ନନ୍ଦନକାନନ ଆସିବ ଚିତା

Advertisment
ନନ୍ଦନକାନନ ଆସିବ ଚିତା

Encyclopedia Britannica

ଭୁବନେଶ୍ବର : ନନ୍ଦନକାନନ ଆସିବ ଚିତା। ଦୁବାଇ ସଫାରି ପାର୍କରୁ ଗୋଟିଏ ଲେଖାଏଁ ଅଣ୍ଡିରା ଓ ମାଈ ଚିତା ଅଣାଯିବ। ଏଥିସହ ୫ଟି ଧଳା ସିଂହ ମଧ୍ୟ ଆଣିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃକକ୍ଷ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ମୋଡାଲିଟି ପ୍ରସ୍ତୁତ ଚାଲିିଥିବା ବେଳେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ଙ୍କ ଅନୁମତି ଲୋଡ଼ାଯିବ। ଚିଡ଼ିଆଖାନା ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଦୁବାଇ ସଫାରି ପାର୍କ ସହ ଏକ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନନ୍ଦନକାନନକୁ ଚିତା ଆଣିବାର ଏହା ପ୍ରଥମ ପ୍ରୟାସ ନୁହେଁ। ୨୦୧୯-୨୦ରେ ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ମାତ୍ର ସଫଳତା ମିଳି ପାରି ନଥିଲା। ସେତେବେଳେ ଦୁଇଟି ଆଫ୍ରିକୀୟ ଚିତା, କଙ୍ଗାରୁ ଓ ୫ଟି ଜେବ୍ରା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ମିଳିଥିଲା। ମାତ୍ର ସିଜେଡ୍‌ଏ ଓ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକଙ୍କ ଅନୁମୋଦନ ପାଇବାରେ ନନ୍ଦନକାନନ କର୍ତ୍ତୃପକ୍ଷ ବିଫଳ ହୋଇଥିଲେ। ଯେଉଁଥିପାଇଁ ଏତେ ବଡ଼ ଯୋଜନା ଅଧାରେ ଅଟକି ଥିଲା, ଏବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତା ଆସିବା ପରେ ବିଶ୍ବର ଦ୍ରୁତତମ ସ୍ତନ୍ୟପାୟୀ ପ୍ରାଣୀକୁ ନନ୍ଦନକାନନକୁ ଆଣିବା ଯୋଜନା ପୁନର୍ଜୀବିତ ହୋଇଛି। ବନ ବିଭାଗ ଅଧିକାରୀମାନେ ମଧ୍ୟ ଘନଘନ ବୈଠକ କରି ଏହା ଉପରେ ଆଲୋନା ଜାରି ରଖିଛନ୍ତି।

publive-image rebabeachresort.com

ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଦୁବାଇ ସଫାରି ପାର୍କକୁ ୫ଟି ଲେଖାଏଁ ମଣିପୁର ହରିଣ ଓ କୃଷ୍ଣସାର ମୃଗ, ୪ଟି ହଗ୍‌ ଡିଅର, ୬ଟି ଘଡ଼ିଆଳ, ୩ଟି ରେଡ୍‌ ଜଙ୍ଗଲଫ୍ଲୋ ପ୍ରଦାନ କରାଯିବ। ବଦଳରେ ସେଠାରୁ ୨ଟି ଅଣ୍ଡିଆ ସିମ୍ପାଞ୍ଜି, ୫ଟି ଧଳା ଆଫ୍ରିକୀୟ ସିଂହ(ଦୁଇଟି ଅଣ୍ଡିରା ଓ ୩ଟି ମାଈ), ଦୁଇଟି ଚିତା, ୬ଟି ରିଙ୍ଗ-ଟେଲ୍ଡ ଲେମୁର, ୩ଟି ରେଡ୍‌ ନେକ୍‌ କଙ୍ଗାରୁ, ୮ଟି ବାବୁନ୍‌, ୭ଟି ଆଫ୍ରିକାନ୍‌ ଶୁଆ, ୫ଟି ବହୁରଙ୍ଗୀ ଶୁଆ ଶାବକ ଆଣାଯିବ। ନନ୍ଦନକାନନ କର୍ତୃପକ୍ଷ ଏବେ ରା‌ଜିନାମା ସ୍ବାକ୍ଷରିତ ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ଅଦଳବଦଳ ଲାଗି କେତେ ଟଙ୍କା ଆବଶ୍ୟକ, ମୋଡାଲିଟି କ’ଣ ରହିବ ଆଦି ବିଷୟରେ ଆଲୋଚନା ଚାଲିଛି। ଚଳିତ ମାସ ଶେଷ ସୁଦ୍ଧା ମୋଡାଲିଟି ପ୍ରସ୍ତୁତ ହୋଇଯିବ। ଏହାପରେ ସିଜେଡ୍‌ଏର ଅନୁମୋଦନ ଲାଗି ମୋଡାଲିଟିକୁ ପଠାଯିବ। ଯଦି ସବୁ କିଛି ଠିକ୍‌ ଚାଲେ, ତେବେ ଡିସେମ୍ବର ମାସ ବେଳକୁ ନନ୍ଦନକାନନରେ ଚିତା ଦେଖିବାକୁ ମିଳିବ ବୋଲି ନନ୍ଦନକାନନର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଲାଗି ଏକ ଖୁସି ଖବର ଆସିଛି। ଦେଶର ବଡ଼ ଚିଡ଼ିଆଖାନାଗୁଡ଼ିକୁ ନେଇ କରାଯାଇଥିବା ରୢାଙ୍କିଙ୍ଗ୍‌ ମ୍ୟାନେଜ୍‌ମେଣ୍ଟ ଇଫେକ୍‌ଟିଭ୍‌ନେସ୍‌ ଇଭାଲ୍ୟୁଏସନ(ଏମ୍‌ଇଇ-ଜୁ) ରିପୋର୍ଟ ୨୦୨୨ରେ ନନ୍ଦନକାନନ ଦେଶରେ ୫ମ ସ୍ଥାନରେ ରହିଛି। ଏମ୍‌ଇଇରେ ନନ୍ଦନକାନନକୁ ୭୩% ସ୍କୋର ମିଳିଛି। ବଡ଼ ଚିଡ଼ିଆଖାନା ମଧ୍ୟରେ ତାମିଲନାଡ଼ୁର ଅରିଗ୍‌ନାର ଆନ୍ନା ଜୁଲୋଜିକାଲ ପାର୍କ ୮୨% ସ୍କୋର ପାଇଥିବା ବେଳେ କର୍ଣ୍ଣାଟକର ଶ୍ରୀ ଚାମାରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ ୮୦% ସହ ଦ୍ବିତୀୟ, ଗୁଜୁରାଟର ସାକ୍କାରବାଗ୍‌ ଜୁଲୋଜିକାଲ ପାର୍କ ୭୬% ସହ ତୃତୀୟ, ବିହାରର ସଞ୍ଜୟ ଗାନ୍ଧୀ ବାୟୋଲୋଜିକାଲ ପାର୍କ ୭୪% ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ନନ୍ଦନକାନନ ସହ ଦିଲ୍ଲୀର ନ୍ୟାସନାଲ ଜୁଲୋଜିକାଲ ପାର୍କ ଓ କର୍ଣ୍ଣାଟକର ବାନ୍ନରଘାଟ ବାୟୋଲୋଜିକାଲ ପାର୍କ ୭୩% ସ୍କୋର କରି ୫ମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe