ଏଥର ପଲିଥିନ୍‌ ଜଳାଶୟରେ ଛଟ୍‌ ପର୍ବ

Advertisment
ଏଥର ପଲିଥିନ୍‌ ଜଳାଶୟରେ ଛଟ୍‌ ପର୍ବ

ବ୍ରଜରାଜନଗର: କୋଭିଡ୍‌ କଟକଣା ମଧ୍ୟରେ ବିହାରୀ ସଂପ୍ରଦାୟଙ୍କ ମହାନ୍‌ ପର୍ବ ଛଟ ଆରମ୍ଭ ହୋଇଛି। ଏହି ପର୍ବର ନିୟମ ଅନୁଯାୟୀ ବିଭିନ୍ନ ଜଳାଶୟ ଏବଂ ନଦୀ ତୁଠରେ ଉଦିତ ଏବଂ ଅସ୍ତର୍ଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇଥାଏ। ମାତ୍ର ଚଳିତ ବର୍ଷ କରୋନା ପାଇଁ ସର୍ବସାଧାରଣ ଘାଟ ଓ ନଦୀ ତୁଠରେ ଅର୍ଘ୍ୟ ପ୍ରଦାନ ଉପରେ କଟକଣା ଲାଗୁ କରାଯାଇଛି। ଏପରିକି ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସର୍ବସାଧାରଣ ତୁଠରେ ଭୋର ୪ଟାରୁ ସକାଳ ୭ଟା ଏବଂ ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଏହିସବୁ ସ୍ଥାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ତେବେ ସବୁ ପର୍ବ ପରି ଏହି ପର୍ବକୁ ବିହାରୀ ସଂପ୍ରଦାୟର ମହିଳାମାନେ ଅତି ଶ୍ରଦ୍ଧାପୂର୍ବକ ପାଳନ କରିଛନ୍ତି। ତୁଠରେ ନ ହେଲା ନାହିଁ, ନିଜ ନିଜ ଘରେ ବିଶେଷ ଆୟୋଜନ କରି ରୀତିନୀତି ଅନୁଯାୟୀ ଏହି ପର୍ବ ପାଳନ କରାଯାଇଥିବା ଦେଖାଯାଇଛି। କେହି କେହି ନିଜ ଘରେ କିମ୍ବା କଲୋନିରେ ପଲିଥିନ୍‌ରେ ଅସ୍ଥାୟୀ ଜଳାଶୟ ପ୍ରସ୍ତୁତ କରି ସେଠାରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ଦେଖାଯାଇଛି।

publive-image

ସୂଚନା ଅନୁଯାୟୀ ବ୍ରତଧାରୀମାନେ ନିଜ ଘର, କ୍ୱାର୍ଟର୍ସ, ଖାଲିସ୍ଥାନରେ ଗାତ ଖୋଳି ତାର୍‌ପୋଲିନ୍‌ ବିଛାଇ ଅସ୍ଥାୟୀ ଜଳାଶୟ ତିଆରି କରିଥିଲେ। ଅପରାହ୍‌ଣରେ ବ୍ରତଧାରୀମାନେ ଘରେ ସ୍ନାନ କରି ସପରିବାରେ କୃତ୍ରିମ ଜଳାଶୟ ନିକଟକୁ ଆସିଥିଲେ। ନିୟମ ଅନୁଯାୟୀ ପରିବାରର ଜଣେ ଘରେ ପ୍ରସ୍ତୁତ ଖୁଡୁମା, ଠେକୁଆ ସହିତ ମିଳୁଥିବା ଫଳ, ଅଦା, ଆଖୁ, ମୂଳା, ପିଜୁଳି, ପାଣି ସିଙ୍ଗଡ଼ା, ବାତାପି, ସେଓ, କଦଳୀ ଆଦି ପ୍ରସାଦକୁ ଗୋଟିଏ ଟୋକେଇରେ ଧରି ଦୀପ ଓ ଧୂପ ଦେଇ ଅସ୍ତମିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ।

publive-image

ଚଳିତ ବର୍ଷ ଛଟ୍‌ ପୂଜାରେ ବ୍ରତଧାରୀଙ୍କୁ ସହିତ ବାଜା ଓ ବାଣର ଶୋଭାଯାତ୍ରା ଦେଖିବାକୁ ମିଳି ନଥିଲା। ସମସ୍ତ ଘାଟରେ ପୁଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା। ଘାଟକୁ ଯିବା ରାସ୍ତାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଟ୍‌ ଦେଇ ବନ୍ଦ କରାଯାଇଥିଲା। ଅର୍ଘ୍ୟ ପ୍ରଦାନ ପରେ ନିଜ ନିଜ ଘରକୁ ଫେରି ବ୍ରତଧାରୀମାନେ କୋଶି ବସାଇ ଆଖୁଗଛ ରଖି ପୂଜା କରିଥିଲେ। ଏହି ସମୟରେ ଭୋଜପୁରୀ ଓ ହିନ୍ଦୀରେ ଲିଖିତ ଛଟ୍‌ ମାହାତ୍ମ୍ୟା ଗାନ କରାଯାଇଥିଲା।

publive-image

ଶିଳ୍ପ ସହର ବ୍ରଜରାଜନଗରରେ ଅନ୍ୟ ଭାଷାଭାଷୀ ଲୋକମାନେ ମଧ୍ୟ ଛଟ୍‌ ପୂଜା କରି ଆସୁଥିବା ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ଦେଖି  ଅଧିକାଂଶ ବ୍ରତଧାରୀ ନିଜ ଘର ଅଗଣା, ଘର ନିକଟ ପଡ଼ିଆ ଆଦିରେ ସୂର୍ଯ୍ୟ ଦେବାଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe