ଆଜିଠୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ, ନିଜ ଛାତ୍ରଛାତ୍ରୀଙ୍କ ନମ୍ବର ଯାଞ୍ଚ କରିପାରିବେ ନାହିଁ ସଂପୃକ୍ତ ସ୍କୁଲ୍‌ ଶିକ୍ଷକ

Advertisment
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍‌ଲୋଡ୍‌ ୨୪ରୁ, ମେଣ୍ଟର ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦାୟିତ୍ବ

Tripura Chronicle

କଟକ: ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନମ୍ବର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏହି ଯାଞ୍ଚ କାର୍ଯ୍ୟ ମେ ୧୨ରୁ ମେ ୧୫ତାରିଖ ପର୍ଯ୍ୟନ୍ତ ମେଣ୍ଟର୍‌ ସ୍କୁଲ ପରିସରରେ ଚାଲିବ। ଯାଞ୍ଚ ପରେ ଦଶମ ପରୀକ୍ଷାର୍ଥୀଙ୍କ ନମ୍ବର ଉଭୟ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରାଯିବ। ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କୁ ମେ ୧୧ତାରିଖ ସୁଦ୍ଧା ସହକାରୀ ଶିକ୍ଷକ-ଶିକ୍ଷିକାମାନଙ୍କୁ ରିଲିଭ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୩ ରେ ହେବାକୁ ମାଟ୍ରିକ୍ ପରୀକ୍ଷା ବାତିଲ ହେବାପରେ ବୋର୍ଡ ପକ୍ଷରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଏହି ବ୍ୟବସ୍ଥା ଅନୁସାରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ନବମର ଦୁଇଟି ପରୀକ୍ଷା (ଅର୍ଦ୍ଧବାର୍ଷିକ ଓ ବାର୍ଷିକ) ଏବଂ ଦଶମର ୩ଟି ପରୀକ୍ଷା(୨ୟ, ୩ୟ, ୪ର୍ଥ ପ୍ରାକ୍ଟିସ୍ ପରୀକ୍ଷା)ର ନମ୍ବରକୁ ବିଚାର କରି ମୂଲ୍ୟାୟନ ଓ ଫଳ ପ୍ରକାଶନ କରାଯିବ। ଏଥିପାଇଁ ବୋର୍ଡ ପକ୍ଷରୁ ୨୬୭୭ଟି ମେଣ୍ଟର୍‌ ସ୍କୁଲ ଚୟନ କରାଯାଇଛି। ଅନ୍ୟ ସ୍କୁଲମାନେ ସେମାନଙ୍କ ମେଣ୍ଟର୍‌ ସ୍କୁଲରେ ଉଭୟ ନବମ ଓ ଦଶମ ଶ୍ରେଣୀର ୫ଟି ଯାକ ପରୀକ୍ଷାର ସ୍କୁଲ ମାର୍କ ରେଜିଷ୍ଟର୍‌ ଓ ଟାବୁଲେସନ ରେଜିଷ୍ଟର(କମ୍ପ୍ୟୁଟର ପ୍ରାକ୍ଟିସ୍‌) ଦାଖଲ କରିବାକୁ କୁହାଯାଇଛି। ଇତିମଧ୍ୟରେ ବହୁ ସ୍କୁଲ ସେମାନଙ୍କ ପିଲାଙ୍କର ସମସ୍ତ ଡକ୍ୟୁମେଣ୍ଟ୍‌ ଦାଖଲ କରିସାରିଛନ୍ତି। ଆସନ୍ତାକାଲିଠାରୁ ମେଣ୍ଟର୍‌ ସ୍କୁଲରେ ଦାଖଲ ହୋଇଥିବା ବିଦ୍ୟାଳୟଗୁଡ଼ିକର ମାର୍କ ରେଜିଷ୍ଟର୍‌ ଓ ବୋର୍ଡ ନ‌ିର୍ଦ୍ଦେଶିତ ଟାବୁଲେସନ୍‌ ରେଜିଷ୍ଟର୍‌ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଏହି ଯାଞ୍ଚ କାର୍ଯ୍ୟ ମେଣ୍ଟର୍‌ ସ୍କୁଲର ପ୍ରଧାନଶିକ୍ଷକଙ୍କ ଦ୍ବାୟିତ୍ବରେ ସଂପାଦିତ ହେବ। ଏଥିରେ ମେଣ୍ଟର୍‌ ସ୍କୁଲର ଶିକ୍ଷକମାନେ କିମ୍ବା ଏହି ମେଣ୍ଟର୍‌ ସ୍କୁଲ ସହିତ ସଂପୃକ୍ତ ସ୍କୁଲର ଶିକ୍ଷକମାନେ ସଂପୃକ୍ତ ରହିବେ ନାହିଁ। ଅନ୍ୟ ସ୍କୁଲର ଶିକ୍ଷକମାନେ ଏହି ଦୁଇଟି ଯାକ ରେକର୍ଡରେ ଲେଖାଯାଇଥିବା ପରୀକ୍ଷାର୍ଥୀଙ୍କ ନମ୍ବର ମେଳ ଖାଉଛି କି ନାହିଁ, ତାହା ଯାଞ୍ଚ କରିବେ।

ଆସନ୍ତା ୧୫ତାରିଖ ମଧ୍ୟରେ ଯାଞ୍ଚ କାର୍ଯ୍ୟ ସଂପନ୍ନ କରାଯିବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି। ଯାଞ୍ଚ ପରେ ମେଣ୍ଟର୍‌ ସ୍କୁଲ ତାଙ୍କ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ସମସ୍ତ କାଗଜପତ୍ରର ଗୋଟିଏ ସେଟ୍ ହାର୍ଡ କପି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ଓ ଆଉ‌ ‌ଗୋଟିଏ ସେଟ୍ କାଗଜପତ୍ର ମେଣ୍ଟର୍‌ ସ୍କୁଲ ନିଜ ପାଖରେ ରଖିବେ। ଯାଞ୍ଚ କାର୍ଯ୍ୟ ସଂପନ୍ନ ପରେ ଏହି ନମ୍ବରଗୁଡ଼ିକୁ ବୋର୍ଡ ୱେବସାଇଟ୍‌ରେ ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ। ଆସନ୍ତା ୨୦ ତାରିଖ ସୁଦ୍ଧା ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ସମସ୍ତ କାଗଜପତ୍ର ଦାଖଲ ଶେଷ କରିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe