୍ତିର କରୁଣ ପରିଣତି, ବାପା ବିରୋଧରେ ବଡ଼ ଝିଅର ଚାଞ୍ଚଲ୍ୟକର ବୟାନ

ଲକ୍‌ଡାଉନ୍‌ ଯନ୍ତ୍ରଣା: ରୋଜଗାର ବନ୍ଦ, ଋଣ ବୋଝ ନେଇଗଲା ଜୀବନ

Roya News

ଛତ୍ରପୁର/ବ୍ରହ୍ମପୁର : ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ଉପକଣ୍ଠରେ ଘଟିଛି ଏକ ନୃଶ˚ସ ଓ ନାରକୀୟ କାଣ୍ଡ।। ପତ୍ନୀ ଓ ଝିଅ ରାତିରେ ଶୋଇଥିବା ବେଳେ ହତ୍ୟା କରିଛି ସ୍ବାମୀ। ଏହା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି। ପାରିବାରିକ କଳହ ଓ ଅଶାନ୍ତିରୁ ଏଭଳି ଘଟିଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି। ଛତ୍ରପୁର ଥାନା ପୁଲିସ ୩ଟି ଶବକୁ ଜବତ କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଉପଖଣ୍ତ ଡାକ୍ତରଖାନାକୁ ପଠାଇଛି ଏବଂ ଏକ ମାମଲା ରୁଜୁ କରି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଛତ୍ରପୁର ସହର ଠାରୁ ୧ କିମି ଦୂର ଅଗସ୍ତି ନୂଆଗାଁ ପଞ୍ଚାୟତର ପାଲିଆ ଛତ୍ରପୁର ଗ୍ରାମ ମଝିସାହିରେ ବୃନ୍ଦାବନ ବେହେରା(୪୮)ଙ୍କ ଘର। ପତ୍ନୀ ଉର୍ମିଳା(୪୦), ବଡ଼ଝିଅ ସୁଜ୍ଞାନୀ, ପୁଅ ସାଗର ଓ ସାନଝିଅ ସୁନୀତାଙ୍କୁ ନେଇ ବୃନ୍ଦାବନଙ୍କ ପରିବାର। ଗାଁର ପାଲିଆସାହିରେ ଏକ ପାନ ଦୋକାନ କରି ବୃନ୍ଦାବନ ଗୁଜରାଣ ମେଣ୍ଟାଉଥିଲେ। ବଡ଼ ଝିଅ ସୁଜ୍ଞାନୀ ଦିଗପହଣ୍ତି ବ୍ଲକ୍‌ ଗୌଡ଼ଗାଁରେ ବିବାହ କରିଥିବାବେଳେ ଘରେ ପୁଅ, ସାନ ଝିଅ, ଉର୍ମିଳାଙ୍କ ସହ ବୃନ୍ଦାବନ ରହୁଥିଲେ। ଗତ କିଛି ଦିନ ହେଲା ବଡ଼ ଝିଅ ସୁଜ୍ଞାନୀ ବାପଘରକୁ ଆସିଥିଲେ। କିନ୍ତୁ ତାଙ୍କ ବଡ଼ମାଆଙ୍କ ପୁଅ ବାହାଘର ଥିବାରୁ ସୁଜ୍ଞାନୀ ରବିବାରଠାରୁ ପାତ୍ରପୁର ବ୍ଲକ୍‌ର ପୁହୁଣ୍ତି ଗାଁକୁ ଯାଇଥିଲେ। ଏହି ବିବାହ ଭୋଜିରେ ଯୋଗ ଦେବାକୁ ଗତକାଲି ପୁଅ ସାଗର ମଧ୍ୟ ଯାଇଥିଲା। ସୁନୀତା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରୀ। ପରୀକ୍ଷା ଥିବା ଯୋଗୁଁ ସୁନୀତା ଓ ତାଙ୍କ ମାଆ ଏହି ବିବାହ ଉତ୍ସବକୁ ଯାଇ ନ ଥିଲେ। ବୃନ୍ଦାବନ ସବୁଦିନ ଭଳି ଗତକାଲି ରାତି ୯ଟା ଯାଏ ତାଙ୍କ ପାନ ଦୋକାନ ଖୋଲିଥିଲେ। ହେଲେ ଆଜି ସକାଳ ୮ଟା ଯାଏ ବୃନ୍ଦାବନଙ୍କ ଘର ବନ୍ଦ ରହିଥିଲା। ବୃନ୍ଦାବନଙ୍କ ପରିବାର ଲୋକମାନେ ସବୁଦିନ ସକାଳେ ପାଣି କଳକୁ ଯାଇ ପାଣି ଆଣୁଥିବା ବେଳେ ଆଜି କେହି ଯାଇ ନ ଥିଲେ। ବୃନ୍ଦାବନଙ୍କ କେହି ପାଣି ନେବାକୁ ନ ଆସିବାରୁ ତାଙ୍କ ପଡ଼ୋଶୀ ତଥା ସମ୍ପର୍କୀୟ ଜୟନ୍ତୀ ବେହେରା ତାଙ୍କ ୯ବର୍ଷର ଝିଅ କୀର୍ତ୍ତିଙ୍କୁ ଡାକିବାକୁ ପଠାଇଥିଲେ। ବୃନ୍ଦାବନଙ୍କ ଘରକୁ ଯାଇ କୀର୍ତ୍ତି ଡାକିଥିଲେ ହେଁ କେହି ଶୁଣି ନ ଥିଲେ। ଏହାପରେ ଜୟନ୍ତୀ ନିଜେ କାବଟ ଖୋଲି ବୃନ୍ଦାବନଙ୍କ ଘର ଭିତରକୁ ଯାଇଥିଲେ। ପ୍ରଥମ ବଖରାରେ ସାନ ଝିଅ ସୁନୀତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ତାଙ୍କ ମୁହଁରେ ଏକ ଚାଦର ଘୋଡ଼ା ଯାଇଥିଲା। ସେ ସଙ୍ଗେ ସଙ୍ଗେ ଏ ନେଇ ଗାଁ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଛତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

publive-image

ଏକ କୋଠରିରେ ଉର୍ମିଳା ଓ ସୁନୀତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାବେଳେ ଉଭୟଙ୍କ ବେକ, ମୁଣ୍ତ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ରହିଥିଲା। କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ ଜଣା ପଡ଼ୁଥିଲା। ଘରର ଅନ୍ୟ ଏକ କକ୍ଷର ଦୁଲାରେ ରଶି ଲଗାଇ ବୃନ୍ଦାବନ ଝୁଲି ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ସେହି ଘର ମଧ୍ୟରୁ ରକ୍ତ ଲାଗିଥିବା ଏକ କିଆକଟା କାତିକୁ ପୁଲିସ ଜବତ କରିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ସ୍ତ୍ରୀ ଓ ସାନ ଝିଅଙ୍କୁ ହତ୍ୟା କରିବା ପରେ ବୃନ୍ଦାବନ ଆତ୍ମହତ୍ୟା କରିଥିବା ଜଣାପଡ଼ୁଛି ବୋଲି ପୁଲିସ କହିଛି। ପୁଅ ସାଗର ଘରେ ନ ଥିବାର ସୁଯୋଗ ନେଇ ବୃନ୍ଦାବନ ଏଭଳି କାଣ୍ତ ଘଟାଇଥିବା ପୁଲିସ ଅନୁମାନ କରୁଛି। ଖବର ପାଇ ପୁଅ ସାଗର ଓ ବଡ଼ ଝିଅ ସୁଜ୍ଞାନୀ ପାତ୍ରପୁର ନିକଟସ୍ଥ ପୁହୁଣ୍ତିରୁ ଆସି ଘରେ ପହଞ୍ଚିଥିଲେ।

ସୁଜ୍ଞାନୀ ବାପା ବିରୋଧରେ ଗଣମାଧ୍ୟମ ସମ୍ମୁଖରେ ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ପିଲାବେଳୁ ଦେଖି ଆସୁଛି ବାପା ସବୁବେଳେ ମାଆଙ୍କୁ ମାରପିଟ କରୁଥିଲେ। ଘରେ ସବୁବେଳେ ଅଶାନ୍ତିର ବାତାବରଣ ଲାଗି ରହିଥିଲା। ନିଜେ ଜନ୍ମ କରିଥିବା ସାନ ଝିଅକୁ ବାପା ଦୁଇ ଦୁଇ ଥର ଅସଦାଚରଣ ଉଦ୍ୟମ କରିଥିଲେ। ମାଆ ଓ ସାନ ଭଉଣୀଙ୍କ ଶବ ଆଣି ସତ୍କାର କରିବୁ। କିନ୍ତୁ ବାପାଙ୍କ ଶବ ଆଣିବୁ ନାହିଁ। ତେବେ ସୁଜ୍ଞାନୀଙ୍କ ଏଭଳି ମନ୍ତବ୍ୟ ଭିତ୍ତିହୀନ ବୋଲି କହିଛନ୍ତି ମୃତ ବୃନ୍ଦାବନଙ୍କ ଦାଦା ତ୍ରିନାଥ ବେହେରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe