ବିନା ବିଶେଷଜ୍ଞ ଡାକ୍ତରରେ ଚାଲିଛି ଘୁମସର ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର

Advertisment
ବିନା ବିଶେଷଜ୍ଞ ଡାକ୍ତରରେ ଚାଲିଛି ଘୁମସର ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର
ଘୁ.ଉଦୟଗିରି : ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରାଯାଉଛି। ହେଲେ ଏହି ସବୁ ଯୋଜନା ତଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ଯହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଦୀର୍ଘ ବର୍ଷ ହେଲା ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭେଷଜ, ଅସ୍ତିଶଲ୍ୟ, ଶିଶୁରୋଗ ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗର ୪ ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ଏହା ବାଦ୍ ୩ ଜଣ ରେଡ଼ିଓ ଗ୍ରାଫର ପଦ, ଡ୍ରାଇଭର, ହେଲପର ଓ କୁକ ପଦବି ଖାଲି ପଡ଼ିଛି। ସେହିପରି ସୁପରିଟେଣ୍ଡଟ୍ ପଦବିରେ ମଧ୍ୟ କେହି ନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସରକାରୀ କାଗଜପତ୍ରରେ ମେଡିକାଲର ସମସ୍ତ ଡାକ୍ତର ପଦବି ପୂର୍ଣ୍ଣ ଥିବା ଦେଖିବାକୁ ମିଳିଛି। ବହୁ ଦାବିପରେ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାନରେ ଜଣେ ଯୁବ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି।
ଘୁ.ଉଦୟଗିରି ବ୍ଲକ୍ ଏବଂ ଏନ୍ଏସିର ପ୍ରାୟ ୪୦ ହଜାରରୁ ଅଧିକ ଲୋକ ଉକ୍ତ ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଏହାସହ ଟିକାବାଲି, ରାଇକିଆ, ଚକାପାଦ ଓ ଗଞ୍ଜାମ ଜିଲ୍ଲାର ଦୁର୍ଗାପ୍ରସାଦ ଆଦି ଅଞ୍ଚଳରୁ ଶତାଧିକ ରୋଗୀ ଏଠାକୁ ସ୍ବାସ୍ଥ୍ୟସେବା ପାଇଁ ଆସିଥାନ୍ତି। ତେବେ ଡାକ୍ତର ନଥିବାରୁ ସେମାନେ ଏବେ ଏଠାରୁ ମୁହଁ ଫେରାଇବା ଆରମ୍ଭ କଲାଣି। ସେହିପରି ଡାକ୍ତର ଅଭାବ ପାଇଁ ସାମନ୍ୟ ରୋଗ ହେଲେ ରୋଗୀଙ୍କୁ ଅନ୍ୟତ୍ର ରେଫର୍ କରାଯାଉଛି। ଫଳରେ ଲୋକେ ଖର୍ଚ୍ଚାନ୍ତ ହୋଇ ବ୍ରହ୍ମପୁର କିମ୍ବା ଭୁବନେଶ୍ବରକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଘୁ.ଉଦୟଗିରି ବ୍ଲକରେ କଳିଙ୍ଗା, ଖାରିଆପଡ଼ା ଓ ଗ୍ରେସିଙ୍ଗିଆରେ ବି ସ୍ୱାସ୍ଥ୍ୟକେନ୍ଦ୍ର ଅଛି। ହେଲେ ସେଠାରେ ମଧ୍ୟ ସମାନ ଅବସ୍ଥା। ତେଣୁ ସେଠାରୁ ଉତ୍ତମ ଚିକିତ୍ସା ଆଶା କରିବା ବୃଥା ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe