ଭାରତକୁ ଆସୁଛି ଚିତା, ଓଡ଼ିଶାରେ ଛାଡ଼ିବାକୁ ନା

କୁନୋ ପ୍ରକଳ୍ପ ସଫଳ ହେଲେ ଚାରି ରାଜ୍ୟକୁ ଚିତା ଯିବେ, ତାଲିକାରେ ଓଡ଼ିଶା  ନାହିଁ

NDTV.com

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ଅଭିମୁଖେ ବାହାରିଛନ୍ତି ୮ଟି ଆଫ୍ରିକୀୟ ଚିତା। ସେମାନଙ୍କୁ ସ୍ବାଗତ ଲାଗି ପ୍ରସ୍ତୁତ ହୋଇ ରହିଛି ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନ। ଦୀର୍ଘ ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲରେ ଦୌଡ଼ିବ ଚିତା। କେନ୍ଦ୍ର ସରକାରଙ୍କ ‘ପ୍ରକଳ୍ପ ଚିତା’ ଅଧୀନରେ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ୮ଟି ଚିତା ଅଣାଯାଉଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୫୦ଟି ଆଣିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ସେମାନଙ୍କୁ ଦେଶର ବିଭିନ୍ନ ଜାତୀୟ ଉଦ୍ୟାନରେ ଛଡ଼ାଯିବା ସହ ଚିତା ବଂଶ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଭଳି ଖବରକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଉତ୍ସାହିତ ହେବା ସହ ପ୍ରଥମଥର ଲାଗି ଭାରତରେ ଆଫ୍ରିକୀୟ ଚିତାକୁ ଛଡ଼ାଯିବାକୁ ଥିବାରୁ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଆସିବାକୁ ଥିବା ୮ଟି ଚିତା ମଧ୍ୟରେ ୫ଟି ଅଣ୍ଡିରା ଓ ୩ଟି ମାଈ ରହିଛନ୍ତି। ସ୍ବତନ୍ତ୍ର ବୋଇଂ ବିମାନରେ ୨୦ ଘଣ୍ଟା ସମୟ ୮ ହଜାର କିମି ଯାତ୍ରା ପରେ ଏମାନେ ଜୟପୁରଠାରେ ପହଞ୍ଚିବେ। ଜୟପୁରରେ ପହଞ୍ଚିବାପରେ ସେମାନଙ୍କୁ ହେଲିକାପ୍ଟର ଯୋଗେ କୁନୋ-ପାଲପୁର ଜାତୀୟ ଉଦ୍ୟାନକୁ ନିଆଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଜଙ୍ଗଲ ଭିତରକୁ ଛାଡ଼ିବେ। ଚିତାଙ୍କ ସହ ନାମିବ୍ୟାର ଚିତା ସଂରକ୍ଷଣ ଫାଉଣ୍ଡେସନ(ସିସିଏଫ୍‌)ର ଏକ ପ୍ରତିନିଧି ଦଳ ମଧ୍ୟ ଆସୁଛନ୍ତି। ପ୍ରଥମ ଏକ ମାସ ପର୍ଯ୍ୟନ୍ତ ସେମାନଙ୍କୁ ୫୦x୩୦ ମିଟର ଏନ୍‌କ୍ଲୋଜର୍‌ରେ ସେମାନଙ୍କୁ ଛଡ଼ାଯିବା ସହ ଗତିବିଧି ଉପରେ ନଜର ରଖାଯିବ। ଏହି ଚିତାଗୁଡ଼ିକୁ ଟିକାକରଣ କରାଯାଇଛି। ସେମାନଙ୍କ ଦେହରେ ସାଟେଲାଇଟ୍ କଲାର ଲାଗିଥିବା ଜଣାପଡ଼ିଛି।

publive-image Encyclopedia Britannica

୧୯୫୨ରେ ଭାରତରେ ବିଲୁପ୍ତ ବୋଲି ଘୋଷଣା ହୋଇଥିବା ଚିତା ନିଜର ଶିକାର ଧରିବାକୁ ଘଣ୍ଟା ପ୍ରତି ୭୦ରୁ ୧୧୨ କିମି ବେଗରେ ଦୌଡ଼ିପାରେ। ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ଥାନ ପରିବର୍ତ୍ତନ କରିବାର କ୍ଷମତା ଏହି ବିରଳ ପ୍ରାଣୀର ରହିଛି। ଦକ୍ଷିଣ ଆଫ୍ରିକା, ନାମିବ୍ୟା, ବୋ‌ତୋସ୍ବାନା ପରି ଦେଶରେ ଏମାନେ ଏବେ ମୁଖ୍ୟତଃ ନିଜର ସ୍ଥିତି ଜାହିର କରିଛନ୍ତି। ଏସିଆ ମହାଦେଶର ଆଉ କିଛି ଦେଶରେ କାଁ ଭାଁ ଦେଖିବାକୁ ମିଳନ୍ତି। ଦିନ ଥିଲା, ଭାରତ ଚିତାମାନଙ୍କ ବାସସ୍ଥାନ ଥିଲା। ମୋଗଲ ସମ୍ରାଟ ଆକବରଙ୍କ ସମୟରେ ଦେଶରେ ପାଖାପାଖି ୧୦ ହଜାର ଚିତା ରହୁଥିବା ଇତିହାସ ପୃଷ୍ଠା ଅନୁଧ୍ୟାନ କଲେ ଜଣାପଡ଼େ। କାଳକ୍ରମେ ସହରୀ ସଭ୍ୟତାର ବିକାଶ, ଚିତାଙ୍କ ବାସସ୍ଥଳୀ ନଷ୍ଟ, ଘଞ୍ଚ ଜଙ୍ଗଲ କ୍ଷୟ, ଜଙ୍ଗଲ ଭିତରକୁ ଜନବସତି ମାଡ଼ିଯିବା ଦ୍ବାରା ସେମାନଙ୍କ ସଂଖ୍ୟା ବି କମିଯାଇ ବିଲୁପ୍ତ ବନ୍ୟଜନ୍ତୁରେ ପରିଣତ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି।

ପୂର୍ବତନ ପିସିସିଏଫ୍‌ ବିଜୟକେତନ ପଟ୍ଟନାୟକ କହିଛନ୍ତି ଯେ ଭାରତକୁ ଚିତା ଆଣିବା ଲାଗି ୨୦୦୯ରୁ ଉଦ୍ୟମ ଚାଲିଛି। ମାତ୍ର ଏବେ ସଫଳ ରୂପ ନେବାକୁ ଯାଉଛି। ନୂଆ ପ୍ରକଳ୍ପ ହେଉଥିବାରୁ ବନ ବିଭାଗ ଅଧିକାରୀଙ୍କ ଲାଗି ଆହ୍ବାନ ରହିବ। ତଥାପି ଆହ୍ବାନର ମୁକାବିଲା କରି ସଫଳ ହେବାକୁ ମମସ୍ତେ ଇଚ୍ଛା ରଖିବା। ପୁଣିଥରେ ଶୃଙ୍ଖଳ ଯୋଡ଼ିହେଲେ ଭାରତ ପାଇଁ ଭଲ ହେବ। ଅଳ୍ପ ସଂଖ୍ୟକ ଚିତା ଆଣିଲେ ବଂଶବୃଦ୍ଧି ଫଳପ୍ରଦ ହେବ ନାହିଁ। ତେଣୁ ୫ବର୍ଷରେ ୫୦ଟି ଆଣିବାକୁ ଯୋଜନା ହୋଇଛି। ସେମାନଙ୍କୁ ମୁଖ୍ୟତଃ ରାଜସ୍ଥାନ ଓ ମଧ୍ୟପ୍ରଦେଶର ଜାତୀୟ ଉଦ୍ୟାନରେ ଛଡ଼ାଯିବାକୁ ଯୋଜନା ହୋଇଛି। ଓଡ଼ିଶାରେ ସେମାନେ ତିଷ୍ଠି ରହିବା କଷ୍ଟକର ହେବ।

publive-image LifeGate

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି ଯେ କୁନୋ-ପାଲପୁର ଜାତୀୟ ଉଦ୍ୟାନରେ ସିଂହ ଛାଡ଼ିବାକୁ ଯୋଜନା ହୋଇଥିଲା। ମାତ୍ର ସେଠାରେ ଏବେ ଚିତା ଛାଡ଼ି ବଂଶ ବୃଦ୍ଧି କରାଯିବ, ଯାହାକି ଭଲ ଖବର। ମାତ୍ର, ଏହି ଉଦ୍ୟାନରେ ଯେତିକି ଅଞ୍ଚଳ ରହିଛି, ଅତି ବେଶିରେ ୧୫ରୁ ୨୦ଟି ଚିତା ରହିପାରିବେ। ଅଧିକ ହେଲେ ସମସ୍ୟା ସୃଷ୍ଟି ହୋଇପାରେ। ପ୍ରଥମଥର ଲାଗି ଭାରତୀୟ ଜଙ୍ଗଲରେ ଆଫ୍ରିକୀୟ ଚିତା ଛଡ଼ାଯାଉଥିବାରୁ ଆହ୍ବାନ ସୃଷ୍ଟି ହୋଇପାରେ। ସେଥିପ୍ରତି ନଜର ରଖିବାକୁ ପଡ଼ିବ। କାରଣ ଅସାବଧାନତା ଲାଗି ପୂର୍ବରୁ ଅନ୍ତଃରାଜ୍ୟ ବାଘ ପ୍ରକଳ୍ପ ଫେଲ୍‌ ମାରିବାର ନଜରି ରହିଛି। ‌୫୦ଟି ଚିତା ଆସୁଥିଲେ ମଧ୍ୟ ଓଡ଼ିଶାରେ ନ ଛାଡ଼ିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।

ଚିତା ପ୍ରକଳ୍ପ ପାଇଁ ଇଣ୍ଡଆନ ଅଏଲ୍‌ ପକ୍ଷରୁ ୫ ବର୍ଷରେ ୫୦.୨୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଚିତାମାନଙ୍କୁ ସ୍ବାଗତ କରିବା ଲାଗି ଇଣ୍ଡିଆନ ଅଏଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କଂପାନିର ଅଧ୍ୟକ୍ଷ ଏସ୍‌ ଏମ୍ ବୈଦ୍ୟ କହିଛନ୍ତି।ଏହି ପ୍ରକଳ୍ପ ପାଇଁ କଂପାନି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ସହ ହାତ ମିଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe