The New Indian Express
କୋଭିଡ୍ ପରୀକ୍ଷା ପାଇଁ ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶନାମା ନାହିଁ: ବିରୋଧୀ
ବାଜିରେ ଲାଗିଛି ବିଧାୟକଙ୍କ ସମ୍ମାନ
ବ୍ରହ୍ମପୁର/ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ବେଳେ ଗତକାଲି ହୋଇଥିବା ହାଇଡ୍ରାମା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟର କୌଣସି ସ୍ଥାନରେ କୋଭିଡ୍ ପରୀକ୍ଷା ହୋଇ ନ ଥିବାବେଳେ ଏନେଇ ନିର୍ବାଚନ କମିସନ୍ଙ୍କ ସେଭଳି କିଛି ବିଧିବଦ୍ଧ ନିର୍ଦ୍ଦେଶନାମା ମଧ୍ୟ ନାହିଁ। ଏଣୁ ମିଳିତ ଷଡ଼୍ଯନ୍ତ୍ର କରି ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନକୁ ବନ୍ଦ କରି ଦିଆଯାଇଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଛତ୍ରପୁର ବିଧାୟକଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ପଦବି ହାତେଇବା ପାଇଁ ଛକାପଞ୍ଝା ଲାଗି ରହିଥିଲା। ଏଥିରେ ବିଧାୟକଙ୍କ ସପକ୍ଷ ଗୋଷ୍ଠୀ ପଛରେ ପଡ଼ିଯାଇଥିବାରୁ ଜାଣିଶୁଣି ନିର୍ବାଚନକୁ ଭଣ୍ଡୁର କରାଗଲା ବୋଲି ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ବିରୋଧୀ ଗୋଷ୍ଠୀର ୧୨ଜଣ ସମିତିସଭ୍ୟ ଗତକାଲି ଠାରୁ ପୁଣିଥରେ ଅଜ୍ଞାତବାସରେ ରହିଛନ୍ତି। ଏଣୁ ବିଧାୟକଙ୍କ ଶିବିର ବିରୋଧୀ ଗୋଷ୍ଠୀକୁ ନିଜ ଆଡ଼କୁ ଟାଣିବା ପାଇଁ ନାନା କୌଶଳ ଆପଣାଉଥିବା ଶୁଣିବାକୁ ମିଳୁଛି।
ଛତ୍ରପୁର ବ୍ଲକ୍ର ୧୮ଟି ପଞ୍ଚାୟତରୁ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ୬ଟି ସମିତିସଭ୍ୟ ପଦ ଅକ୍ତିଆର କରିଛନ୍ତି। ବିଜେଡି ସମର୍ଥିତ ବିରୋଧୀ ଗୋଷ୍ଠୀ ୯ଟି ସମିତିସଭ୍ୟ ପଦବି ଦଖଲ କରିଥିବାବେଳେ ୩ ସିପିଆଇ ସମିତିସଭ୍ୟଙ୍କ ସମର୍ଥନ ତାଙ୍କ ସହିତ ରହିଛି। ଏଣୁ ବିରୋଧୀ ଗୋଷ୍ଠୀରେ ୧୨ ସମିତି ସଭ୍ୟ ରହିଥିବା ବେଳେ ବିଧାୟକଙ୍କ ସପକ୍ଷ ଗୋଷ୍ଠୀରେ ୬ଜଣ ରହିଛନ୍ତି। ଗତକାଲି ବ୍ଲକ୍ ଅଧ୍ୟକ୍ଷ ପାଇଁ ନିର୍ବାଚନ ଥିବା ବେଳେ ବିଧାୟକଙ୍କ ସପକ୍ଷ ଗୋଷ୍ଠୀ କୋଭିଡ୍ ପଜିଟିଭ୍ ହୋଇଥିବା ଦର୍ଶାଇଥିଲେ। ଏଣୁ ନିର୍ବାଚନ ଅଧିକାରୀ ନିର୍ବାଚନ ସ୍ଥଗିତ ରଖାଯାଇଥିବା ଘୋଷଣା କରିଥିଲେ। ଆସନ୍ତାକାଲି ପରବର୍ତ୍ତୀ ନିର୍ବାଚନ ତାରିଖ ସମ୍ପର୍କରେ ଅବଗତ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଥିଲା। କୋଭିଡ୍ ପଜିଟିଭ୍ ହୋଇଥିବା ସମିତିସଭ୍ୟମାନେ ଘରୋଇ ସଙ୍ଗରୋଧରେ ରହିଛନ୍ତି। ଅତିକମ୍ରେ ସେମାନେ ୭ଦିନ ସଙ୍ଗରୋଧରେ ରହିବେ। ଏଣୁ ୭ଦିନ ପରେ ହିଁ ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି।
ସେପଟେ ବ୍ଲକ୍ ଅଧ୍ୟକ୍ଷ ଆସନ ପାଇଁ ଛତ୍ରପୁର ବିଧାୟକଙ୍କ ସମ୍ମାନ ବାଜିରେ ଲାଗିଛି। ଏଣୁ ପୌର ନିର୍ବାଚନ ପରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି। କାରଣ ୨୦୧୯ ସାଧାରଣ ନିର୍ବାଚନରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଗଞ୍ଜାମ ଓ ରମ୍ଭା ଏନ୍ଏସିରେ ବିଜେପିର ଭୋଟ୍ ହାର ଅଧିକ ରହିଥିଲା। ଛତ୍ରପୁର ଏନ୍ଏସିରେ ବିଜେପି ମାତ୍ର ୧୧ଶହ ଭୋଟ୍ରେ ବିଜେଡି ଠାରୁ ପଛରେ ରହିଥିଲା। ସହରାଞ୍ଚଳରେ ଶିକ୍ଷିତ ଭୋଟର୍ ରହିଥିବାରୁ ପୌର ନିର୍ବାଚନରେ ଏହାର ପ୍ରଭାବ ପଡ଼ିପାରେ। ଏଭଳି କ୍ଷେତ୍ରରେ ଯଦି ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ପଦବି ବିଧାୟକଙ୍କ ଗୋଷ୍ଠୀ ହାତକୁ ନଯିବ, ତେବେ ଆଗାମୀ ଛତ୍ରପୁର ଏନ୍ଏସି ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର୍ର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଲୋଚନା ହେଉଛି।
Follow Us