ଅବ୍ୟବସ୍ଥା ମଧ୍ୟରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥା ମଧ୍ୟରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ରାଜସୁନାଖଳା : ରାଜ୍ୟ ସରକାର ୫-ଟି ଯୋଜନା ଉପରେ ଗୁରୁତ୍ବ ଦେଉଥିବା ବେଳେ ରଣପୁର ବ୍ଲକ୍‌ର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଏହାର ଅଧୀନରେ ଥିବା ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସୂଚନା ଥାଉକି, ୧୯୭୫ ମସିହାରେ ସରକାରଙ୍କ ତରଫରୁ ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା, ଯାହାକି ୨୦୧୪ରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିଲା। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ରଣପୁର ବ୍ଲକ୍‌ର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ଏଠାରେ ଜଣେ ବ୍ଲକ୍ ମେଡିକାଲ ଅଫିସର୍‌ଙ୍କୁ ନିଯୁକ୍ତି ମଧ୍ୟ କରାଯାଇଥିଲା। କିନ୍ତୁ ଦୀର୍ଘଦିନ ଧରି ଏହି ପଦବି ଖାଲି ପଡ଼ିଥିବାରୁ ବିଭିନ୍ ପ୍ରକାର କାଗଜ ପତ୍ର, ଜନ୍ମ ସାର୍ଟିଫିକେଟ୍ ଏବଂ ମୃତ୍ୟୁ ସାର୍ଟିଫିକେଟ୍ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ହେଉଛନ୍ତି।

ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟହ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ସହସ୍ର ଗର୍ଭବତୀ ମହିଳା ପ୍ରସବ ପାଇଁ ଆସିଥାନ୍ତି। ନବଜାତ ଶିଶୁ ଜନ୍ମ ହେବାରେ ନୟାଗଡ଼ ଜିଲ୍ଲାର ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଦ୍ୱିତୀୟ ସ୍ଥାନ ଅଧିକାର କରିଛି, ଯାହାକୁ ଆଖି ଆଗରେ ରଖି ସରକାର ୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ୨୦୧୭ ମସିହାରେ ଏକ ମାତୃ ଓ ଶିଶୁମଙ୍ଗଳ ଗୃହ ନିର୍ମାଣ କରିଛନ୍ତି। ଏଠାକୁ ପ୍ରତ୍ୟହ ନୟାଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଶହଶହ ମହିଳା ପ୍ରସବ ନିମନ୍ତେ ଆସିଥାନ୍ତି। କିନ୍ତୁ ଏଠାରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଯୋଗୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କ ପଦବି ଖାଲି ପଡ଼ିଥିବାରୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ଚିକିତ୍ସା ହୋଇପାରୁନାହିଁ। ତେଣୁ ବାଧ୍ୟ ହୋଇ ଗରିବ ଦିନମଜୁରିଆ ଶ୍ରେଣୀର ଲୋକମାନେ ଭୁବନେଶ୍ୱର ଯାଇ ବିଭିନ୍ନ ପ୍ରାଇଭେଟ୍ ହସ୍ପିଟାଲ୍‌ରେ ଚିକିତ୍ସା କରାଇ ବ୍ୟୟବହୁଳ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି।

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଥିବା ମାତୃ ମଙ୍ଗଳ ଗୃହରେ ବିଭାଗୀୟ ଡାକ୍ତର ପଦବି ଖାଲି ପଡ଼ିଥିବାରୁ ତାହା ଉପଯୋଗ ହୋଇପାରୁନଥିବା ଜଣାପଡ଼ିଛି ଏବଂ ଏହି ମେଡିକାଲ୍‌ରେ ଅଲଟ୍ରା ସାଉଣ୍ତର ବ୍ୟବସ୍ଥା ନଥିବାରୁ ବିଶେଷ କରି ଗର୍ଭବତୀ ମହିଳାମାନେ ଅଲଟ୍ରା ସାଉଣ୍ତ କରିବା ପାଇଁ ନୟାଗଡ଼ ଓ ଭୁବନେଶ୍ବର ପର୍ଯ୍ୟନ୍ତ ଯାଇ ଅଲଟ୍ରା ସାଉଣ୍ତ କରିଥାନ୍ତି, ଯାହାକି ଗର୍ଭବତୀ ମହିଳାମାନଙ୍କ ପାଇଁ କ୍ଷତି ପହଞ୍ଚାଇଥିବା ଦେଖିବାକୁ ମିଳିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଡାକ୍ତର ପଦବି ପୂରଣ କରିବା ପାଇଁ ସାଧାରଣରେ ଦାବି ଜୋର୍ ଧରିଛି। ଏହି ପଦବି ଯଦି ପୂରଣ କରାନଯାଏ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe