ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ହାବିଲଦାର ସଂଘ

ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ହାବିଲଦାର ସଂଘ

ଭୁବନେଶ୍ବର : ପୁଲିସ୍‌-ଓକିଲ ବିବାଦକୁ ନେଇ ପୁଣି ଥରେ ଗଣମାଧ୍ୟମ ସାମ୍ନାକୁ ଆସିଛି ରାଜ୍ୟ ହାବିଲଦାର, କନେଷ୍ଟବଳ ଓ ସିପାହୀ ସଂଘ। ୭ମ ବାଟାଲିୟନର ସମ୍ମେଳନ କକ୍ଷରେ ଆଜି ସଂଘ ଏକ ସାମ୍ବାଦିକ ସମ୍ମିଳନୀରେ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ବିରୋଧରେ ପୁଣି ଥରେ କାର୍ଯ୍ୟ‌ାନୁଷ୍ଠାନ ଦାବିକୁ ଦୋହରାଇଛି। ସଂଘ ସଭାପତି ସନ୍ତୋଷ ଶତପଥୀ କହିଛନ୍ତି, ଗତ ସେପ୍ଟେମ୍ବର ୨୮ ତାରିଖ ଦିନ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଟ୍ରାଫିକ୍‌ ସମସ୍ୟା ସମାଧାନ କରିବା ପାଇଁ ସମ୍ପୃକ୍ତ ପୁଲିସ୍‌ କର୍ମଚାରୀମାନେ ଯାଇଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ ଅଣାଯାଇ ଥାନାରେ ହସ୍ତାନ୍ତର କରାଯିବା ସହ ଲିଖିତ ଭାବେ ଅଭିଯୋଗ ଦିଆଯାଇଥିଲା। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଛାଡ଼ି ଦେଇଥିଲେ। ପରେ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଗଲା। ଏଣୁ ଘଟଣାର ନ୍ୟାୟିକ ତଦନ୍ତ ହେଉ। ଜଣେ ସିଟିଂ ଜଜ୍‌ ଏହାର ତଦନ୍ତ କରନ୍ତୁ। ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି। ଅନ୍ୟପଟେ ଓକିଲ-ପୁଲିସ୍‌ ହାତାହାତି ମାମଲାରେ ଯେଉଁ କର୍ମଚାରୀମାନେ ନିଲମ୍ବିତ ହୋଇଥିଲେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। ମାମଲାର ତଦନ୍ତ ଚାଲିଥିବାରୁ ଏହାକୁ ପ୍ରତ୍ୟାହାର କରାନଯାଉ ବୋଲି ହାଇକୋର୍ଟରେ ଅପିଲ ହୋଇଛି। ଏହାକୁ ନେଇ ସଂଘ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏହା ସରକାରୀ ନିୟମ ମୁତାବକ ହୋଇଛି, ଏଣୁ ଉପଯୁକ୍ତ ବିଚାର ହେଉ ବୋଲି ସଂଘ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛି।

ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ପଞ୍ଚାନନ ବେହେରା, ସାଂଗଠନିକ ସମ୍ପାଦକ ବୃନ୍ଦାବନ ପ୍ରଧାନ, ୭ମ ବାଟାଲିୟନ ଶାଖା ସଭାପତି ରମେଶ ମାଝୀ ଓ ସମ୍ପାଦକ ରାଜେନ୍ଦ୍ର ମଲ୍ଲିକ, କଟକ କମିସନରେଟ୍‌ ଶାଖା ସମ୍ପାଦକ ପ୍ରଦୀପ୍ତ ଦତ୍ତ, ଭୁବନେଶ୍ବର କମିସନରେଟ୍‌ ଶାଖା ସଭାପତି ପ୍ରବୋଧ ଦାସ ଓ ସମ୍ପାଦକ ଗଙ୍ଗାଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୮ ତାରିଖରେ କଟକରେ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ହାଇକୋର୍ଟ ବାର୍‌ ଆସୋସିଏସନ ସମେତ ରାଜ୍ୟର ଅନ୍ୟ ବାର୍‌ରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe