Advertisment

ପ୍ରଥା ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ: ଛତରଯାତ୍ରାରେ ହଜାର ହଜାର ପଶୁପକ୍ଷୀଙ୍କ ବଳି

Advertisment
ପ୍ରଥା ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ: ଛତରଯାତ୍ରାରେ ହଜାର ହଜାର ପଶୁପକ୍ଷୀଙ୍କ ବଳି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ସହିତ ସମ୍ପନ୍ନ ହୋଇଛି। ଏଥିସହିତ, ମାନସିକ କରିଥିବା ହଜାର ହଜାର କୁକୁଡା, ପାରା, ବୋଦା, ମେଣ୍ଢା ଆଦି ବଳି ଦିଆଯାଇଛି।

ଫଳରେ ସହରର ଗଳି ରାସ୍ତାଗୁଡ଼ିକ ରକ୍ତରଞ୍ଜିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହିଭଳି ଏକ ପ୍ରଥା ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। ରବିବାର ମହାଅଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିରଠାରେ ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢ଼ାରଜା (ଭୈରବ)ଙ୍କ ସମ୍ମୁଖରେ ପୋଢ଼ ବଳି ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା। ସୋମବାର ସକାଳ ସାଢ଼େ ୫ଟାରେ ଛତର ଜେନାଖାଲରୁ ବାହାରିଥିଲା। ସକାଳେ ଜେନାଖାଲରେ ବୋଦା ବଳି ଏବଂ ମନ୍ତ୍ର ଯନ୍ତ୍ର ଓ ତନ୍ତ୍ର ପୂଜା ପାଠପରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସକାଳ ସାଢ଼େ ୫ଟାରେ ଆରମ୍ଭ ହୋଇଥିଲା। ଘୁମୁରା, ନିଶାନ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର, ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମାଣିକେଶ୍ୱରୀ ମନ୍ଦିରକୁ  ଅପରାହ୍ନ ୨ଟା ୫ ମିନିଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନେ ପୂଜାର୍ଚ୍ଚନା କରିଥିବା ବେଳେ ପାରାକୁ ଉଡ଼ାଇଥିଲେ। ଛତର ସମ୍ମୁଖରେ ଘୁମୁରା ନୃତ୍ୟ, ଘଣ୍ଟବାଦ୍ୟ ଓ ନିଶାନ ବାଦ୍ୟ  ଅଂଶଗ୍ରହଣ କରିଥିଲେ। ମା’ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା କ୍ଷଣି ମହାରାଜା ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ପରିବାରର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ  ପାଛୋଟି ନେଇଥିଲେ। ବହୁଦୂରରୁ ପାରାମାନଙ୍କୁ ଭକ୍ତମାନେ ଉଡ଼ାଉଥିବା ସତ୍ତ୍ବେ ସେମାନେ ଉଡ଼ିଆସି  ଛତର ଉପରେ ବସିବା ଭକ୍ତ ଓ ଦର୍ଶକମାନଙ୍କୁ ବିସ୍ମିତ କରିଥିଲା।

ଗତ ୨ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଛତର ଯାତ୍ରା ଫିକା ପଡ଼ିଥିଲା। ଚଳିତ ବର୍ଷ କଟକଣା ନଥିବା ଯୋଗୁଁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା। ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରର ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଜେନାଖାଲ ନିକଟରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵରେ ବ୍ୟାରିକେଡ୍‌ ବାହାରେ ବହୁ ସଂଖ୍ୟାରେ ଲୋକେ ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ସମେତ  କଳାହାଣ୍ଡି ପୁଲିସ ଏସପି ଅଭିଳାଷ ଜି.ଙ୍କ ନେତୃତ୍ବରେ ଶାନ୍ତି ଶୃଙ୍ଖଳା  ନିୟନ୍ତ୍ରଣ କରାଯାଇଥିଲା। ଫଳରେ ପୁଲିସ କର୍ମଚାରୀମାନେ ନାକେଦମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe