Check dam built at a cost of lakhs of rupees not working:, farmers disappointed Photograph: (sambad.in)
ଡାବୁଗାଁ: ସରକାର କୃଷି , କୃଷକ ଓ ଜମିକୁ ଜଳ ଯୋଗାଇବା ପାଇଁ ଅଧିକ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କିନ୍ତୁ ଚାଷୀଙ୍କୁ ଠକି ସରକାରଙ୍କ ଯୋଜନାକୁ କିପରି ବାଟ ମାରଣା କରାଯାଇଛି ତାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ । ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ଠାରେ ସରକାରଙ୍କ ତରଫରୁ କିଛି ବର୍ଷ ପୂର୍ବେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯାଇଥିଲା।
ସୂଚନା ଫଳକ ନାହିଁ
ଚେକ୍ ଡ୍ୟାମ ନିର୍ମାଣ ପରେ ଚିକିଲି ଗ୍ରାମବାସୀ ଆଖପାଖ ଜମିରେ ଜଳ ସେଚନ ସୁବିଧା ପାଇବା ସହ ଖରିଫ ଓ ରବି ଚାଷ କରିବେ ବୋଲି ଆଶା ବାନ୍ଧି ଥିଲେ। ତେବେ ଚେକ୍ ଡ୍ୟାମ୍ ମାତ୍ର ଦୁଇ ଫୁଟ ଉଚ୍ଚତାରେ କରାଯାଇଥିବା ବେଳେ ବହିବା ନାଳ ପାଣି ରହିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଫଳରେ ଚାଷୀ ଏଥିରେ ଉପକୃତ ହେବା ବଦଳରେ ପ୍ରତାରିତ ହୋଇଥିଲେ।ଏପରିକି ସେଠାରେ କେଉଁ ବିଭାଗ ତରଫରୁ ଉକ୍ତ କାର୍ଯ୍ୟ କରାଯାଇଛି ତାହାର ମଧ୍ୟ କୌଣସି ସୂଚନା ଫଳକ ଆଜି ଯାଏ ଲଗାଯାଇ ନାହିଁ।
ଚେକ୍ ଡ୍ୟାମ୍ ଚତୁପାର୍ଶ୍ୱରେ ଘାସ ଓ ଆବର୍ଜନା ଯୋଗୁ ଅର୍ଦ୍ଧ ନିର୍ମିତ ଏହି ଚେକ୍ ଡ୍ୟାମ୍ ନଷ୍ଟ ହେବାକୁ ବସିଲାଣି । ପ୍ରତିବର୍ଷ ଚେକ୍ ଡ୍ୟାମ୍ ନିକଟରେ ଏକର ଏକର ଜମିରେ ଧାନ, ମକା ଓ ପରିବା ଚାଷ କରା ଯାଉଛି। କିନ୍ତୁ ଏହି ଚେକ୍ ଡ୍ୟାମ୍ ଦ୍ଵାରା ଚାଷୀ କୌଣସି ସୁଫଳ ପାଉ ନାହାନ୍ତି।
ଚାଷୀଙ୍କୁ ମିଳୁନି ସୁଫଳ
ଚେକ୍ ଡ୍ୟାମ୍ ନିର୍ମାଣ ସମୟରେ ମେଟାଲ ଓ ପଥର ଗୁଡ଼ିକ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ଏହି ଚେକ୍ ଡ୍ୟାମ୍ ନିର୍ମାଣ କରିଥିଲେ ତାହା ଯଦି ସମ୍ପୂର୍ଣ କାର୍ଯ୍ୟ ହୋଇଥାନ୍ତା ତା ହେଲେ ଚିକିଲି ଗ୍ରାମବାସୀ ଉଭୟ ଖରିଫ ଓ ରବି ଋତୁରେ ଧାନ,ମକା ଓ ପନିପରିବା ଚାଷ କରି ବେଶ୍ ଉପକୃତ ହୋଇଥାନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି। କିନ୍ତୁ ଚାଷୀଙ୍କୁ ଏହାର ସୁଫଳ ମିଳି ପାରୁନି।
କାମରେ ଲାଗୁନି ଚେକ୍ ଡ୍ୟାମ୍
ଚିକିଲି ଗ୍ରାମରେ ହୋଇଥିବା ଏହି ଅସମ୍ପୂର୍ଣ୍ଣ ଚେକ୍ ଡ୍ୟାମ୍କୁ ପୁନଃ ନିର୍ମାଣ କରାଗଲେ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ଗ୍ରାମର ତୁଳାରାମ ପୂଜାରୀ, ଈଶ୍ୱର ଗାଣ୍ଡା, ଭାଗିରଥି ଗାଣ୍ଡା, ନିଧି ଗାଣ୍ଡା, କପିଳାସ ଭତରା, ବୁଦ୍ରୁ ଭତରା, ଦଇନୁ ଗୌଡ଼, ପରମାନନ୍ଦ ଭତରା, ଗଦା ଜାନି, ଝିତ୍ରୁ ଭତରା ପ୍ରମୁଖ ଦାବୀ କରିଛନ୍ତି।
ଆହୁରି ପଢ଼ନ୍ତୁ:Winter Face Care and Cream: ଶୀତଦିନରେ ଓଠର ନିଅନ୍ତୁ ଯତ୍ନ: ଘରେ ବନାନ୍ତୁ ଲିପ୍ବାମ୍
Follow Us