ଚିଟ୍‌ଫଣ୍ଡ୍‌ ଠକେଇ: ୧୦ଟି ସ୍ଥାନରେ ଇଡି ଚଢ଼ଉ, ଗୋଲ୍‌ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସର ୯୦୦ କୋଟି ଠକେଇ ଅଭିଯୋଗ

Advertisment
ଚିଟ୍‌ଫଣ୍ଡ୍‌ ଠକେଇ: ୧୦ଟି ସ୍ଥାନରେ ଇଡି ଚଢ଼ଉ, ଗୋଲ୍‌ଡେନ୍‌ ଲ୍ୟାଣ୍ଡ ଡେଭଲପର୍ସର ୯୦୦ କୋଟି ଠକେଇ ଅଭିଯୋଗ

ଭୁବନେଶ୍ବର/ବ୍ରହ୍ମପୁର/ଗୋପାଳପୁର/ଦିଗପହଣ୍ଡି: ୯୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଚିଟ୍‌ଫଣ୍ଡ ସଂସ୍ଥା ସହ ଏହାର ନିର୍ଦ୍ଦେଶକ, ପ୍ରବନ୍ଧକ ଓ କିଛି କର୍ମଚାରୀଙ୍କ ଘରେ ଆଜି ଚଢ଼ଉ ହୋଇଛି। ସାରା ଦେଶର ୨୦ଟି ସ୍ଥାନରେ ଏହା ଚାଲିଥିବା ବେଳେ ଏଥିରେ ଓଡ଼ିଶାର ଭୁବନେଶ୍ବର ଓ ଗଞ୍ଜାମ ସହ ୧୦ଟି ସ୍ଥାନ ରହିଛି। ଚଢ଼ଉ ବେଳେ କେତେ ଟଙ୍କା ଓ ଅନ୍ୟ କ’ଣ ସବୁ ଜବତ ହୋଇଛି ତାହା ଜଣାପଡ଼ିନା଼ହିଁ। ସୂଚନା ଅନୁସାରେ, ଆଜି ସକାଳେ ବ୍ରହ୍ମପୁର ସହରର ୪ଟି ସ୍ଥାନ ସହ ଗୋପାଳପୁର ଥାନା ଡୁରା ଏବଂ ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ସିଆର୍‌ପିଏଫ୍‌ ଉପସ୍ଥିତିରେ ଚଢ଼ଉ କରାଯାଇଛି। ବ୍ରହ୍ମପୁର ସହରର ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧୀନଗରରେ ଥିବା ଏକ ବିଲ୍‌ଡର୍‌ ସଂସ୍ଥା, ଗୋସାଇଁ ନୂଆଗାଁ ଥାନା ଇଲାକାରେ ଥିବା ତାଙ୍କ ଘର ସହ ଗୋସାଇଁ ନୂଆଗାଁରେ ଥିବା ଆଉ ଜଣେ ବିଲ୍‌ଡର୍‌ଙ୍କ ଘରେ ତଲାସି ହୋଇଛି। ଉପରୋକ୍ତ ଚିଟ୍‌ଫଣ୍ଡ ସଂସ୍ଥା ସହ ଏମାନଙ୍କ ଲିଙ୍କ୍‌ ଓ ଜମି କାରବାର ଉପରେ ଖୋଳତାଡ଼ ହୋଇଛି। ସେହିପରି ଲାଞ୍ଜିପଲ୍ଲୀ ଓ ଡୁରାରେ ମଧ୍ୟ ଚଢ଼ଉ ହୋଇଛି। ସମସ୍ତ ଅଞ୍ଚଳରେ ଏକକାଳୀନ ଏହା ଚାଲିଥିଲା।

ଦିଗପହପଣ୍ଡି ବ୍ଲକ୍‌ର ପଦ୍ମନାଭପୁର ଗ୍ରାମର ଜଣେ ଜଣାଶୁଣା ବ୍ୟବସାୟୀଙ୍କ ଘରେ ଚଢ଼ଉ ହୋଇଥିବା ବେଳେ ସେଠାରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି। ଗୋଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍‌ ଲୋଭନୀୟ ସ୍କିମ୍‌ର ପ୍ରଲୋଭନ ଦେଖାଇ ଲୋକମାନଙ୍କ ଠାରୁ କୋଟିକୋଟି ଟଙ୍କା ଆଦାୟ କରିଥିଲା। ଜମାକାରୀ ଠକେଇ ଶିକାର ହୋଇଥିବା ଜାଣିବା ପରେ ଓଡ଼ିଶାରେ ୪ଲକ୍ଷ ୭୨ ହଜାର ଆବେଦନକାରୀ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲେ। ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଯିବା ପରେ ୨୦୧୬ ମସିହାରେ ସଂସ୍ଥା ଉପରେ ଚଢ଼ଉ କରି ସମ୍ପତ୍ତି ଜବତ କରିବା ସହ ଜମିଗୁଡ଼ିକୁ ମଧ୍ୟ ନିଲାମ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe